ଘାରିଲା ପ୍ରବାସୀ ଶ୍ରମିକଙ୍କ ଚିନ୍ତା

ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରୀଗୋଷ୍ଠୀ ବୈଠକ
ଏପ୍ରିଲ୍‌ ଶେଷସୁଦ୍ଧା ଦୈନିକ ୩୦୦୦ କୋଭିଡ୍‌ ପରୀକ୍ଷା
୪ ନୂଆ ମେଡିକାଲ୍‌ କଲେଜ, ଓୟୁଏଟିରେ ହେବ ପରୀକ୍ଷାଗାର

ଭୁବନେଶ୍ବର : ପ୍ରବାସୀ ଶ୍ରମିକମାନଙ୍କ ଯୋଗୁଁ ରାଜ୍ୟରେ କିପରି ସଂକ୍ରମଣ ଅଧିକ ନ ବ୍ୟାପିବ, ସେଇ ଚିନ୍ତା ଏବେ ସରକାରଙ୍କୁ ଘାରିଛି। ନିଜ ରାଜ୍ୟକୁ ଫେରିବା ପୂର୍ବରୁ ଯେଉଁଠି ଅଛନ୍ତି, ସେହିଠାରେ ହିଁ ସେମାନଙ୍କ କୋଭିଡ୍‌ ପରୀକ୍ଷା କରାଯାଉ। ଏଥିପାଇଁ ଏକ ଅନ୍ତଃରାଜ୍ୟ ମନ୍ତ୍ରୀସ୍ତରୀୟ କମିଟି ଗଠନ ହେବା ଦରକାର। ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୬ଷ୍ଠ ଉଚ୍ଚସ୍ତରୀୟ କ୍ଷମତା ସମ୍ପନ୍ନ ମନ୍ତ୍ରୀଗୋଷ୍ଠୀ ବୈଠକରେ ଏ ନେଇ ଜୋରଦାର ଆଲୋଚନା ହୋଇଛି। ଚଳିତମାସ ଶେଷସୁଦ୍ଧା କୋଭିଡ୍‌ ନମୁନା ପରୀକ୍ଷା ଦୈନିକ ୩ ହଜାର ହେବ। ଅଧିକ ସ୍ଥାନରେ ପରୀକ୍ଷା ବ୍ୟବସ୍ଥା କରିବାକୁ ଯାଇ ଓୟୁଏଟି ସମେତ ବଲାଙ୍ଗୀର, ବାଲେଶ୍ବର, ବାରିପଦା ଓ କୋରାପୁଟଠାରେ ଥିବା ମେଡିକାଲ୍‌ କଲେଜ ହସ୍ପିଟାଲରେ ଲାବରେଟୋରି ଖୋଲିବାକୁ ମନ୍ତ୍ରୀଗୋଷ୍ଠୀ ନିଷ୍ପତ୍ତି ନେଇଛି।

ମନ୍ତ୍ରୀ ଗୋଷ୍ଠୀ ବୈଠକ ପରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ଆଇଏଏଲଏସ୍‌ର ପରୀକ୍ଷା କ୍ଷମତା ୪୫୦କୁ ବୃଦ୍ଧି କରିବାକୁ ସ୍ଥିର କରାଯାଇଛି। ଯେଉଁ ରାଜ୍ୟରେ ପ୍ରବାସୀ ଶ୍ରମିକମାନେ ଫସି ରହିଛନ୍ତି ସେହି ସ୍ଥାନରେ ପରୀକ୍ଷା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତାକାଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ବିଧିବଦ୍ଧ ଭାବେ ଏ ସମ୍ପର୍କରେ ପ୍ରସ୍ତାବ ଦିଆଯିବ। କୋଭିଡ୍‌ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟ ପାରାମେଡିକାଲ କର୍ମଚାରୀମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବାପାଇଁ ବୈଠକରେ ଆଲୋଚନା ହୋଇଛି। କିନ୍ତୁ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।

ସେ ଆହୁରି କହିଥିଲେ, କରୋନା ବ୍ୟାପୁଥିବା ୩ ଜିଲ୍ଲା ଭଦ୍ରକ, ବାଲେଶ୍ବର ଓ ଯାଜପୁର ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ପ୍ରବାସୀ ଶ୍ରମିକମାନଙ୍କ ପଞ୍ଜୀକରଣ ପାଇଁ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଯିବ। ଏଥିରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ରୋଜଗାର ସେବକ ଓ ୩ଜଣ ଶିକ୍ଷକ ରହିବେ। ସୀମା ସିଲ୍‌କୁ କଡ଼ାକଡ଼ି କରାଯାଇଛି। ପଶ୍ଚିମବଙ୍ଗ ସହିତ ଓଡ଼ିଶାକୁ ଲାଗିଥିବା ସୀମା ଦୀର୍ଘ ହୋଇଥିବାରୁ ସମ୍ପୂର୍ଣ୍ଣ ସିଲ୍‌ କରିବା ସମ୍ଭବ ନୁହେଁ। ଯେଉଁମାନେ ସୀମା ଆରପଟୁ ଓଡ଼ିଶାକୁ ଆସୁଛନ୍ତି ସେମାନଙ୍କୁ ବୁଝାଇସୁଝାଇ ସଙ୍ଗରୋଧ ଗୃହରେ ରଖିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଶ୍ରୀ ଜେନା କହିଥିଲେ।

ବୈଠକରେ ଗରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଥିଲେ, ପ୍ରବାସୀ ଶ୍ରମିକମାନଙ୍କ କରୋନା ପରୀକ୍ଷଣ ପାଇଁ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ୍‌ ଆବଶ୍ୟକ। ଏହାସହିତ ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟକୁ ଆଣିବା ପାଇଁ ସ୍ବତନ୍ତ୍ର ବସ୍‌ କିମ୍ବା ଟ୍ରେନ୍‌ର ବ୍ୟବସ୍ଥା ହେବା ଉଚିତ। ସେମାନଙ୍କୁ ଆଣିବା ବେଳେ ସାମାଜିକ ଦୂରତା ରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରାଯିବ। ଏହାସହିତ ଯାତ୍ରା ସମୟରେ ସେମାନଙ୍କୁ ମାସ୍କ, ସାନିଟାଇଜର, ଗ୍ଲୋବସ୍‌ ଆଦି ଯୋଗାଇ ଦିଆଯିବ। ପ୍ରତ୍ୟେକ ଶ୍ରମିକଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବ। ଥର୍ମାଲ୍‌ ସ୍କ୍ରିନିଂ ସମୟରେ ଫ୍ଲୁ’ ଲକ୍ଷଣ ଥିଲେ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କର ପରୀକ୍ଷା କରାଯିବ।

ଶ୍ରୀ ଦାସ କହିଥିଲେ, ଏଣିକି କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସାରେ ଯୁବ ଡାକ୍ତରମାନେ ନିୟୋଜିତ ହେବେ। ୫୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଡାକ୍ତରଙ୍କୁ ସିଧାସଳଖ ଚିକିତ୍ସା କାର୍ଯ୍ୟରେ ସାମିଲ ନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। କାରଣ ସଂକ୍ରମଣ ହେଲେ ଯୁବକମାନେ ଶୀଘ୍ର ଆରୋଗ୍ୟ ଲାଭ କରୁଛନ୍ତି। ବୟସ୍କ ଓ ବରିଷ୍ଠ ଡାକ୍ତରଙ୍କ ପରାମର୍ଶରେ ଯୁବ ଡାକ୍ତରମାନେ ଆକ୍ରାନ୍ତଙ୍କ ଚିକିତ୍ସା କରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ମନ୍ତ୍ରୀଗୋଷ୍ଠୀ ବୈଠକ ବେଳେ ଲୋକସେବା ଭବନରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ଥିବାବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ନିଜ ନିଜ ଜିଲ୍ଲାରୁ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର