ପ୍ରବାସୀ ଶ୍ରମିକଙ୍କ ଅବ୍ୟବସ୍ଥାରୁ ଅପବାଦ, ସରକାରଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ

ଟ୍ବିଟ୍ କରି ନିରଞ୍ଜନ ଝାଡ଼ିଲେ ଅସନ୍ତୋଷ, ମନ୍ତ୍ରୀସ୍ତରୀୟ କମିଟି ପାଇଁ ବିଜୟଙ୍କ ପରାମର୍ଶ

ଭୁବନେଶ୍ବର : କରୋନା ଲକଡ଼ାଉନ୍ ପରିପ୍ରେକ୍ଷୀରେ ରାଜ୍ୟ ବାହାରେ ଥିବା ପ୍ରବାସୀଙ୍କ ଶ୍ରମିକଙ୍କ କଷ୍ଟ ଯେତିକି ବଢୁଛି, ଓଡ଼ିଶାରେ ତାର ତାତି ସେତିକି ଅଧିକ ଅନୁଭୂତ ହେଲାଣି। ଏବେ ଯାଏ ସରକାରଙ୍କୁ ସବୁ କଥାରେ ସହଯୋଗ କରି ଆସୁଥିବା ବିରୋଧୀ ବି ଏହି ପ୍ରସଙ୍ଗରେ ସମାଲୋଚନା କରିବା ଆରମ୍ଭ କରିଦେଲେଣି। ରାଜ୍ୟ ସରକାରଙ୍କ ଏଦିଗରେ ଉଦ୍ୟମ ସେମାନଙ୍କୁ ସନ୍ତୁଷ୍ଟ କରିପାରୁନି। ବିଶେଷକରି ଗୁଜରାଟର ସୁରତରେ ଓଡ଼ିଆ ରାଜରାସ୍ତାକୁ ଓହ୍ଲାଇବା ପରେ ଏହି ପ୍ରସଙ୍ଗ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ େହାଇଛି। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ବିଟ୍ କରି ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିବା ସହିତ ଗୁଜୁରାଟ କଂଗ୍ରେସ ମୁଖିଆଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟପକ୍ଷରେ ଗତକାଲି ସରକାରଙ୍କୁ କଟାକ୍ଷ କରିଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ବିଜୟ ମହାପାତ୍ର ଆଜି ସରକାରଙ୍କୁ ମନ୍ତ୍ରୀସ୍ତରୀୟ କମିଟି ଗଠନ ଲାଗି ପରାମର୍ଶ ଦେଇଛନ୍ତି।

କରୋନା ଲକଡ଼ାଉନ୍ ପରିପ୍ରେକ୍ଷୀରେ ଓଡ଼ିଶା ବାହାରେ କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟରେ ପ୍ରାୟ ସାଢେ ଚାରିଲକ୍ଷ ଲୋକ ଅଟକି ରହିଛନ୍ତି। ସେଠାରେ କାମ କରୁଥିବା ବେଳେ ଲକଡାଉନ୍ ଘୋଷଣା େହଲା ଓ ଆଉ େଫରିପାରିନାହାନ୍ତି। କେନ୍ଦ୍ର ସରକାର ଘଟଣାର ଗୁରୁତ୍ବ ଉପଲବ୍ଧି କରି ତତ୍କାଳ ଏସଡିଆରଏଫ୍ ନିୟମ କୋହଳ କରିଛନ୍ତି ଓ ଓଡ଼ିଶା ସରକାର ମଧ୍ୟ ଘୋଷଣା କରିଛନ୍ତି ଯେ ଯେଉଁ ରାଜ୍ୟରେ ଯେତେ ଶ୍ରମିକଙ୍କ ଦାୟିତ୍ବ ସଂପୃକ୍ତ ରାଜ୍ୟ ସରକାର ନେବେ, ସେମାନଙ୍କ ବାବଦ ଖର୍ଚ୍ଚ ଓଡ଼ିଶା ସରକାର ଭରଣା କରିବେ। ବରିଷ୍ଠ ୧୦ ଅଫିସରଙ୍କୁ ନେଇ ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲା ଯାଇଛି। ହେଲେ କରୋନା ମୁକାବିଲା ନେଇ ଅନ୍ୟ ସବୁ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପାରଦର୍ଶିତାକୁ ସମସ୍ତେ ଭୂୟଶୀ ପ୍ରଶଂସା କରୁଥିଲେ ହେଁ, ଏ କ୍ଷେତ୍ରରେ କିନ୍ତୁ ନିନ୍ଦା ମୁଣ୍ଡାଇବାକୁ ପଡିଲାଣି। ସମ୍ଭବତଃ ଅନ୍ୟ ରାଜ୍ୟରେ ଓଡ଼ିଆ ଶ୍ରମିକଙ୍କ ଉପଯୁକ୍ତ ସୁରକ୍ଷା ହୋଇପାରୁନି ଓ ରାଜ୍ୟ ସରକାର ଦାୟିତ୍ବ ଦେଇଥିବା ଅଧିକାରୀମାନେ ଏ ଦିଗରେ ବିଶେଷ ସହାୟକ ହୋଇପାରୁନାହାନ୍ତି।

ଲୋକେ ବାରମ୍ବାର ସରକାର ଦେଇଥିବା ନମ୍ବରରେ ଫୋନ କଲେ ବି ବିଶେଷ ସହାୟତା ପାଇପାରୁନଥିବା ଅଭିଯୋଗ ଉଠୁଛି। ବେଶି ଉତ୍କଟ ପରିସ୍ଥିତି ସୃଷ୍ଟି େହାଇଛି ଗୁଜରାଟର ସୁରତରେ। ଇତିମଧ୍ୟରେ ଦୁଇ ଦୁଇଥର ସଂପୃକ୍ତ ଅଞ୍ଚଳରେ କାମ କରୁଥିବା ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇଲେଣି। ଘଟଣାକୁ ନେଇ ବିରୋଧୀ ଏବେ ସରକାରଙ୍କୁ ପ୍ରବଳ ସମାଲୋଚନା କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ସଂପର୍କରେ ଏକାଧିକ ଟ୍ବିଟ୍ କରିଛନ୍ତି। କହିଛନ୍ତି, ଦୁଃଖର ସହିତ କହିବାକୁ ପଡୁଛି ଯେ ଗୁଜରାଟ ସରକାର ଓଡ଼ିଶା ପ୍ରବାସୀ ଶ୍ରମିକଙ୍କ କଷ୍ଟରେ ସୁଧାର ଆଣିବାରେ ବିଫଳ ହୋଇଛନ୍ତି। ସଂପୃକ୍ତ ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ଦରକାର। ଅଢେଇ ଲକ୍ଷରୁ ଅଧିକ ଲୋକ ଏବେ ସେଠାରେ ଅଟକି ରହିଛନ୍ତି। ଓଡ଼ିଶା ସରକାର ତୁରନ୍ତ ଗୁଜରାଟ ସରକାରଙ୍କ ସହିତ ଆଲୋଚନା କରି କଷ୍ଟ ଓ ଯନ୍ତ୍ରଣାରେ ଥିବା ଲୋକଙ୍କୁ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଅନ୍ତୁ। ସେମାନଙ୍କ କଷ୍ଟ ଦୂର କରିବା ଲାଗି ଚେଷ୍ଟା କରନ୍ତୁ।

ସେହିପରି ବିଜେପି ନେତା ବିଜୟ ମହାପାତ୍ର ଆଜି କହିଛନ୍ତି, ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ଦୈନିକ ୧୦୦ ପାଖାପାଖି ଲୋକଙ୍କ ସହ କଥା ହେଉଛି। ଗୁଜୁରାଟ, ତିରୁପତି, କର୍ଣ୍ଣାଟକ, ତେଲେଙ୍ଗାନା, ତାମିଲନାଡୁ ଆଦିରେ ଲୋକେ ଅକଥନୀୟ କଷ୍ଟ ପାଉଛନ୍ତି। ସେମାନଙ୍କ ପାଖେ ଖାଦ୍ୟ ନାହିଁ। ତିନି ଚାରିଦିନ ପରେ ସେମାନଙ୍କ ଅବସ୍ଥା ଆହୁରି କଷ୍ଟସାଧ୍ୟ ହୋଇପଡିଛି। ଓଡ଼ିଶାରେ ଯେମିତି କରୋନା ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛନ୍ତି, ତାକୁ ସମସ୍ତେ ସ୍ବୀକାର କରିବାକୁ ହେବ। ଏବେ ସେମାନଙ୍କୁ ପ୍ରାଥମିକତା ଦେବାକୁ ହେବ। ଏବେ ଯେହେତୁ ଲକଡାଉନ ଅବଧି ବଢି଼ଲା ଓ ସେମାନେ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଆଉ ମୁକୁଳିବାର କୌଣସି ସୁଯୋଗ ନାହିଁ। ଆଗରୁ ସ୍ଥିତି ଆହୁରି ଗମ୍ଭୀର ହେବ, େଲାକେ ଖାଇବା ପାଇଁ ଡହଳବିକଳ ହେଲେଣି। ଏଣୁ ସରକାର ତୁରନ୍ତ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବା ଦରକାର ଓ ସେମାନଙ୍କ ଅଧୀନରେ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲି ୪୮ ଘଣ୍ଟା ମଧ୍ୟରେ ଖାଦ୍ୟ ପହଞ୍ଚାଇବା ଦରକାର। କିଛି ସ୍ଥାନରେ ପରିବାର ସହିତ େଲାକେ ଅଟକି ରହିଥିବା ପରିପ୍ରେକ୍ଷୀରେ ସ୍ଥିତି ଅଧିକ ବିଗୁଡିଥିବା ଶ୍ରୀ ମହାପାତ୍ର ସରକାରଙ୍କୁ ସତର୍କ କରାଇଛନ୍ତି ଓ ସମ୍ବେଦନଶୀଳ ହୋଇ ତୁରନ୍ତ ପଦକ୍ଷେପ ନେବା ଲାଗି ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର