ଜୟପୁର: ପେଟ ପାଟଣା ପାଇଁ ଭିଟାମାଟି ଛାଡ଼ି ଗତ ଅଗଷ୍ଠ ୫ତାରିଖରେ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତର ଗଣ୍ଡାଗୁଡା ଗାଁର ଧନ ପୁଜାରୀ। ତାଙ୍କ ସହ ଗାଁର ଧନୁର୍ଯ୍ୟୟ କୁମ୍ଭାର ଓ ମାଲକାନଗିରୀ ଜିଲ୍ଲା ମାତିଲି ନିକଟସ୍ଥ ଗୁରୁଗୁଡାର ଧନୁର୍ଯ୍ୟୟ ପୁଜାରୀ ସାଙ୍ଗରେ ତେଲଙ୍ଗାନାର ହାଇଦ୍ରାବାଦ ଯାଇଥିଲେ। ଉଭୟ ଫେରି ଆସିଥିଲେ ହେଁ ଧନ ସାଢ଼େ ୨ମାସ ପରେ ବି ଫେରି ନାହାନ୍ତି। ଏ ନେଇ ବୋରିଗୁମ୍ମା ଥାନାରେ ପରିବାରବର୍ଗ ପକ୍ଷରୁ ନିଖୋଜ ଏତଲା ଦେଇଥିବା ବେଳେ ପୁଲିସ ଯେଭଳି ପଦକ୍ଷେପ ନେଇ ଖୋଜାଖୋଜିରେ ସହଯୋଗ କରିବା କଥା କରୁ ନଥିବା ପରିବାରବର୍ଗ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Advertisment

ସୂଚନାଅନୁଯାୟୀ, ଗତ ଅଗଷ୍ଠ ୫ତାରିଖରେ ତେଲଙ୍ଗାନାର ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତର ଗଣ୍ଡାଗୁଡା ଗାଁର ଧନ ପୁଜାରୀ,  ଧନୁର୍ଯ୍ୟୟ କୁମ୍ଭାର ଓ ମାଲକାନଗିରୀ ଜିଲ୍ଲା ମାତିଲି ନିକଟସ୍ଥ ଗୁରୁଗୁଡାର ଧନୁର୍ଯ୍ୟୟ ପୁଜାରୀ । ତେବେ ସେଠାକୁ ଯିବାର ଅଳ୍ପ ଦିନ ପରେ ୨ ଧନୁର୍ଯ୍ୟୟ ଫେରି ଆସିବା ସହ ଧନ ହାଇଦ୍ରାବାଦରେ ନିଖୋଜ ହୋଇଥିବା ପରିବାରବର୍ଗକୁ କହିଥିଲେ। ଏହା ପରେ ତାଙ୍କ ସ୍ତ୍ରୀ ସନି ବୋରିଗୁମ୍ମା ଥାନାରେ ଅଗଷ୍ଠ ୧୨ତାରିଖ ଦିନ ଅଭିଯୋଗ କରିଥିଲେ। ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ପରିବାରବର୍ଗ ବି ଖୋଜାଖୋଜି ପାଇଁ ବାହାରିଛନ୍ତି। ସ୍ୱାମୀ ଧନର ଫଟୋ ଧରି କେତେବେଳେ ସ୍ତ୍ରୀ ସନି ଖୋଜି ବୁଲୁଛି ତ ଆଉ କେତେବେଳେ ଭାଇର ଫଟୋ ଧରି ଏ ସହରରୁ ସେ ସହର ବୁଲୁଛି ସାନ ଭାଇ ଆନନ୍ଦ ପୁଜାରୀ । କିନ୍ତୁ ନିଖୋଜ ବ୍ୟକ୍ତି ଧନଙ୍କ କିଛି ଖୋଜ ଖବର  ମିଳୁନାହିଁ । ବାପାର ଆସିବା ବାଟକୁ ଚାହିଁବସିଛି ୬ବର୍ଷର ପୁଅ , ୧୮ଏବଂ ୧୫ବର୍ଷର ଝିଅ। ଘରର ଆର୍ଥିକସ୍ଥିତି ସ୍ବଚ୍ଛଳ ନଥିବା ବେଳେ କିଭଳି ନିଜ ସ୍ବାମୀଙ୍କୁ ଖୋଜି ବାହାର କରିବେ ଏବଂ ତିନି ପିଲାଙ୍କ ଲାଲନପାଳନ କରିବେ ସେ ଚିନ୍ତାରେ ପଡ଼ିଛନ୍ତି ସନି। ଅପରପକ୍ଷରେ ଧନ ସହ ଯାଇଥିବା ଦୁଇ ଜଣଙ୍କ ବୟାନକୁ ନେଇ ସଂଦେହରେ ପଡ଼ିଛି ପରିବାର। ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ନିଖୋଜ ଧନକୁ ଖୋଜି ବାହାର କରିବା ଦିଗରେ ସହ‌ଯୋଗ କରିବାକୁ  ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି।