୨ ହଜାର ଟଙ୍କା ସହାୟତା ରାଶିରୁ ପ୍ରବାସୀ ଶ୍ରମିକଙ୍କ ରେଳ ଭଡ଼ା କାଟିବା ପ୍ରସଙ୍ଗ : ତାତିଲେ ବିରୋଧୀ

ଜିଜିଆ କର ବୋଲି କଟାକ୍ଷ କଲେ ପିସିସି ସଭାପତି
ବିଜେପି କହିଲା ପ୍ରବାସୀ ଶ୍ରମିକଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ଚଞ୍ଚକତା
ବିରୋଧୀଙ୍କ କଥାକୁ ବାଏଁ ବାଏଁ ଉଡ଼ାଇଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ବର : ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଧୀରେ ଧୀରେ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି। ପ୍ରତିଦିନ ବିରୋଧୀ ପ୍ରବାସୀଙ୍କ ପାଇଁ ସରକାରଙ୍କୁ ଗୁହାରି କରିଚାଲିଛନ୍ତି। ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ବାବଦରେ ରେଳ ଭଡ଼ା ଅର୍ଥ ସେମାନଙ୍କୁ ପ୍ରଦାନ କରିବାକୁ ଥିବା ୨ ହଜାର ଟଙ୍କା ସହାୟତା ରାଶିରୁ ଭରଣା କରାଯିବ ବୋଲି ସରକାର ଘୋଷଣା କଲେ। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ସରକାର ଔରଙ୍ଗଜେବ୍‌ଙ୍କ ପରି ଶ୍ରମିକମାନଙ୍କଠାରୁ ଜିଜିଆ କର ଆଦାୟ କରିବାକୁ ଯାଉଛନ୍ତି କି ବୋଲି କଂଗ୍ରେସ କଟାକ୍ଷ କରିଥିଲା ‌ବେଳେ ଏହା ବିରୋଧରେ ସ୍ବର ଉଠିବ ବୋଲି ବିଜେପି ଚେତାବନୀ ଦେଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ରବାସୀଙ୍କ ରେଳ ଟିକେଟ୍‌ ବାବଦରେ ୮୫% ଅର୍ଥ କେନ୍ଦ୍ର ସରକାର ଓ ୧୫% ଅର୍ଥ ରାଜ୍ୟ ସରକାର ବହନ କରିବା କଥା ଆଗରୁ କେବେ ବି ନ ଥିଲା ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି।

ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍‌ ବିବୃତି ଜାରି କରି କହିଛନ୍ତି, ଚଳିତ ମାସ ୪ ତାରିଖରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜ୍ୟକୁ ଫେରିବାକୁ ଥିବା ପ୍ରବାସୀ ଶ୍ରମିକମାନଙ୍କ ରେଳ ଭଡ଼ା ଖର୍ଚ୍ଚ କଂଗ୍ରେସ ବହନ କରିବ ବୋଲି ପ୍ରସ୍ତାବ ଦେଲେ। ସେହି ଅନୁଯାୟୀ ଗଲା ୭ ତାରିଖରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟାନ୍ୟ ସରକାରୀ ଅଫିସରଙ୍କୁ ଜଣାଇଦିଆଗଲା। ପଞ୍ଜୀକରଣ କରିଥିବା ଶ୍ରମିକମାନଙ୍କ ତାଲିକା ଦେବାକୁ ଅନୁରୋଧ କରାଯାଇଥିଲେ ବି ସରକାର ଶୁଣିଲେ ନାହିଁ। ଏପରିକି ଆଲୋଚନା କରିବା ପାଇଁ ସମୟ ବି ଦେଲେନି। ସରକାର ନିଜେ କହିଥିଲେ ଶ୍ରମିକମାନଙ୍କ ରେଳ ଭଡ଼ା ବାବଦରେ ୮୫% ଅର୍ଥ କେନ୍ଦ୍ର ଓ ୧୫% ଅର୍ଥ ରାଜ୍ୟ ବହନ କରିବ। ଶ୍ରମିକମାନେ ଜୀବିକା ହରାଇଥିବାରୁ ସେମାନଙ୍କୁ ୫ ହଜାର ଟଙ୍କା ଦେବାକୁ ଦଳ ଅନୁରୋଧ କରିଥିଲା। କିନ୍ତୁ ତାହା ତ କଲେନି, ଅନ୍ୟପଟେ ସରକାର ଘୋଷଣା କରିଥିବା ୨ ହଜାର ଟଙ୍କା ସହାୟତା ଅର୍ଥରୁ ଟିକେଟ୍‌ ଅର୍ଥ କାଟିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍‌ ସରକାର ମାଛ ତେଲରେ ମାଛ ଭାଜିବା ପାଇଁ ଚେଷ୍ଟା କରୁଛନ୍ତି। ଯାହାକି ଅତ୍ୟନ୍ତ ଦୁଃଖଦାୟକ ଘଟଣା। ବର୍ତ୍ତମାନ ଆଉ ଗୋଟିଏ ଦୁର୍ବିପାକ ଆସି ଠିଆ ହେଲାଣି। ବାତ୍ୟା ଅମ୍ଫାନ୍‌ର ପ୍ରଭାବରେ ଉତ୍ତର ଓଡ଼ିଶାର ପ୍ରାୟ ୭ ରୁ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏସବୁ ଜିଲ୍ଲାରେ ବହୁତ ତଳିଆ ଅଞ୍ଚଳ ଅଛି। ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ସରକାର ବ୍ୟାପକ ବନ୍ଦୋବସ୍ତ କରିବା ଦରକାର। ଏବେ ବି ପଶ୍ଚିମ ଓଡ଼ିଶାର ବହୁ ପ୍ରବାସୀ ଶ୍ରମିକ ଫେରିନାହାନ୍ତି। ବଲାଙ୍ଗୀର ଓ କଳାହାଣ୍ଡିର ଲକ୍ଷାଧିକ ଶ୍ରମିକ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ କୋଭିଡ-୧୯ ପରୀକ୍ଷା ପାଇଁ କୌଣସି ପ୍ରକାର ସୁବିଧା କରାଯାଇନି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ବିଜେପି ନେତା ପୃ୍ଥ୍ବୀରାଜ ହରିଚନ୍ଦନ କହିଛନ୍ତି, ପ୍ରବାସୀ ଶ୍ରମିକମାନଙ୍କୁ ୨ ହଜାର ଟଙ୍କା ସହାୟତା ଦେବା ପାଇଁ ରାଜ୍ୟ ସରକାରଙ୍କୁ କିଏ କହିଥିଲା। ଏବେ ଘୋଷଣା କରି ନ ଦେବା ବା ରେଳ ଭଡ଼ା ବାବଦରେ କାଟିଦେବା ଦୁର୍ଭାଗ୍ୟଜନକ। ରେଳ ଭଡ଼ା ବାବଦରେ କେନ୍ଦ୍ର ଓ ରାଜ୍ୟ ସରକାର ବହନ କରିବାକୁ ଘୋଷଣା କରାଯାଇଛି। ଏହା ସମ୍ପୂର୍ଣ୍ଣ ରାଜ୍ୟ ସରକାରଙ୍କ ପ୍ରବାସୀଙ୍କ ପାଇଁ ଚଞ୍ଚକତା ସଦୃଶ। ଓଡ଼ିଶାକୁ ଟ୍ରେନ୍‌ ଆସିବା ପାଇଁ କର୍ଣ୍ଣାଟକ ଓ ତାମିଲନାଡ଼ୁ ସରକାର ଏନ୍‌ଓସିକୁ ଅପେକ୍ଷା କରିଛନ୍ତି। ଅଥଚ ରାଜ୍ୟ ସରକାର ଦେଉ ନାହାନ୍ତି।

ବିରୋଧୀଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ସରକାର କେବେ ବି ମାଛ ତେଲରୁ ମାଛ ଭାଜୁ ନାହାନ୍ତି। ଏବେ ସୁଦ୍ଧା ସବୁ ଶ୍ରମିକ ନିଜ ଖର୍ଚ୍ଚରେ ରାଜ୍ୟକୁ ଫେରୁଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୨ ହଜାର ଟଙ୍କା ସହାୟତା ରାଶି ରେଳ ଭଡ଼ା ବାବଦରେ ଖର୍ଚ୍ଚ ହେଲେ ଅସୁବିଧା କେଉଁଠି ରହିଲା ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର