ମାନସିକ ଚାପରେ ପ୍ରବାସୀ ଶ୍ରମିକ, ମାସକରେ ୧୪ ହଜାରଙ୍କୁ କାଉନସେଲିଂ

କଟକ : କରୋନା କଣ? କଣ ପ‌ାଇଁ ଆମକୁ ସଙ୍ଗରୋଧରେ ରଖାଯିବ? ଆମକୁ ରାତିରେ ନିଦ ଆସୁନି। କାମ ବି ମିଳୁନି, ପରିବାର ଚଳିବ କେମିତି? ଘରଠାରୁ ଦୂରରେ ତଥା‌ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଅନେକ ପ୍ରବାସୀ ଶ୍ରମିକଙ୍କ ମନକୁ ଆନ୍ଦୋଳିତ କରୁଛି ଏହିଭଳି ପ୍ରଶ୍ନ। ଆଉ, ସେଥିରୁ ସେମାନଙ୍କୁ ନିବୃତ୍ତ କରି ସୁସ୍ଥ ମାନସିକ ସ୍ଥିତିରେ ରଖିବା ପାଇଁ କରାଯାଉଛି କାଉନ୍‌ସେଲିଂ। ସେମାନଙ୍କ ମନକୁ ହାଲୁକା କରିବା ପାଇଁ ୪ଶହ କାଉନସେଲର ଚଳାଇଛନ୍ତି ପ୍ରୟାସ। ମାସକରେ ୭୬୫ ଶ୍ରମିକ କ୍ୟାମ୍ପ୍‌ ଓ ସଙ୍ଗରୋଧ କେନ୍ଦ୍ରରେ ୧୪,୩୫୯ଜଣ ଶ୍ରମିକଙ୍କୁ କରାଯାଇଛି କାଉନସେଲିଂ। ଏସ୍‌ସିବି ମାନସିକ ପ୍ରତିଷ୍ଠାନ ପକ୍ଷରୁ ତାଲିମ ନେଇଥିବା ୪ଶହ କାଉନ୍‌ସେଲର ରାଜ୍ୟ ତଥା ରାଜ୍ୟ ବାହାରେ ଅଟକିଥିବା ଶ୍ରମିକମାନଙ୍କୁ ମଧ୍ୟ କାଉନସେଲିଂ କରୁଛନ୍ତି।

ତଥ୍ୟ ମୁତାବକ, କରୋନା ସାରା ବିଶ୍ବ ପାଇଁ ସଙ୍କଟ ସୃଷ୍ଟି କରିଥିବା ବେଳେ ଏହାର ପ୍ରଭାବରେ ଅନେକ ‌ବ୍ୟକ୍ତି ମାନସିକ ସନ୍ତୁଳନ ହରାଇ ବସୁଛନ୍ତି। ବିଶେଷ କରି ରାଜ୍ୟ ବାହାରେ ଫସି ରହିଥିବା ଓ ଗାଁକୁ ଫେରି ଆସିଥିବା ଅନେକ ଲୋକ ଏବେ ମାନସିକ ଦୁଶ୍ଚିନ୍ତାରେ। ଅନେକ ଲୋକଙ୍କୁ ରାତିରେ ଠିକ୍‌ ଭାବରେ ନିଦ ମଧ୍ୟ ହେଉନି। ଏହାକୁ ନେଇ ମାନସିକ ରୋଗ ଏକ ବଡ଼ ସଙ୍କଟଜନକ ସ୍ଥିତି ସୃଷ୍ଟି କରିବା ଆଶଙ୍କା କରାଯାଉଛି। ଫଳରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏସ୍‌ସିବି ମାନସିକ ପ୍ରତିଷ୍ଠାନର ବିଶେଷଜ୍ଞଙ୍କୁ ନେଇ ମାସେ ହେଲା ପରାମର୍ଶ ଯୋଜନା ଆରମ୍ଭ କରିଛି। ଗତମାସ ୬ତାରିଖରୁ ଆରମ୍ଭ ହୋଇଥିବା ଏହି ପରାମର୍ଶ କାର୍ଯ୍ୟକ୍ରମରେ ମାନସିକ ବିଭାଗରୁ ତାଲିମ ନେଇଥିବା କ‌ାଉନସେଲରମାନେ ପ୍ରଥମ ଦିନରେ ୧୨ଜଣ ଶ୍ରମିକଙ୍କୁ କାଉନସେଲିଂ କରିଥିଲେ। ମାସକରେ ୭୬୫ ଟିଏମ୍‌ସି, ଶ୍ରମିକ ଅଟକିଥିବା କ୍ୟାମ୍ପରେ ବିଭିନ୍ନ ଜିଲ୍ଲାପାଇଁ ନିଯୁକ୍ତି ପାଇଥିବା କାଉନସେଲରମାନେ ସେମାନଙ୍କୁ ପରାମର୍ଶ ଦେଉଥିବା ଜଣାପଡିଛି। ଦୈନିକ ଉକ୍ତ କାଉନ୍‌ସେଲର୍‌ମାନେ ୬୪ଟି ଲେଖାଏ କେନ୍ଦ୍ରରେ ପହଞ୍ଚି ୯ଶହରୁ ଅଧିକ ଶ୍ରମିକଙ୍କୁ ପରାମର୍ଶ ଦେବା ସହ ତାଙ୍କ ମାନସିକ ସ୍ଥିତି ସନ୍ତୁଳନ ରଖିବା ସଂପର୍କରେ ପରାମର୍ଶ ଦେଉଥିବା ସୂଚନା ମିଳିଛି। ତାଛଡ଼ା, ସେମାନଙ୍କୁ ଚାପମୁକ୍ତ ରହିବା ପାଇଁ ପରାମର୍ଶ ବି ଦେଉଛନ୍ତି। ତେବେ, ବର୍ତ୍ତମାନ କେବଳ ଶ୍ରମିକ ନୁହନ୍ତି, ରୋଜଗାର ହରାଇଥିବା ବ୍ୟକ୍ତି, ସେମାନଙ୍କ ପୁଅ-ଝିଅ ଓ ବାହା‌ରେ ରହୁଥିବା ବୟସ୍କଙ୍କ କ୍ଷେତ୍ରରେ ଅଧିକ ମାନସିକ ଚାପ ବା ଛାନିଆ ରୋଗ ଅଧିକ ଦେଖିବାକୁ ମିଳୁଛି ବୋଲି ଏସ୍‌ସିବି ମାନସିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ବାଇଁ ସୂଚନା ଦେଇଛନ୍ତି। ଲକ୍‌ଡାଉନ୍‌ ଫିଟିବା ପରେ ବହିରାଗତଙ୍କ ଘରବାହୁଡ଼ା ପରେ ଏହି ସମସ୍ୟା ଅଧିକ ଜଟିଳ ହେବାର ଆଶଙ୍କା କରାଯାଉଛି। ଏଥିପାଇଁ ସ୍ବାସ୍ଥ୍ୟବିଭାଗ ମାନସିକ ବିଶେଷଜ୍ଞଙ୍କୁ ଅଧିକ ସତର୍କ ଓ ସଜାଗ ରହି ଲୋକଙ୍କୁ ମାନସିକ ଦୁଶ୍ଚିନ୍ତା‌ରୁ ମୁକୁଳାଇବା ଦିଗରେ କାର୍ଯ୍ୟ କରିବା ଉପରେ ଗୁରୁତ୍ବ ଦିଆଯାଉଛି।

ସମ୍ବନ୍ଧିତ ଖବର