ପ୍ରବାସୀ ଶ୍ରମିକଙ୍କ ପାଇଁ ଅଣ୍ଟା ଭିଡ଼ିଲେ

ଚିଠି ଲେଖିଲେ ସାମାଜିକ ସଂଗଠନ, ବୁଦ୍ଧିଜୀବୀ
କେନ୍ଦ୍ର-ରାଜ୍ୟ ଆନୁଷ୍ଠାନିକ ରାଜିନାମା ପାଇଁ ଦାବି
ସମ୍ମାନର ସହ କାମ କରିବାର ସୁଯୋଗ ମିଳୁ
ପଞ୍ଚାୟତ ଓ ନଗରପାଳିକାରେ ପଞ୍ଜୀକରଣ ଜରୁରୀ

ଭୁବନେଶ୍ବର : କରୋନା ମହାମାରୀ ପରିପ୍ରେକ୍ଷୀରେ ଦେଶରେ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ପାଇଁ ଏବେ ସାମାଜିକ ସଂଗଠନ, ବିଶେଷଜ୍ଞ ଏକାଠି ହୋଇଛନ୍ତି। ଅର୍ଥନୀତିର ପୁନରୁଦ୍ଧାର ପାଇଁ ଦେଶରେ ଲକ୍ଷ ଲକ୍ଷ ଶ୍ରମିକଙ୍କ ଆବଶ୍ୟକତା ରହିଥିଲେ ହେଁ, ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଉଥିବା ପୁରୁଷ ଓ ମହିଳା ଶ୍ରମିକଙ୍କୁ ଯେପରି ସମ୍ମାନର ସହ କାର୍ଯ୍ୟ କରିବାର ସୁଯୋଗ ଦିଆଯିବ, ସେମାନେ ବି ଅନ୍ୟ ନାଗରିକଙ୍କ ଭଳି ସବୁ ସୁବିଧା ସୁଯୋଗ ପାଇପାରିବେ, ସେ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଆନୁଷ୍ଠାନିକ ରାଜିନାମା ସ୍ବାକ୍ଷର କରିବା ଲାଗି ଚାପ ସୃଷ୍ଟି ହୋଇଛି।

ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସୂଚନା କମିସନର ଜଗଦାନନ୍ଦ ଏହି ମର୍ମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ଆବଶ୍ୟକ ପଦକ୍ଷେପ ନେବା ଲାଗି ନିବେଦନ କରିଛନ୍ତି। କେବଳ ସେତିକି ନୁହେଁ, ଶ୍ରୀଜଗଦାନନ୍ଦଙ୍କ ସମେତ ଡ. ରାଜେଶ ଟଣ୍ଡନ, ଡ. ଯୋଗେଶ କୁମାର, ବିନୟ ଆଚାର୍ଯ୍ୟ, ପ୍ରଫେସର ଅମିତାଭ କୁଣ୍ଡୁ, ପ୍ରଫେସର ରବି ଶ୍ରୀବାସ୍ତବ, ଅଶୋକ ସିଂହ ପ୍ରମୁଖ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ସାମ୍ନାରେ ଏ ସଂକ୍ରାନ୍ତରେ ଏକ ବିଶଦ ପ୍ରସ୍ତାବ ରଖିଛନ୍ତି।

ସାମାଜିକ ସଙ୍ଗଠନ ଓ ବୁଦ୍ଧିଜୀବୀମାନେ ପ୍ରସ୍ତାବ ଦେଇଛନ୍ତି ଯେ ଲକ୍‌ଡାଉନ୍ ଧୀରେ ଧୀରେ ଖୋଲୁଛି ଓ ଅର୍ଥନୈତିକ କାର୍ଯ୍ୟକଳାପ ପୁଣି ଆରମ୍ଭ ହେଉଛି। କେତେକ ରାଜ୍ୟ ବିଶେଷ କରି ପଂଜାବ, କର୍ଣ୍ଣାଟକ, ତାମିଲନାଡୁ ଓ ଗୁଜୁରାଟ ଭଳି ରାଜ୍ୟ ଅଧିକ ପାରିଶ୍ରମିକ ଓ ସୁବିଧା ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ପ୍ରବାସୀଙ୍କୁ ଫେରି ଆସିବା ଲାଗି ନିବେଦନ କରିବା ଆରମ୍ଭ କରିଛନ୍ତି ।

ତେଣୁ ଏହି ଶ୍ରମିକଙ୍କ ‘ଉତ୍ସ’ ବା ମୂଳସ୍ଥାନ ପାଲଟିଥିବା ପ୍ରମୁଖ ରାଜ୍ୟଗୁଡ଼ିକ ଏହି ପୁରୁଷ ଓ ମହିଳାମାନଙ୍କ ଉନ୍ନତ ଜୀବନଧାରଣ ଓ କାର୍ଯ୍ୟସ୍ଥଳୀର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଉପଯୁକ୍ତ ନୀତି ପ୍ରସ୍ତୁତି ଲାଗି ଜରୁରୀ ହୋଇପଡ଼ିଛି। ପ୍ରବାସୀ ଶ୍ରମିକଙ୍କ ସଂପର୍କରେ, ଜାତୀୟସ୍ତରରେ ଭରସାଯୋଗ୍ୟ ତଥ୍ୟ ଉପଲବ୍‌ଧ ନାହିଁ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଠିକାଦାର ଓ ନିଯୁକ୍ତିଦାତାମାନଙ୍କ ଦ୍ୱାରା ପ୍ରବାସୀ ଶ୍ରମିକମାନଙ୍କ ଶୋଷଣକୁ ହ୍ରାସ କରିବା ଦରକାର। ପ୍ରବାସୀ ଶ୍ରମିକ ଆଇନ, ୧୯୭୯ରେ ଥିବା ବ୍ୟବସ୍ଥା ଭିତରେ ମୂଳ ରାଜ୍ୟ ଓ କର୍ମକ୍ଷେତ୍ର ରାଜ୍ୟ ମଧ୍ୟରେ ଏକ ରାଜିନାମା ଆଇନଗତ ଭାବେ ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି। ସମସ୍ତ ପ୍ରବାସୀଶ୍ରମିକ ବିଶେଷ କରି ମହିଳା ଶ୍ରମିକଙ୍କ ଜୀବନ ଓ କାର୍ଯ୍ୟ ପରିବେଶରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ମଧ୍ୟ ଆନ୍ତଃରାଜ୍ୟ ରାଜିନାମା ପାଇଁ ଏଭଳି ପ୍ରକ୍ରିୟାକୁ ସହଯୋଗ ଓ ସମର୍ଥନ କରିବା ଉଚିତ।

ଏହି ପରିପ୍ରେକ୍ଷୀରେ ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀ ୩ଟି ସମସ୍ୟା ସାମ୍ନାକୁ ଆଣିଛନ୍ତି। ପ୍ରବାସୀ ଶ୍ରମିକମାନେ ଭିନ୍ନ ଭିନ୍ନ ବୃତି ଆପଣାଇଥାନ୍ତି ଓ ସେମାନଙ୍କ ପରିଚୟ ଭିନ୍ନ ହୋଇଥାଏ; ଯେମିତିକି ଘରୋଇ ଶ୍ରମିକ, ଶିଳ୍ପ ଶ୍ରମିକ, ବୁଲା ବିକାଳି ଇତ୍ୟାଦି। ସେମାନେ ବିଭିନ୍ନ ଆଇନ ଦ୍ୱାରା ପରିଚାଳିତ ହୋଇଥାନ୍ତି ଓ କେତେକଙ୍କୁ କୌଣସି ଆଇନ ଶ୍ରମିକ ବୋଲି ଗ୍ରହଣ କରେନାହିଁ। ବ୍ୟାପକ ବର୍ଗର ସାମାଜିକ ସୁରକ୍ଷାର ସୁବିଧା, ରିହାତିଯୁକ୍ତ ରାସନ ଯୋଗାଣ, ମା’ମାନଙ୍କର ସ୍ୱାସ୍ଥ୍ୟ ସୁବିଧା, ବିଦ୍ୟାଳୟ ଶିକ୍ଷା ଓ ମୌଳିକ ସ୍ୱାସ୍ଥ୍ୟ ସୁବିଧା ଆଦି ଲାଗି ଯୋଗ୍ୟ ହେବାର ସର୍ତ୍ତ ଦ୍ୱନ୍ଦ୍ୱାତ୍ମକ ଓ ଭେଦଭାବପୂର୍ଣ୍ଣ ହୋଇ ରହିଛି। ପ୍ରବାସୀ ଶ୍ରମିକମାନେ ଯେହେତୁ ଭୌଗୋଳିକ ଭାବେ ବିଭିନ୍ନ ସ୍ଥାନରେ (କୃଷି କ୍ଷେତ୍ର, ଇଟା ଭାଟି ଓ କାହାର ଘରେ) ବିଛାଡ଼ି ହୋଇ ରହୁଥିବାରୁ, ଏସବୁ ମୌଳିକ ସେବା ଓ ଅଧିକାରର ସୁବିଧା ପାଇବା ଆହୁରି ସମସ୍ୟାବହୁଳ ହେଉଥିବା ଲକ୍ଷ୍ୟ ରଖାଯାଉଛି। ସେମାନଙ୍କ ପାଇଁ ରହିବାର ଭଲ ବ୍ୟବସ୍ଥା, ଉପଯୁକ୍ତ ସ୍ୱାସ୍ଥ୍ୟ ସେବା, ପରିବାର ସହ ଯୋଗାଯୋଗ ଓ ଘରକୁ ଫେରିବା ଲାଗି ମାଗଣା ପରିବହନ ସୁବିଧା ଆଦି ସୁନିଶ୍ଚିତ କରିବା ପାଇଁ ଝାଡ଼ଖଣ୍ଡ ସରକାର ନିକଟରେ ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ଅଧୀନସ୍ଥ) ସୀମା ସଡ଼କ ସଂସ୍ଥା (ବିଆର୍‌ଓ) ସହିତ ଏକ ରାଜିନାମା କରିଛନ୍ତି। ଅନ୍ୟ ରାଜ୍ୟମାନେ ମଧ୍ୟ ଏ ଦଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ସେହିପରି ପ୍ରବାସୀ ଶ୍ରମିକ ବାସ କରୁଥିବା ସ୍ଥାନରେ ଅର୍ଥାତ୍ ସେମାନଙ୍କ ପଞ୍ଚାୟତ ଓ ନଗରପାଳିକା ଜରିଆରେ ତାଙ୍କର ପଞ୍ଜୀକରଣ ହେବା ଏକ ଜରୁରୀ ଆବଶ୍ୟକତା। ଏହି ପଂଜୀକରଣକୁ ପରେ ଏକ ସାଧାରଣ ଡିଜିଟାଲ୍ ପ୍ଲାଟ୍‌ଫର୍ମକୁ ଅଣା ଯାଇପାରିବ, ଯାହା ସମସ୍ତ ପରିଚୟ (ଆଧାର, ରାସନ କାର୍ଡ ଓ ଭୋଟର ପରିଚୟପତ୍ର), ଆର୍ଥିକ ଅନ୍ତର୍ଭୁକ୍ତିକରଣ (ଜନ ଧନ ଯୋଜନା) ଓ ସାମାଜିକ ସୁରକ୍ଷା ଯୋଜନା (ରିହାତିଯୁକ୍ତ ଖାଦ୍ୟ ସାମଗ୍ରୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆର୍‌ବିଏସ୍‌ୱାଇ ସ୍ୱାସ୍ଥ୍ୟ ଯୋଜନା ଇତ୍ୟାଦି)କୁ ଯୋଡୁଥିବ ।

ଲକ୍ଷ୍ୟସ୍ଥଳରେ ଅନ୍ୟ ମୌଳିକ ସୁବିଧା ଯଥା:-ଭଡ଼ା ଘର, ଅଙ୍ଗନାବାଡ଼ି ଓ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ( ପ୍ରବାସୀ ଶ୍ରମିକଙ୍କ ମାତୃଭାଷାରେ), ଶିଶୁମାନଙ୍କ ପାଇଁ କ୍ରେଚ୍ ଓ ମହିଳାମାନଙ୍କ ପାଇଁ ଅନ୍ୟ ସୁରକ୍ଷା ଓ ମାସିକ ଋତୁକାଳୀନ ପରିଷ୍କାର-ପରିଛନ୍ନତା ଆଦି ସୁବିଧା ପ୍ରଦାନ ପାଇଁ ଏହି ଡିଜିଟାଲ୍‌ ପରିଚୟଗୁଡ଼ିକୁ ବ୍ୟବହାର କରାଯାଇପାରିବ। ଲକ୍‌ଡାଉନ୍ ସମୟରେ ଏହା ସ୍ପଷ୍ଟ ହେଲା ଯେ, ବିସିଓଡବ୍ଲୁ ଆଇନ, ୧୯୯୬ ସତ୍ୱେ ନିର୍ମାଣ ଶ୍ରମିକଙ୍କ ପଂଜୀକରଣ ହାର ଖୁବ୍ ନୈରାଶ୍ୟଜନକ। ଏ କ୍ଷେତ୍ରରେ ସମସ୍ତ ଉତ୍ତରଦାୟୀ ବ୍ୟବସ୍ଥାର ଡିଜିଟାଲାଇଜେସନ୍‌ ହେବା ମଧ୍ୟ ଆବଶ୍ୟକ।

ସମ୍ବନ୍ଧିତ ଖବର

Comments are closed.