ରେଳଧାରଣାରେ ଯାଉଛନ୍ତି ଶହ ଶହ ଶ୍ରମିକ

ବାଲେଶ୍ବର : ଲକଡାଉନ ପାଇଁ ଜୀବନ ଯନ୍ତ୍ରଣା ଅସହ୍ୟ ହେଲାଣି। ନା ରହି ହେଉଛି, ନା ନିରାପଦରେ ଫେରିହେଉଛି। ତଥାପି ଜନ୍ମମାଟି ମୋହରେ ଅଖିଆଅପିଆ ଚାଲିଛନ୍ତି ରାସ୍ତାରେ। ଆଉ କିଛି ଲୋକ ତ ଜୀବନକୁ ବାଜି ଲଗାଇ ରେଳଧାରଣାରେ ଚାଲୁଛନ୍ତି। ଆଜି ବାଲେଶ୍ବର ରେଳଧାରଣାରେ ଚାଲିଚାଲି ୨୫ରୁ ଅଧିକ ଶ୍ରମିକ ଯାଉଥିବାର ଦେଖିବାକୁ ମିଳିଛି। ସେମାନଙ୍କ କଷ୍ଟ ଦେଖି ଲୋକଙ୍କ ବି ଆଖିରେ ଲୁହ ରହି ନ ଥିଲା।

ସୂଚନା ଅନୁସାରେ, ଏହି ଶ୍ରମିକମାନେ ଖଡ଼ଗପୁରର ଜଣେ ଠିକାଦାରଙ୍କ ଅଧୀନରେ ଯାଜପୁରରୋଡ୍ ଯଖପୁରାଠାରେ ଟ୍ରେନ୍‌ଲାଇନ୍‌ କାମ କରୁଥିଲେ। କିଛିଦିନ ଯାଏ ଠିକାଦାର ସେମାନଙ୍କ ଖାଇବା କଥା ବୁଝିଥିଲେ। ଏବେ ଠିକାଦାର ଆଉ କିଛି ନ ବୁଝିବାରୁ ସେମାନେ ଘରକୁ ଫେରିଯାଉଥିବା କହିଥିଲେ। ୩ ଦିନ ହେଲା ଚାଲିଚାଲି ଆସୁଛନ୍ତି। ଆଜି ପହଞ୍ଚିଥିଲେ ବାଲେଶ୍ବରରେ। ଆଜି ଦ୍ବିପହରରେ ଚାଲିଚାଲି ଯାଉଥିବା ବେଳେ ଅଙ୍ଗାରଗଡ଼ିଆ ନିକଟରେ ପାଣି ପିଇବାକୁ ଅଟକିଥିଲେ। ପାଖ ବସ୍ତି ଲୋକଙ୍କୁ ପାଣି ମାଗିଥିଲେ। ସେମାନଙ୍କ ଦୁଃଖ କଷ୍ଟ ସହି ନ ପାରି ତୁରନ୍ତ ଜଳଖିଆ ଓ ପାଣିର ବ୍ୟବସ୍ଥା କରିଥିଲେ ସ୍ଥାନୀୟ ଯୁବକ। ଖାଇସାରିବା ପରେ ପୁଣି ସେମାନେ ରେଳଧାରଣା ଦେଇ ଆଗେଇ ଚାଲିଥିଲେ ନିଜ ଲକ୍ଷ୍ୟ ପଥରେ। କଥା ହେବାପାଇଁ କି ଅଟକିବା ପାଇଁ ଟିକେ ବି ସେମାନଙ୍କ ପାଖରେ ଆଗ୍ରହ ନଥିଲା। ତେବେ ସେମାନଙ୍କୁ ଭେଟି କଥା ହେବା ପରେ କରୋନା ପାଇଁ ସେମାନେ ଭୋଗିଥିବା ସେମାନଙ୍କ ଦୁଃଖ କଥା ବଖାଣିଥିଲେ।

ସେମାନଙ୍କ କହିବା କଥାନୁସାରେ, ‘ ୩ ମାସ ପୂର୍ବରୁ ଖଡ଼ଗପୁର ଅଞ୍ଚଳର ଜଣେ ଠିକାଦାର ଯୋଗାଯୋଗ କରି ଯାଜପୁରରୋଡ୍‌ ଯଖପୁରାଠାରେ ଚାଲିଥିବା ରେଳଧାରଣା କାମ ପାଇଁ ଆଣିଥିଲେ। ତେବେ ମାର୍ଚ୍ଚ ମାସରେ ଲକଡାଉନ ଲାଗୁ ହେବାପରେ କାମ ବନ୍ଦ ହୋଇଯାଇଥିଲା। ପାଖରେ ଟଙ୍କା ପଇସା ନଥିବାବେଳେ ମଜୁରି ମିଳି ନ ଥିବାରୁ ଚଳିବା ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଥିଲୁ। ବାଟରେ ଯେଉଁଠି ଯିଏ ଯେମିତି ଖାଇବାପିଇବାର ବ୍ୟବସ୍ଥା କରାଇ ଦେଉଛନ୍ତି ତାକୁ ଭରସା କରି ଆମେ ଆଗକୁ ଆଗକୁ ଚାଲିଛୁ। ‘
ଅନ୍ୟପକ୍ଷରେ, ପୂର୍ବତନ କାଉନସିଲର କୈଳାସବିହାରୀ ଦାସ ଓ କିଛି ଯୁବକ ଶ୍ରମିକଙ୍କ ସମ୍ପର୍କରେ ସହଦେବଖୁଣ୍ଟା ଥାନା ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ହେଲେ ଥାନାଧିକାରୀ ଫୋନ୍‌ ଉଠାଇନଥିବାବେଳେ ପୌର ଅଧିକାରୀ ‌ଶ୍ରୀ ଦାସଙ୍କ କଥାକୁ ଗୁରୁତ୍ବ ଦେଇନଥି‌ବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର