ଭବାନୀପାଟଣା : କରୋନା ଲକଡାଉନ ଯୋଗୁଁ ରାଜ୍ୟ ଓ ରାଜ୍ୟ ବାହାରର ବହୁ ଶିଳ୍ପ ପ୍ରତିଷ୍ଠାନରେ ତାଲା ଝୁଲୁଛି । ପ୍ରବାସୀ ଶ୍ରମିକମାନେ ନିଯୁକ୍ତି ହରାଇ ନିଜ ଭିଟାମାଟିକୁ ଫେରିଛନ୍ତି । ବର୍ତ୍ତମାନ ପ୍ରାବସୀ ଶ୍ରମିକମାନଙ୍କ ପାଇଁ କାମ ନଥିବା ବେଳେ ସେମାନଙ୍କ ଚୁଲି କିପରି ଜଳିବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଳାହାଣ୍ଡି ଜିଲ୍ଲାରେ ଏମଏସଏମଇ ଶିଳ୍ପ ନାହିଁ ଫଳରେ ମନରେଗା ଯୋଜନା ହିଁ ଭରସା ପାଲଟିଛି । ଏବେ ସେମାନଙ୍କ ଥଇଥାନ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

Advertisment

publive-image

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଭବାନୀପାଟଣା ବ୍ଲକର ୩୬ଟି ପଞ୍ଚାୟତରେ ୩୫୭୭ ଜଣ ପ୍ରବାସୀ ଶ୍ରମିକ ଫେରିଛନ୍ତି । ଧର୍ମଗଡ ବ୍ଲକର ୨୪ଟି ପଞ୍ଚାୟତର ୫୦୭୬ ଜଣ, ଗୋଲାମୁଣ୍ଡା ବ୍ଲକର ୨୮ଟି ପଞ୍ଚାୟତର ୪୬୯୪ ଜଣ, ଜୟପାଟଣା ବ୍ଲକର ୨୨ଟି ପଞ୍ଚାୟତର ୨୬୫୩ ଜଣ, ଜୁନାଗଡ ବ୍ଲକର ୩୪ଟି ପଞ୍ଚାୟତର ୩୮୪୬ ଜଣ, କଲମପୁର ବ୍ଳକର ୧୧ଟି ପଞ୍ଚାୟତର ୧୦୩୪ ଜଣ, କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତର ୧୩୮୩ ଜଣ, କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତର ୩୦୧୫ ଜଣ, କୋକସରା ବ୍ଲକର ୨୨ଟି ପଞ୍ଚାୟତର ୨୬୦୯ ଜଣ, ଲାଞ୍ଜିଗଡ ବ୍ଲକର ୨୬ ଟି ପଞ୍ଚାୟତର ୨୯୮୯ ଜଣ, ମଦନପୁର ରାମପୁର ବ୍ଲକର ୧୯ ଟି ପଞ୍ଚାୟତର ୨୬୧୩ ଜଣ, ନର୍ଲା ବ୍ଲକର ୨୬ ଟି ପଞ୍ଚାୟତର ୪୧୨୪ ଜଣ, ଥୁଆମୁଳ ରାମପୁର ବ୍ଲକର ୨୪ ଟି ପଞ୍ଚାୟତର ୧୯୧୭ ଜଣ ପ୍ରବାସୀ ଫେରିଥିବା ସରକାରୀ ଭାବେ ଜଣାପଡିଛି । କଳାହାଣ୍ଡି ଜିଲ୍ଲାର ୩୧୦ ଟି ପଞ୍ଚାୟତର ୩୯୫୨୮ ଜଣ ପ୍ରବାସୀ ଶ୍ରମିକ ଫେରିଛନ୍ତି । ସେମାନେ ୭୮୭ ଅସ୍ଥାୟୀ ସଙ୍ଗାରୋଧ କେନ୍ଦ୍ରରେ ରହିଥିଲେ । ବର୍ତ୍ତମାନ ୧୩୯୯ ଜଣ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୩୮୧୨୯ ଜଣ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ।

publive-image New Indian Express

ବେସରକାରୀ ଭାବରେ ଲକଡାଉନ ପୂର୍ବରୁ ବହୁ ପ୍ରବାସୀ ଶ୍ରମିକ ଫେରିଛନ୍ତି । ଜିଲ୍ଲାକୁ ଫେରିବାକୁ ପ୍ରାୟ ୭୦ ହଜାର ଶ୍ରମିକ ପଞ୍ଜିକୃତ କରିଥିଲେ । ବର୍ତ୍ତମାନ କାମଧନ୍ଦା ଛାଡି ଭିଟାମାଟିକୁ ଫେରିଥିବାବେଳେ ସେମାନଙ୍କ ଜୀବିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲକଡାଉନ ଯୋଗୁଁ ଜୀବିକା ହରାଇ ନିଜ ଗାଁରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ଅନ୍ୟ ପକ୍ଷରେ କରୋନା କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ରାଜ୍ୟ ବାହାରର ବହୁ କମ୍ପାନୀରେ ତାଲା ପଡିଛି । କଳାହାଣ୍ଡି ଜିଲ୍ଲାରେ ଶିଳ୍ପ ଓ ଆନୁସଙ୍ଗିକ କର୍ମ ନିଯୁକ୍ତି ନଥିବା ଯୋଗୁଁ କୁଶଳୀ ଶ୍ରମିକମାନେ ଘର ଭିତରେ ପଡି ରହିଛନ୍ତି । ଜିଲ୍ଲାରେ ବେଦାନ୍ତକୁ ଛାଡିଦେଲେ କୌଣସି ଶିଳ୍ପ ନାହିଁ । ଜିଲ୍ଲାରେ କୃଷି ଉତ୍ପାଦନ ଥିଲେ ମଧ୍ୟ କୃଷି ସମ୍ପର୍କିତ କୌଣସି ପ୍ରକ୍ରିୟାକରଣ ପ୍ରକଳ୍ପ ନାହିଁ । ଜୁନାଗଡ ବ୍ଲକର ସର୍ଗିଗୁଡା ଠାରେ ଥିବା ଚିନିକଳ ଦୀର୍ଘବର୍ଷ ଧରି ବନ୍ଦହୋଇ ପଡି ରହିଛି । ସେହିଭଳି ଜୁନାଗଡ ସହରରେ ଥିବା ଟିସିପିସି ବନ୍ଦ ହୋଇ ବର୍ତ୍ତମାନ ଅଳିଆଗଦା ପାଲଟିଛି । ଜୁନାଗଡ ଠାରେ ଥିବା ଲାଖ ଶିଳ୍ପ, ଟ୍ରାକ୍ଟର ସ୍କିମ ମଧ୍ୟ ଦୀର୍ଘବର୍ଷ ଧରି ବନ୍ଦ ହୋଇ ପଡି ରହିଛି । ଭବାନୀପାଟଣା ସହରର ଆଇଟିଆଇ ନିକଟରେ ଥିବା ଚିନିକଳ ଦୀର୍ଘବର୍ଷ ଧରି ବନ୍ଦ ପଡିଛି । ସେହିଭଳି ରାଇସିଂପୁର ଠାରେ ଥିବା ମାଁ ମାଣିକେଶ୍ବରୀ ଜିନିଂ ମିଲ, କେସିଙ୍ଗା କୋଣାର୍କ ସ୍ପିନିଂ ମିଲ ବନ୍ଦ ହୋଇ ଭୂତକୋଠି ପାଲଟିଛି । ମଦନପୁର ରାମପୁର ଓ ନର୍ଲା ଠାରେ ଥିବା କରତ କଳ ମଧ୍ୟ ଦୀର୍ଘବର୍ଷ ଧରି ବନ୍ଦ ହୋଇ ପଡି ରହିଛି । କୁଟ୍ରୁଖମାର ନିକଟରେ ଅଏଲ ସିଡ କର୍ପୋରେସନ ପକ୍ଷରୁ ମିଲ ପାଇଁ ଜାଗା ନିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଶିଳ୍ପ ପ୍ରତିଷ୍ଠା ନେଇ ଆଗ୍ରହ ମଧ୍ୟ ନାହିଁ । ନର୍ଲା ଠାରେ ପ୍ରସ୍ତାବିତ ଲୋକୋମୋଟିଭ କାରଖାନା ମରିଚୀକା ପାଲଟିଛି । ଜିଲ୍ଲାର କୁଶଳୀ ଶ୍ରମିକ ମାନଙ୍କ ପାଇଁ ଏମଏସଏମଇ କୌଣସି ଶିଳ୍ପ ନ ଥିବା ଯୋଗୁଁ ନିଯୁକ୍ତି ମିଳିପାରୁନାହିଁ । ଫଳରେ ଯୁବକମାନେ ରାଜ୍ୟ ବାହାରକୁ ଯାଇ କର୍ମସଂସ୍ଥାନ ଯୋଗାଡ କରୁଥିଲେ । ବର୍ତ୍ତମାନ କରୋନା ଲକଡାଉନ ସେମାନଙ୍କ ଜୀବିକାକୁ ଉଚ୍ଛେଦ କରିଛି । ପରିବାର ପ୍ରତିପୋଷଣ ପାଇଁ ସେମାନଙ୍କ ରୋଜଗାର ପ୍ରତିବନ୍ଧକ ସାଜିଛି।

publive-image The Hans India

ରାଜ୍ୟ ସରକାରଙ୍କ ପକ୍ଷରୁ କେବଳ ଏମଜିଏନଆରଇଜିଏସ ଯୋଜନାରେ କର୍ମ ନିଯୁକ୍ତି ପ୍ରଦାନ କରାଯାଉଛି । ଏହା କୁଶଳୀ ଶ୍ରମିକ ମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସେମାନଙ୍କୁ ଥଇଥାନ କରାନଗଲେ କିଭଳି ପରିବାର ପ୍ରତିପୋଷଣ କରିବେ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ପୂର୍ବରୁ ଜିଲ୍ଲାରେ ଥିବା ଶ୍ରମିକମାନେ ଜବକାର୍ଡ କରିଥିବା ବେଳେ ବହୁ ପ୍ରବାସୀ ଶ୍ରମିକ ମାନଙ୍କ ଜବ୍‌କାର୍ଡ ମଧ୍ୟ ନାହିଁ । ମନରେଗା କାମ ବହୁ ପଞ୍ଚାୟତରେ କେବଳ କାଗଜକଲମରେ ଚାଲିଛି । ଫଳରେ ପ୍ରବାସୀ ଶ୍ରମିକ ମାନଙ୍କ ଥଇଥାନ ମଧ୍ୟ ଧର୍ମକୁ ଆଖିଠାର ସାଜିଛି । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକରେ ଏପର୍ଯ୍ୟନ୍ତ ୨୪୬୧୧ ଜଣ, ଧର୍ମଗଡ ବ୍ଲକରେ ୧୦୨୬୨ ଜଣ , ଗୋଲାମୁଣ୍ଡା ବ୍ଲକରେ ୧୯୮୦୫ ଜଣ, ଜୟପାଟଣା ବ୍ଲକରେ ୯୦୮୯୨ ଜଣ , ଜୁନାଗଡ ବ୍ଲକରେ ୧୦୧୨୨ ଜଣ , କଲମପୁର ବ୍ଲକରେ ୩୩୪୫ ଜଣ , କର୍ଲାମୁଣ୍ଡା ବ୍ଲକରେ ୫୨୪୩ ଜଣ, କେସିଙ୍ଗା ବ୍ଲକରେ ୧୧୩୭୨ ଜଣ, କୋକସରା ବ୍ଲକରେ ୧୧୨୪୭ ଜଣ, ଲାଞ୍ଜିଗଡା ବ୍ଲକରେ ୧୪୮୦୨ ଜଣ , ମଦନପୁର ରାମପୁର ବ୍ଲକରେ ୧୩୭୬୧ ଜଣ, ନର୍ଲା ବ୍ଲକରେ ୯୫୭୯ ଜଣ, ଥୁଆମୁଳ ରାମପୁର ବ୍ଲକରେ ୧୩୧୪୭ ଜଣ କର୍ମ ନିଯୁକ୍ତି ପାଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ଲକଡାଉନ ସମୟରେ କେବଳ ମନରେଗା କାମ ହିଁ ରୋଜଗାରର ଏକମାତ୍ର ମାଧ୍ୟମ ହୋଇଛି । ଆଗକୁ ଲୋକଙ୍କ କର୍ମସଂସ୍ଥାନ ପାଇଁ ବିକଳ୍ପ ବ୍ୟବସ୍ଥା କରାନଗଲେ ସେମାନଙ୍କ ଚୁଲି ଜଳିବା କଷ୍ଟକର ହୋଇ ପଡିବ। ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ କର୍ମ ନିଯୁକ୍ତି ସୃଷ୍ଟି କରାନଗଲେ ଜିଲ୍ଲାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ସାଧାରଣରେ ଦାବୀ ହୋଇଛି।