ହାଇକୋର୍ଟରେ ଦାଦନ ଶ୍ରମିକଙ୍କ ପ୍ରସଂଗ: ସପ୍ତାହ ଭିତରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ 

କଟକ : ଦାଦନ ଶ୍ରମିକଙ୍କ ପ୍ରସଂଗକୁ ନେଇ ବିଚାରାଧୀନ ମାମଲାରେ ଏକ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଆବେଦନକାରୀ ଚାହିଁଲେ କେନ୍ଦ୍ର ସରକାର ଦାଖଲ କରିବାକୁ ଥିବା ଜବାବ ଉପରେ ପ୍ରତିଜବାବ ଦାଖଲ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୫କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ମୃଣାଳିନୀ ପାଢୀଙ୍କ ଆବେଦନର ଶୁଣାଣି କରି ଏପରି ଆଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ଦାଦନ ଶ୍ରମିକଙ୍କ ପ୍ରସଂଗକୁ ନେଇ ଏହି ମାମଲା ରୁଜୁ ହୋଇଥିଲା। ୨୦୨୦, ଜୁଲାଇ ୩‌୧ରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ସଂକ୍ରାନ୍ତରେ ଆବେଦନକାରୀ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କେତେ ଦୂର କାର୍ଯ୍ୟକାରୀ ହୋଇଛି ସେ ନେଇ ଜବାବ ରଖିବାକୁ ହାଇକୋର୍ଟ ଗତ ଅକ୍ଟୋବର ୫ରେ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଏହି ମାମଲାରେ ଜବାବ ଦାଖଲ କରିଥିବା ବେଳେ ଆବେଦନକାରୀଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ପ୍ରସଂଗରେ କେତେକ ପ୍ରସ୍ତାବ ଦାଖଲ କରାଯାଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନା ସଂକ୍ରମଣ ସ୍ଥିତିରେ ୨୦୨୦, ମାର୍ଚ୍ଚ ମାସରୁ ସାରା ଦେଶରେ ଲକ୍‌ଡାଉନ ଓ ସଟ୍‌ଡାଉନ୍‌ କରାଯାଇଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଗୁରୁତର ସମସ୍ୟା ଦେଖାଦେଇଥିଲା। ଏହି ପ୍ରସଂଗରେ ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର