ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ କଂଗ୍ରେସ ଉଦ୍‌ବେଗ

ପେଟ୍ରୋଲ ଓ ଡିଜେଲ୍‌ ଦର ହ୍ରାସ କରିବାକୁ ଦାବି

ଭୁବନେଶ୍ବର : ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକମାନଙ୍କ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସେମାନଙ୍କର ୩ଟି ମୁଖ୍ୟ ସମସ୍ୟା ଉତ୍କଟ ହେବାରେ ଲାଗିଛି। ତାଲାବନ୍ଦରେ ରୋଜଗାର ନାହିଁ। ଘର ଭଡ଼ା ଦେଇ ନପାରିବାରୁ ଘର ମାଲିକ ତଡ଼ି ଦେଉଥିବା ଅଭିଯୋଗ ହେଉଛି। ଏବେ ସେମାନେ ଅସୁସ୍ଥ ହେବାର ଆଶଙ୍କା ଉପୁଜିଛି। ଏପରିକି ଅସୁବିଧାରେ ପଡ଼ି ପ୍ରବାସୀ ଶ୍ରମିକ ଆତ୍ମହତ୍ୟା କରୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଏପରି ଉଦବେଗ ପ୍ରକାଶ କରିବା ସହ ଶ୍ରମିକମାନଙ୍କୁ ଏହି ବିପଦରୁ ଉଦ୍ଧାର କରିବାରେ ରାଜ୍ୟ ସରକାର ତୁରନ୍ତ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି। ସେହିପରି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବର୍ତ୍ତମାନ୍‌ ୨୦ ବର୍ଷ ତଳର ଦର ସହିତ ସମାନ ଥିବାବେଳେ ଏହାର ଲାଭ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ ବିଧାୟକ ସୁରେଶ କୁମାର ରାଉତରାୟ ଦାବି କରିଛନ୍ତି।

ଦଳ ପକ୍ଷରୁ ଜାରି ପ୍ରେସ୍‌ ବିବୃତି ଜରିଆରେ ଶ୍ରୀ କାନୁନ୍‌ଗୋ କହିଛନ୍ତି, ରାଜ୍ୟ ବାହାରେ ଥିବା ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆଙ୍କ ଖାଇବା, ରହିବା ଓ ସ୍ବାସ୍ଥ୍ୟସେବା ଖର୍ଚ୍ଚ ସରକାର ବହନ କରନ୍ତୁ। ଏଥିପାଇଁ ଜଣେ ଲେଖାଏଁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନୋଡାଲ୍‌ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଉ। ସେମାନେ ଭୁବନେଶ୍ବରରେ ନ ବସି ସମ୍ପୃକ୍ତ ରାଜ୍ୟକୁ ଯାଇ ସେଠାକାର ସରକାରଙ୍କ ସହ ଶ୍ରମିକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ ବାହାର କରନ୍ତୁ। ଯଦି କୌଣସି କାରଣରୁ ବାହାରେ ଜଣେ କେହି ଓଡ଼ିଆ ବା ସେଠି ରହୁଥିବା ତା ପରିବାର ସଦସ୍ୟଙ୍କର ମୃତ୍ୟୁ ହୁଏ, ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ। ସମ୍ବିଧାନର ଧାରା ୨୧ ଅନୁସାରେ ଏହା ଘୋର ସାମ୍ବିଧାନିକ ସଂକଟ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ସେହିପରି ଦଳୀୟ ନେତା ସୁଦର୍ଶନ ଦାସ କହିଛନ୍ତି, ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରିବା ନେଇ ଗତକାଲି ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଏହାଦ୍ୱାରା ସେମାନଙ୍କର ରାଜ୍ୟକୁ ଫେରିବାର ପଥ ସୁଗମ ହୋଇଛି l ଏବେ ସରକାର କିଭଳି ଭାବରେ ଶ୍ରମିକମାନଙ୍କୁ ରାଜ୍ୟକୁ ଫେରେଇ ଆଣିବେ ସେ ସମ୍ପର୍କରେ ରାଜ୍ୟବାସୀଙ୍କୁ ଜଣାଇବା ଦରକାର।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ୨୦ ଡଲାର ହେଲାଣି। କିନ୍ତୁ ଏହାର ଲାଭ ଲୋକଙ୍କୁ ମିଳୁନି। ବରଂ ନିକଟରେ ପେଟ୍ରୋଲ ଓ ଡିଜେଲ୍‌ ଉପରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ବୃଦ୍ଧି କରିଛନ୍ତି। ଯଦିଓ ପେଟ୍ରୋଲ୍‌ ଓ ଡିଜେଲର ଦାମ୍‌ ବଢ଼ିନି କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ବୋଝରେ ଖାଉଟି ପେଶି ହେଉଛନ୍ତି। ଯଦି କେନ୍ଦ୍ର ଓ ରାଜ୍ୟ ସରକାର ଟିକସ କମାଇ ଦିଅନ୍ତେ, ତାହେଲେ ବଜାରରେ ପେଟ୍ରୋଲ ଓ ଡିଜେଲ୍‌ ଦର ଲିଟର ପିଛା ୩୦ରୁ ୪୦ ଟଙ୍କାରେ ମିଳନ୍ତା। ଉପା ସରକାର ସମୟରେ ତୈଳ ଦଳ ଉପରେ ସାମାନ୍ୟ ବୃଦ୍ଧି ହେଉଥିଲେ ବିଜେପି ଓ ବିଜେଡି ପ୍ରତିବାଦ କରି ରାସ୍ତାରେ ଗଡ଼ୁଥିଲେ। ଏବେ କେନ୍ଦ୍ରରେ ବିଜେପି ସଂଚାଳିତ ଏନ୍‌ଡିଏ ସରକାର ତୈଳ ଦର ଯେତେ ବୃଦ୍ଧି କଲେ ବି ବିଜେଡି ଚୁପ୍‌ ବସିଛି। ସାରା ଦେଶ କରୋନା ମହାମାରୀ ସଂକଟକୁ ସାମାନା କରୁଥିବାବେଳେ ଲୋକଙ୍କୁ ଆଶ୍ବସ୍ତ କରିବା ପାଇଁ ମୋଦୀ ସରକାର ପେଟ୍ରୋଲ ଓ ଡିଜେଲ୍‌ ଦର କମାଇବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର