ଭୁବନେଶ୍ବର : ଆସନ୍ତାକାଲିଠାରୁ ପ୍ରବାସୀ ଶ୍ରମିକମାନଙ୍କ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ଆଜି ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ଏ ସମ୍ପର୍କିତ ମାର୍ଗଦର୍ଶିକା ଓ ଫର୍ମ ସମସ୍ତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀଙ୍କୁ ପଠାଇଛନ୍ତି।
ଲକ୍ ଡ଼ାଉନ୍ ନିର୍ଦେଶ ପ୍ରତ୍ୟାହାର ପରେ ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଫେରିଲେ ସମସ୍ତଙ୍କର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ଶ୍ରମିକ ନିଜେ କିମ୍ବା ତାଙ୍କ ପରିବାର ସଦସ୍ୟ ଓ ପଡ଼ୋଶୀ ବି ତାଙ୍କ ନାମରେ ପଞ୍ଜୀକରଣ କରାଇପାରିବେ। ଏହାସହିତ ଗ୍ରାମ ପଞ୍ଚାୟତ ନୋଡାଲ ଅଧିକାରୀଙ୍କୁ ମଧ୍ୟ ପଞ୍ଜୀକରଣ କରିବା କ୍ଷମତା ପ୍ରଦାନ କରାଯାଇଛି।
ଅନ୍ୟପକ୍ଷରେ ସଙ୍ଗରୋଧ କେନ୍ଦ୍ରକୁ ଯିବା ବେଳେ ତାଙ୍କ ହାତରେ ଅଲିଭା କାଳିରେ ଏକ ଷ୍ଟାମ୍ପ ଭଳି ରହିବ, ଯେଉଁଥିରେ ତାରିଖ ଲେଖାଯିବ। ଏହାଦ୍ବାରା ସେମାନେ ୧୪ ଦିନ ରହିଲେ କି ନାହିଁ, ତାହା ନିଶ୍ଚିତ ହୋଇପାରିବ।
ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ ପୋର୍ଟାଲରେ ୩୦ଟି ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀଙ୍କ ନାଁରେ ସ୍ବତନ୍ତ୍ର ଭାବେ ପୃଥକ୍ ୟୁଜର୍ ଆଇଡି ସୃଷ୍ଟି କରାଯାଇଛି। ଜିଲ୍ଲାଗୁଡ଼ିକ ସେମାନଙ୍କ ବ୍ଲକ୍ ପାଇଁ ୟୁଜର୍ ଆଇଡି ପ୍ରସ୍ତୁତ କରିବେ। ସେହିପରି ବ୍ଲକ୍ ଅଧୀନରେ ଥିବା ଗ୍ରାମପଞ୍ଚାୟତଗୁଡ଼ିକର ଆଇଡି ସମ୍ପୃକ୍ତ ବ୍ଲକ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ୧୦ ଜଣିଆ କମିଟି ଗଠନ ହେବ। କମିଟିର କୋର୍ ଗ୍ରୁପ୍ରେ ୫ ଜଣ ସଦସ୍ୟଙ୍କୁ ବିଡିଓ ମନୋନୀତ କରିବେ। ଯେଉଁଥିରେ ନୋଡାଲ ଅଧିକାରୀ, ଆଇସିଡିଏସ୍ ସୁପରଭାଇଜର୍, ଗ୍ରାମରୋଜଗାର ସେବକ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ ଓ ଶିକ୍ଷକ ସାମିଲ ରହିବେ। ସମସ୍ତ ସଦସ୍ୟମାନଙ୍କୁ ବିଡିଓ ପଞ୍ଜୀକରଣ କରିବାର ତାଲିମ୍ ପ୍ରଦାନ କରିବେ। ପ୍ରବାସୀ ଶ୍ରମିକମାନଙ୍କ ପଞ୍ଜୀକରଣ ନେଇ ଏହି କମିଟି କାର୍ଯ୍ୟ କରିବ।
ଫେରିଥିବା ଶ୍ରମିକମାନଙ୍କୁ ରଖିବା ପାଇଁ ଯଦି ଅଧିକ ସଙ୍ଗରୋଧ କେନ୍ଦ୍ରର ଆବଶ୍ୟକତା ପଡ଼େ, ତା ହେଲେ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ବିଡିଓଙ୍କ ସହ ଆଲୋଚନା କରି ତୁରନ୍ତ ନୂତନ ସଂଙ୍ଗରୋଧ କେନ୍ଦ୍ର ପାଇଁ ବ୍ୟବସ୍ଥା କରିବେ। ଫର୍ମ୍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବାବଦ ଖର୍ଚ୍ଚ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦାନ କରିଥିବା ପାଣ୍ଠିରୁ ବ୍ୟୟ କରାଯିବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଦର୍ଶାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/ink.jpeg)