ଓଡ଼ିଶାରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଭଲରେ ରଖ: ଶ୍ରମ ସଚିବ

ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ଚିଠି

ଭୁବନେଶ୍ବର : ତାଲାବନ୍ଦ ଯୋଗୁଁ ଓଡ଼ିଶାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କ ଭଲ କରି ଯତ୍ନ ନିଅ। ଶ୍ରମିକ ଅଶାନ୍ତି ନେଇ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖିବା ପରେ ରାଜ୍ୟ ଶ୍ରମ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆଜି ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ଚିଠି ଲେଖିଛନ୍ତି। ପ୍ରବାସୀ ଶ୍ରମିକମାନଙ୍କୁ ମର୍ଯ୍ୟାଦାର ସହ ରଖିଥିବା ସୋନପୁର, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାପାଳମାନଙ୍କ ଉଦ୍ୟମକୁ ଶ୍ରୀମତୀ ଗର୍ଗ ଭୂୟଶୀ ପ୍ରଶଂସା କରିଛନ୍ତି।

ଶ୍ରମ ବିଭାଗ ପ୍ରମୁଖ ସଚିବ ନ୍ତି, ନିଜ ନିଜ ଜିଲ୍ଲାରେ ଥିବା କ୍ୟାମ୍ପମାନଙ୍କରେ କେତେ ପ୍ରବାସୀ ଶ୍ରମିକ ରହିଛନ୍ତି, ସେମାନଙ୍କ ଅବସ୍ଥା ସମ୍ପର୍କରେ ଜିଲ୍ଲାପାଳମାନେ ତୁରନ୍ତ ସମୀକ୍ଷା କରିବେ। ଶ୍ରମିକମାନେ ଯେପରି ସୁସ୍ଥ ପରିବେଶରେ ରହିବେ ଓ ଖାଇବେ ସେଥିପାଇଁ ନୋଡାଲ ଅଧିକାରୀ ନିଯୁକ୍ତ କରାଯିବ। ପ୍ରତ୍ୟେକ ରିଲିଫ୍‌ କ୍ୟାମ୍ପ୍‌ରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ଇନ୍‌ଚାର୍ଜ ରହିବେ। ରିଲିଫ୍‌ କ୍ୟାମ୍ପ୍‌ରେ ସେମାନଙ୍କ ହାତ ଧୁଆ ପାଇଁ ପର୍ଯ୍ୟାପ୍ତ ପରିମାଣରେ ସାବୁନ୍‌, ଡିଟରଜେଣ୍ଟ୍‌ ଓ ସାନିଟାଇଜର ବ୍ୟବସ୍ଥା କରାଯିବ। ପ୍ରବାସୀ ଶ୍ରମିକମାନଙ୍କ ମାନସିକ ସନ୍ତୁଳନ ଠିକ୍‌ ରହିବା ପାଇଁ ଅଭିଜ୍ଞ ସମ୍ପନ୍ନ ମନସ୍ତତ୍ତ୍ବବିତ୍‌ ନିୟୋଜିତ କରି ପରାମର୍ଶ ବି ଦିଆଯିବ। ସେମାନଙ୍କ ଅବସ୍ଥା ସମ୍ପର୍କରେ ନିୟମିତ ତଦାରଖ କରି ବିଭାଗକୁ ରିପୋର୍ଟ ପ୍ରଦାନ କରିବାକୁ ସେ କହିଛନ୍ତି।

ପ୍ରବାସୀ ଶ୍ରମିକମାନଙ୍କ ଗହଣରେ ଥିବା ଝିଅ ଓ ମହିଳାମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ରଖାଯିବ। ସେମାନଙ୍କ ପାଇଁ ମୋବାଇଲ ମେଡିକାଲ ୟୁନିଟ୍‌ର ବ୍ୟବସ୍ଥା କରାଯିବ। କରୋନା ବିଷୟରେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଭାଷାରେ ସଚେତନ ସୃଷ୍ଟି ପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ସେମାନଙ୍କ ଭିତରୁ କେତେଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରି ଦାୟିତ୍ବ ନ୍ୟସ୍ତ କରାଯିବ। ଏପରିକି ନିଜ ଜିଲ୍ଲାରେ ପ୍ରବାସୀ ଶ୍ରମିକମାନଙ୍କ ଭାଷା କହିପାରୁଥିବା ବ୍ୟକ୍ତିମାନଙ୍କ ସହାୟତା ବି ନିଆଯାଇପାରିବ। କ୍ୟାମ୍ପଗୁଡ଼ିକର ପରିଷ୍କାର ପରିଚ୍ଛନତା, ସାନିଟାଇଜେସନ୍‌, ଟଏଲେଟ୍‌ ସଫା ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ଶ୍ରମିକମାନଙ୍କୁ ମାସ୍କ୍‌, ମଶାରି, ସାନିଟାରୀ ନାପକିନ୍‌ ଆଦି ଯୋଗାଇବା ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ କିମ୍ବା ସାମାଜିକ ଦାୟିତ୍ବ ତୁଲାଉଥିବା କମ୍ପାନିଙ୍କ ସହାୟତା ନିଆଯାଇପାରିବ। ବିଶେଷକରି ଶିଶୁମାନଙ୍କ ଖାଦ୍ୟ, ବିସ୍କୁଟ୍‌ ଓ ସେମାନଙ୍କର ନିୟମିତ ମେଡିକାଲ୍‌ ପରୀକ୍ଷା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ କ୍ଷେତ୍ରରେ ପ୍ରବାସୀ ଶ୍ରମିକମାନେ ରନ୍ଧା ଖାଦ୍ୟ ବଦଳରେ ନିଜେ ରୋଷେଇ କରି ଖାଇବାକୁ ପସନ୍ଦ କରୁଛନ୍ତି। ଏଭଳି କ୍ଷେତ୍ରରେ ସେମାନଙ୍କୁ ଆବଶ୍ୟକ ରାସନ ସାମଗ୍ରୀ ଯୋଗାଇବା ପାଇଁ ବ୍ୟବସ୍ଥା କରିବାକୁ ଶ୍ରୀମତୀ ଗର୍ଗ ଜଣାଇଛନ୍ତି।

ସମ୍ବନ୍ଧିତ ଖବର