ଜନ୍ମଭୂମି ମୋହ : ମୃତ୍ୟୁକୁ ଖାତିର ନାହିଁ

ବସ୍‌ ଦୁର୍ଘଟଣାରେ ଯାଇଥିଲା ୨ଜଣଙ୍କ ଜୀବନ

ଅସୁସ୍ଥ ହୋଇ ପ୍ରାଣ ହରାଇ ଥିଲେ ଜଣେ
ସୁରତରୁ ସାଇକେଲ୍‌ରେ ଆସିଥିଲେ ୧୮ ଶ୍ରମିକ

ବ୍ରହ୍ମପୁର : ଲକ୍‌ଡାଉନ୍‌ରେ ଅଟକିଗଲା ଜୀବନଜୀବିକା ରଥ। ପାଖରେ ଥିବା ସଞ୍ଚିତ ଅର୍ଥ ସରିଗଲା। କାହାକୁ କଂପାନି ମାଲିକ ତଡ଼ି ଦେଲା ତ ଆଉ କିଏ ଘରମାଲିକଙ୍କ ଆକ୍ରୋଶର ଶିକାର ହେଲା। ସେପଟେ ପେଟର ଅସମ୍ଭାଳ ଭୋକ ବାରମ୍ବାର ଭିଟାମାଟିକୁ ଫେରିବାକୁ ସେମାନଙ୍କୁ ବାଧ୍ୟ କରିଥିଲା। ପିଲାଛୁଆ ଧରି କିଏ ସୁଦୂର ଚେନ୍ନାଇ, ମୁମ୍ବାଇରୁ ଚାଲି ଚାଲି ଆସିଲା ତ, ଆଉ କିଏ ସୁରତରୁ ସାଇକେଲ୍‌ରେ ପହଞ୍ଚି‌ଲେ। ଆଉ କିଏ ସର୍ବସ୍ବାନ୍ତ ହୋଇ ସଞ୍ଚିତ ଅର୍ଥରେ ଡଙ୍ଗା କିଣି ସମୁଦ୍ରପଥରେ ଭିଟାମାଟିକୁ ଫେରିଲେ। କର୍ମଭୂମିରୁ ଜନ୍ମଭୂମି ପର୍ଯ୍ୟନ୍ତ ଯାତ୍ରା ସେମାନଙ୍କ ପାଇଁ ଯନ୍ତ୍ରଣାଦାୟକ ପାଲଟିଯାଇଥିଲା। ଦୁର୍ଘଟଣାରେ କିଏ ଜୀବନ ହାରିଲା ତ, ଆଉ କିଏ ଅସୁସ୍ଥ ହୋଇ ପ୍ରାଣ ହରାଇଥିଲା। ଭିଟାମାଟିକୁ ସେମାନଙ୍କ ଶବ ଫେରିଥିଲା। ଖାଲି ଏତିକି ନୁହେଁ, ଜନନୀ ଯନ୍ତ୍ରଣା ମଧ୍ୟ ଏଥିରୁ ବାଦ ପଡ଼ି ନଥିଲା। ଜୀବନକୁ ବାଜି ଲଗାଇ କୋଷ କୋଷ ବାଟ ଚାଲିଥିଲେ ଗର୍ଭବତୀ।

ଗଞ୍ଜାମ ଜିଲ୍ଲାକୁ ଏହା ଭିତରେ ସହସ୍ରାଧିକ ଶ୍ରମିକ ସେମାନଙ୍କ ଭିଟାମାଟିକୁ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ସୁରତ ଫେରନ୍ତା।

ସୂତାକଳରେ ଗଞ୍ଜାମ ଜିଲ୍ଲାର ହଜାର ହଜାର ଶ୍ରମିକ କାମ କରୁଥିଲେ। ଲକ୍‌ଡାଉନ୍ ପରେ କାରାଖାନା ବନ୍ଦ ଯୋଗୁଁ ସେମାନେ ରୋଜଗାର ହରାଇଥିଲେ। ସଞ୍ଚିତ ଟଙ୍କାରେ କିଛି ଦିନ ବଞ୍ଚିଥିବା ବେଳେ ତାହା ମଧ୍ୟ ଶେଷ ହେବାରେ ଲାଗିଥିଲା। ମାଲିକ ଟଙ୍କା ନେବାରୁ ଘର ମାଲିକ ବି ‌ତଡ଼ି ଦେଇଥିଲେ। ଏଭଳି ସ୍ଥିତିରେ ଆଉ ‌କେତେ ଦିନ ସେଠାରେ ରହିବେ ବୋଲି ମନସ୍ଥ କରି ନିଜ ନିଜ ଉପାୟରେ ଘର ବାହୁଡ଼ିବା ଆରମ୍ଭ କରିଥିଲେ। ମାସାଧିକ କାଳ ଦୁଃଖ ଦୁର୍ଦ୍ଦଶା ଭୋଗିବା ପରେ ବସ୍ ଭଡ଼ା କରି ସୁରତରୁ ଶ୍ରମିକମାନେ ଗାଁକୁ ଫେରିବାକୁ ଲାଗିଲେ।

ଗତ ୨ ତାରିଖ ରାତିରେ ୫୦ରୁ ଊର୍ଦ୍ଧ୍ବ ଶ୍ରମିକଙ୍କୁ ନେଇ ଗୋଟିଏ ବସ୍ ସୁରତରୁ ଫେରୁଥିବା ବେଳେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ଗାର୍ଡ଼ୱାଲ୍‌କୁ ଧକ୍କା ଦେଇଥିଲା। ବସ୍ ଭିତରେ ଚାପି ହୋଇ ବୁଗୁଡ଼ା ବ୍ଲକ୍‌ର ଦୁଇ ଜଣ ସନ୍ତୋଷ କୁମାର ସ‌େଠୀ ଓ ଚିତ୍ତରଞ୍ଜନ ସେଠୀଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାକୁ ୧୨ ଘଣ୍ଟା ନବିତୁଣୁ ଗତ ୩ ତାରିଖ ସକାଳେ ପୁଣି ଗୋଟିଏ ବସ୍ କଳିଙ୍ଗା ଘାଟିରେ ଗୋଟିଏ ଟ୍ରକ୍ ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୫ଜଣ ଆହତ ହୋଇଥିଲେ। ସେହିପରି ଅନ୍ୟ ଏକ ବସ୍‌ରେ ଫେରୁଥିବା ସମୟରେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ ନାରାୟଣପୁର ଗ୍ରାମର ପ୍ରକାଶ ଗୌଡ଼ଙ୍କ ଅସୁସ୍ଥତା ଯୋଗୁଁ ମୃତ୍ୟୁ ହୋଇଥିଲା।

ସେହିପରି ସୁରତରୁ ବୁଗୁଡ଼ା, ସୋରଡ଼ା, ପୋଲସରା ଓ ଆସିକା ବ୍ଲକ୍‌ର ୧୮ଜଣ ଶ୍ରମିକ ସାଇକେଲ୍‌ରେ ଫେରିଥିଲେ। ୧୫ରୁ ୧୬ ଦିନ ଧରି ସେମାନେ ବିଭିନ୍ନ ରାଜ୍ୟର ସୀମା ଅତିକ୍ରମ କରି ଭିଟାମାଟି‌ରେ ପହଞ୍ଚିବାକୁ ସକ୍ଷମ ହୋଇଥିଲେ। ଏଥିପାଇଁ କିଛି ସ୍ଥାନରେ ସେମାନଙ୍କୁ ପୁଲିସର ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ବିସ୍କୁଟ୍ ଓ ମିକ୍ସଚର୍‌ ଖାଇ ସେମାନେ ଭୋକ ମେଣ୍ଟାଉଥିବା ସହ ଗଛ ମୂଳେ କିମ୍ବା ନଦୀପଠାରେ ‌ଶୋଇ ରାତି କଟାଉଥିଲେ। ସେହିପରି ଶେରଗଡ଼ ବ୍ଲକ୍‌ ଅଧୀନ ନରେନ୍ଦ୍ରପୁର ଓ ଧବଳପୁର ଗ୍ରାମର ୧୦ ଜଣ ଶ୍ରମିକ ଚାଲି ଚାଲି ଚେନ୍ନାଇରୁ ଭିଟାମାଟିକୁ ଫେରିଥିଲେ। ସେହିପରି ଚେନ୍ନାଇରୁ ଡଙ୍ଗା କିଣି ସମୁଦ୍ରପଥରେ ୩ଟି ପର୍ଯ୍ୟାୟରେ ୭୦ରୁ ଅଧିକ ମତ୍ସ୍ୟଜୀବୀ ଚିକିଟି ବ୍ଲକ୍ ପାତିସୁନାପୁର ଓ ଛତ୍ରପୁର ବ୍ଲକ୍ ଆର୍ଯ୍ୟପଲ୍ଲୀରେ ପହଞ୍ଚିଥିଲେ। କିନ୍ତୁ ଏହି ଯାତ୍ରା ସେମାନଙ୍କ ପାଇଁ ଜୀବନର ସବୁଠୁ ଭୟାନକ ସମୟ ଥିଲା ବୋଲି ସେମାନେ ବଖାଣିଥିଲେ। ବ୍ରହ୍ମପୁର ଅଞ୍ଚଳରେ କାମ କରୁଥିବା ୮୦ ଜଣ ଶ୍ରମିକ ଚାଲି ଚାଲି ବଲାଙ୍ଗୀର ଫେରୁଥିବାବେଳେ ସେମାନଙ୍କୁ ଭଞ୍ଜନଗର ବ୍ଲକ୍‌ରେ ସଙ୍ଗରୋଧ କେନ୍ଦ୍ରରେ ୧୫ ଦିନ ରଖାଯାଇ ପ୍ରଶାସନ ବସ୍ କରି ସେମାନଙ୍କୁ ନିଜ ଗାଁକୁ ପଠାଇଥିଲା। ସେଥିମଧ୍ୟରେ ଜଣେ ଗର୍ଭବତୀ ମହିଳା ୮୦ କିଲୋମିଟର ଚାଲି ଚାଲି ଆସିବା ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା। ଶ୍ରୀକାକୁଲମ୍‌ର ଏକ ସଙ୍ଗରୋଧ କେନ୍ଦ୍ରରେ ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକ୍‌ର ୩୬ଜଣ ଯୁବକ ସଙ୍ଗରୋଧ ଅବଧି ସାରି ଦୀର୍ଘ ୩୭ ଦିନ ଧରି ଫସିରହିଥିଲେ। ଏଥିପାଇଁ ସେମାନଙ୍କୁ ପୁଲିସର ଲାଠିମାଡ଼ ସହ ଅନେକ ଯନ୍ତ୍ରଣା ସହିବାକୁ ପଡ଼ିଥିଲା। ଶେଷ‌ରେ ସେମାନେ ସମୂହ ଆତ୍ମହତ୍ୟା ଧମକ ଦେବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ସମସ୍ତଙ୍କୁ ଭିଟାମାଟିକୁ ଆଣିଛି। ଗତକାଲି ଅନ୍ୟ ରାଜ୍ୟରୁ ୨୩ଜଣ ଶ୍ରମିକ ଚାଲି ଚାଲି ଟାଇଁ ଟାଇଁ ଖରାରେ ଯା‌ଉଥିବା ବେଳେ ପ୍ରଶାସନ ସମସ୍ତଙ୍କୁ ଉଦ୍ଧାର କରିଛି। ଗତ ୨ ଦିନ ତଳେ କରାଖଣ୍ଡି ଗ୍ରାମର ୫୬ ଜଣ ଶ୍ରମିକ ବଲାଙ୍ଗୀର ଚାଲି ଚାଲି ଯାଉଥିବା ବେଳେ ସୋରଡ଼ା ପୁଲିସ ସେମାନଙ୍କୁ ବସ୍ ଯୋଗେ ପଠାଇଥିଲା।

ସମ୍ବନ୍ଧିତ ଖବର