ହାଇକୋର୍ଟରେ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପ୍ରସଂଗ : ଆବେଦନକାରୀଙ୍କ ପକ୍ଷରୁ ଅତିରିକ୍ତ ସତ୍ୟପାଠ

ତେଲେଙ୍ଗାନା ଓ ତାମିଲନାଡ଼ୁରେ ଫସି ରହିଛନ୍ତି ବହୁ ଇଟାଭାଟି ଶ୍ରମିକ
ନିଜ ଖର୍ଚ୍ଚରେ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଅର୍ଥ ଦିଆଯାଉ
ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ

କଟକ : ପ୍ରବାସୀ ଶ୍ରମିକଙ୍କ ଯାତାୟାତ ଓ ସୁରକ୍ଷା ପ୍ରସଂଗ ସଂପର୍କିତ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଦାଖଲ ଅତିରିକ୍ତ ସତ୍ୟପାଠ ଉପରେ ଜବାବ ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମ ଓ ଇଏସଆଇ ବିଭାଗ ସ୍ବତନ୍ତ୍ର ସଚିବ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିଥିବା ବେଳେ ଆବେଦନକାରୀ ପ୍ରଫୁଲ୍ଲ ସାମନ୍ତରା ଆଜି ଅତିରିକ୍ତ ସତ୍ୟପାଠ ଦାଖଲ କରି ଏବେ ବି ବହୁ ପ୍ରବାସୀ ଓଡ଼ିଆ ଶ୍ରମିକ ନିଜ ରାଜ୍ୟକୁ ଫେରି ନପାରି ବାହରେ ଅଟକି ରହିଥିବା ଦର୍ଶାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଜୁଲାଇ ୧୦ ତାରିଖ ସୁଦ୍ଧା ଅତିରିକ୍ତ ସତ୍ୟପାଠ ଉପରେ ଜବାବ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀଙ୍କ ଅତିରିକ୍ତ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ, ପ୍ରବାସୀ ଶ୍ରମିକଙ୍କ ସୁରକ୍ଷିତ ଯାତାୟତ ପାଇଁ କିଛି ନିର୍ଦ୍ଦିଷ୍ଟ ଗାଇଡଲାଇନ ନ ଥିବାବେଳେ ଏବେ ବି ଶ୍ରମିକମାନେ ବିପଦପୂର୍ଣ୍ଣ ଭାବେ ଓ ବହୁକଷ୍ଟରେ ଘରକୁ ‌ଫେରୁଛନ୍ତି। ନିଜ ଖର୍ଚ୍ଚରେ ବହୁ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଛନ୍ତି। ପ୍ରବାସୀଙ୍କ ନିକଟରୁ ବସ୍ ଓ ଟ୍ରେନ୍ ଯାତ୍ରା ଟିକଟ ଖର୍ଚ୍ଚ ନ ନେବାକୁ ସୁପ୍ରିମ‌କୋର୍ଟଙ୍କ ନିର୍ଦ୍ଦେଶ ରହିଥିବାବେ‌ଳେ ରାଜ୍ୟକୁ ଫେରିବା ପାଇଁ ପ୍ରବାସୀମାନେ ଯେଉଁ ଅର୍ଥ ଖର୍ଚ୍ଚ କରିଥିଲେ, ତାହା ସେମାନଙ୍କୁ ଫେରାଇବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ତେଲେଙ୍ଗାନାରେ ଫସି ରହିଥିବା ଓଡ଼ିଆ ଇଟାଭାଟି ଶ୍ରମିକଙ୍କ ପ୍ରସଂଗରେ ତେଲେଙ୍ଗାନା ହାଇକୋର୍ଟରେ ଶୁଣାଣିବେଳେ ସ୍ପଷ୍ଟ ହୋଇଥିଲା ଯେ, ୧୫ ହଜାର ୮୮୦ ଜଣ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି। ତେଲେଙ୍ଗାନା ସରକାର ଜୁନ୍ ୬ରୁ ୫ଟି ଶ୍ରିମକ ସ୍ବତନ୍ତ୍ର ଟ୍ରେନ୍ କରି ଏପରି ଶ୍ରମିକଙ୍କ ଘରକୁ ଫେରିବାକୁ ବନ୍ଦୋବସ୍ତ କରିଥିଲେ। କିନ୍ତୁ ସାମାଜିକ ଦୂରତ୍ବ ନିୟମ ଯୋଗୁଁ ଗୋଟିଏ ଟ୍ରେନରେ ୧୨ଶହ ଜଣ ଯାତ୍ରୀ ଆସିପାରୁଛନ୍ତି। ତେଣୁ ଏବେ ବି ତେଲେଙ୍ଗାନାରେ ବହୁ ଓଡ଼ିଆ ଶ୍ରମିକ ଘରକୁ ଫେରି ନ ପାରି ଫସି ରହିଛନ୍ତି।

ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଗୁଡିକରେ ପଞ୍ଜୀକରଣ ପ୍ରକ୍ରିୟା ଜଟିଳ ହୋଇଥିବାବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଏହା ସମସ୍ୟା ବଢାଇ ଦେଇଛି। ବହୁ ପ୍ରବାସୀ ଶ୍ରମିକ ସ୍ଥାନୀୟ ଭାଷା ବିଷୟରେ ଅଜ୍ଞ ଥିବାବେଳେ ସେମାନେ ଶ୍ରମିକ ଟ୍ରେନ୍ ସଂକ୍ରାନ୍ତରେ ଜାଣି ପାରୁ ନାହାନ୍ତି। ଏଥିପାଇଁ ରାଜ୍ୟ ସରକାର ଟିଭି, ରେଡିଓ ଓ ଅନ୍ୟ ଗଣମାଧ୍ୟମରେ ଓଡ଼ିଆରେ ଏ ସଂପର୍କିତ ତଥ୍ୟ ପ୍ରଚାର/ପ୍ରସାର କରିବା ଆବଶ୍ୟକ। ତେଲେଙ୍ଗାନା ଓ ତାମିଲନାଡୁରେ ଫସି ରହିଥିବା ଓଡ଼ିଆ ଇଟାଭାଟି ଶ୍ରମିକଙ୍କ ଚିହ୍ନଟ ଓ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାଥମିକତା ଭିତ୍ତିରେ ବସ୍ ବ୍ୟବସ୍ଥା କରାଯିବା ଉଚିତ ବୋଲି ଅତିରିକ୍ତ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଈଶ୍ବର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର