କାଳିଆପାଣି : ୧୧ ଶ୍ରମିକଙ୍କୁ ସୁରତ ଫେରନ୍ତା ଭାବି ଗୋଡ଼ାଇଲେ ଗାଁ’ ଲୋକେ

କାଳିଆପାଣି : କରୋନା ଭୟରେ ସୁରତ ଫେରନ୍ତାକୁ ନେଇ ଏବେ କୋକୁଆଭୟ। ଯାହାର ନିଚ୍ଛକ ଉଦାହରଣ ଆଜି କାଳିଆପାଣି ଇଲାକାରେ ଦେଖିବାକୁ ମିଳିଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ଟାଟାଷ୍ଟିଲ କମ୍ପାନିରେ ଜନୈକ ଠିକାଦାର ପାଖେ କାମ କରୁଥିବା ୧୧ ଜଣ ଠିକା ଶ୍ରମିକଙ୍କୁ ଆଜି ଏଥିପାଇଁ ବହୁ ହଟହଟା ହେବାକୁ ପଡ଼ିଛି।

ସୂଚନା ଅନୁସାରେ, କଳିଙ୍ଗନଗର ଜେଏମ୍‌ସି ଓ ଜେଡିସିଏଲ୍‌ କମ୍ପାନିରେ ଏହି ଶ୍ରମିକମାନେ କାମ କରୁଥିଲେ। ଗତକାଲି ସନ୍ଧ୍ୟାରେ ସେମାନେ ଲୁଚିଛପି ନିଜ ନିଜ ଗାଁକୁ ଚାଲିଚାଲି ବାହାରିଥିଲେ। ରାତିରେ ମଙ୍ଗଳପୁର ପାଖ ନିର୍ମାଣାଧୀନ ରେଳବାଇ ପୋଲ ତଳେ ଶୋଇଥିଲେ। ଆଜି ସକାଳ ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କରୁ କଲରଙ୍ଗି ଯିବା ବାଟରେ ବିଭିନ୍ନ ଗାଁର ଲୋକେ ସେମାନଙ୍କୁ ସୁରତ ଫେରନ୍ତା କହି ଗୋଡ଼ାଇଥିଲେ। ଏହାପରେ ଏହି ଶ୍ରମିକମାନେ ଢେଙ୍କାନାଳ ସୀମାନ୍ତ କଲରଙ୍ଗି-କାଠପାଳ ରାସ୍ତାରେ ଜଗିଥିବା କଙ୍କଡ଼ାହାଡ଼ ପୁଲିସ ହାବୁଡ଼ରେ ପଡ଼ିଥିଲେ। ଗଣ୍ଠିଲି ଓ ବ୍ୟାଗ୍‌ ଧରି ଆଗକୁ ବଢ଼ୁଥିବା ଝାଡ଼ଖଣ୍ଡ ଲାପଙ୍ଗ ଓ ସିମଡେଗା ଜିଲ୍ଲାର ଦୁଗାନ ବାର୍ଲା, ହାରିଅତ ତିର୍କି, ହାରିଅନ ବାର୍ଲା ଓ ଦୀପେନ ବାର୍ଲା ଏବଂ ସୁନ୍ଦରଗଡ଼ ରାଇବଗା ଥାନା ଇଲାକାର ଅନିଲ କିଣ୍ଡୋ, ଅନିଲ ଖେସ୍, ବାରଦାନ ତିର୍କି, ଏକସାନ କେର୍କେଟା, କୁଶଲ ଖାଖା, ଜଗଦାସ ଖେସ୍ ଓ ଭରତ ମହାନ୍ତଙ୍କୁ ଢେଙ୍କାନାଳ ପୁଲିସ ଅଧା ରାସ୍ତାରେ ଅଟକାଇଥିଲା। ରେଡ୍‌ଜୋନ ଯାଜପୁର ଜିଲ୍ଲା ନାଁ ଶୁଣି ଢେଙ୍କାନାଳ ପୁଲିସ ସେମାନଙ୍କୁ ଆଗକୁ ବଢ଼ିବାକୁ ଦେଲାନି। ବିଭିନ୍ନ ସୀମାନ୍ତ ଗାଁର ଲୋକେ ଶ୍ରମିକମାନଙ୍କୁ ଜଗି ରହିଲେ। ଶ୍ରମିକମାନେ ବାଧ୍ୟହୋଇ ପଛକୁ ଫେରି କାଳିଆପାଣି ଥାନା ଅନ୍ତର୍ଗତ କଲରଙ୍ଗି ଛକ ବରଗଛ ମୂଳେ ଆଶ୍ରୟ ନେଇଥିଲେ।

ଗଣମାଧ୍ୟମ ପ୍ରତିନିଧିଙ୍କଠୁ ସୂଚନାପାଇ କଳିଙ୍ଗନଗର ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଓ କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ଯୋଗସୂତ୍ରରେ ଘର ମୁହାଁ ଶ୍ରମିକମାନଙ୍କୁ କଳିଙ୍ଗନଗର ଫେରାଇନେବା ଉଦ୍ୟମ ହୋଇଛି। ସଂଧ୍ୟାରେ ରାଁସୋଳ ପଞ୍ଚାୟତରେ ଶ୍ରମିକମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି। ଏହି ଶ୍ରମିକମାନେ ନିଜ ଘର ଝାଡ଼ଖଣ୍ଡ ରାଜ୍ୟର ଲାପଙ୍ଗ ଓ ସିମଡେଗା ଏବଂ ସୁନ୍ଦରଗଡ଼ ଜିଲ୍ଲାର ରାଇବଗା ଓ କୁଆଁରମୁଣ୍ଡାକୁ ଯାଉଥିବାର ଜଣାପଡ଼ିଛି।

ସମ୍ବନ୍ଧିତ ଖବର