ଲକ୍‌ଡାଉନରେ ଚାଲିଗଲା ଜୀବନ : ଚିକିତ୍ସା ମିଳିଲାନି ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଆନ୍ଧ୍ରରେ ଜୀବନ ହାରିଲେ ଓଡ଼ିଆ ଶ୍ରମିକ

ରାମଚନ୍ଦ୍ରପୁର : ଲକ୍‌ଡାଉନ୍‌ରେ ଚାଲିଗଲା ଜୀବନ। ଚିକିତ୍ସା ସେବା ମିଳିପାରିଲାନି କି ସେ ଘରକୁ ମଧ୍ୟ ଆସିପାରିଲେ ନାହିଁ। ଚେନ୍ନାଇରେ ଏଭଳି ଅସହାୟ ଅବସ୍ଥାରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ମଦନପୁର ପଞ୍ଚାୟତ କାନପୁର ଗ୍ରାମର ନିରଞ୍ଜନ ଚକ୍ର (୩୮)।

କାନପୁର ଗ୍ରାମର ହାଡ଼ିବନ୍ଧୁ ଚକ୍ରଙ୍କ ପୁଅ ନିରଞ୍ଜନ ଦୀର୍ଘ ୧୨ ବର୍ଷ ହେବ ଚେନ୍ନାଇରେ ଏକ ଘରୋଇ କମ୍ପାନିରେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ। କିଛିଦିନ ତଳେ ତାଙ୍କ ଦେହ ଖରାପ ହେବାରୁ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇଥିଲେ। ସେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହି ସମୟରେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଯିବାରୁ କମ୍ପାନି ବନ୍ଦ ହୋଇଗଲା। ଡାକ୍ତରଖାନା ବି ଯାଇପାରିଲେ ନାହିଁ। ଏକୁଟିଆ ଭଡ଼ାଘରେ ଭାଗ୍ୟକୁ ଆଦରି ପଡ଼ିରହିଥିଲେ। ଡାକ୍ତରଖାନା କିମ୍ବା ଘରକୁ ଆସି ନପାରି ମାନସିକ ଦୁଶ୍ଚିନ୍ତାରେ ଥିଲେ। ସରକାରଙ୍କ ନିୟମ ଅନୁସାରେ ଘରକୁ ଫେରିବାକୁ ପଞ୍ଜୀକରଣ କରିଥିଲେ। ମାତ୍ର ସେଠାକାର ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ପାଇବାରେ ବିଫଳ ହ‌େଲେ। ମୃତ୍ୟୁ ପୂର୍ବରୁ ଏ ବିଷୟରେ ପତ୍ନୀ କବିତାଙ୍କ ସହ ସେ କଥା ହୋଇଥିଲେ। ଶେଷରେ ଗତ ୧୧ ତାରିଖ ସନ୍ଧ୍ୟାରେ ସେହି ଭଡ଼ାଘର ଭିତରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘର ମାଲିକ ଫୋନ ଯୋଗେ ତାଙ୍କ ପରିବାରକୁ ଏ ସମ୍ବନ୍ଧରେ ଜଣାଇଥିଲେ। ଏହା ଜଣାପଡ଼ିବା ପରେ କାନପୁର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘରେ ପତ୍ନୀ କବିତା, ୯ ଓ ୬ ବର୍ଷର ଦୁଇ ପୁଅ ଅସହାୟ ହୋଇପଡ଼ିଛନ୍ତି।

ଆନ୍ଧ୍ରରେ ଜୀବନ ହାରିଲେ ଓଡ଼ିଆ ଶ୍ରମିକ
ମାଲକାନଗିରି : ଜୀବିକା ପାଇଁ ଜୀବନ ହାରିଛନ୍ତି ପୁଣି ଜଣେ ଦାଦନ ଶ୍ରମିକ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ର ଏହି ଦୁଃଖଦ ଘଟଣା ଗ୍ରାମବାସୀଙ୍କୁ ସ୍ତବ୍ଧ କରି ଦେଇଛି। ୪୮ଘଣ୍ଟା ପରେ ବି ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ। ଅନ୍ୟପଟେ କରୋନା କଟକଣା ଯୋଗୁଁ ଶବ ଗାଁକୁ ଆସିପାରି ନଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ମାଥିଲି ବ୍ଲକ୍‌ ମେକା ପଞ୍ଚାୟତ ଅନ୍ତର୍ଗତ ତଲାଗୁଡ଼ା ଗାଁର ମୋତିସିଂ ନାୟକଙ୍କ ପୁଅ ଜଳନ୍ଧର କିଛି ମାସ ତାଳ କାମ ସନ୍ଧାନରେ ଗାଁ ଛାଡ଼ିଥିଲା। କିଛି ସାଙ୍ଗସାଥୀଙ୍କ ସହ ସେ ସୁଦୂର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ପହଞ୍ଚିବା ପରେ ହରିମଣ୍ଡଳମ ଥାନା ଅନ୍ତର୍ଗତ ମାଝିଗୁଡ଼ୁମ ସ୍ଥିତ ଗୋଟିଏ ପଥର କ୍ବାରିରେ କାମ କରୁଥିଲା। ପୁଅ ଗାଁ ଛାଡ଼ି ଯିବାର ଦୁଃଖ ରହିଥିଲେ ମଧ୍ୟ ରୋଜଗାର କରୁଥିବା ଖବର ପାଇବା ପରେ ପରିବାର ଲୋକ ସେସବୁ ଭୁଲି ଯାଇଥିଲେ। ତେବେ ଦୁଇ ଦିନ ତଳେ ପୁଅର ମୃତ୍ୟୁ ଖବର ପାଇ ବିଷାଦରେ ରହିଛି ପୂରା ପରିବାର। ଆଖିରୁ ଲୁହ ଶୁଖୁ ନଥିବା ବେଳେ ଖାଇବା ପିଇବା ଭୁଲି ଯାଇଛନ୍ତି। ବାହୁନି ବାହୁନି ପୁଅର ଶବକୁ ଅପେକ୍ଷା କରି ରଖିଛନ୍ତି ବାପା, ମା।

ଶବ ଗାଁକୁ ଆସିବାରେ ବିଳମ୍ବ ହେବ ବୋଲି ସୂଚନା ମିଳିଛି। ସ୍ବାବ୍ ପରୀକ୍ଷା ପରେ ଶବ ବ୍ୟବେଚ୍ଛଦ କରିବାକୁ ଆନ୍ଧ୍ର ପ୍ରଶାସନ ନିଷ୍ପତ୍ତି ନେଇଛି। ମୃତ୍ୟୁ ସ୍ବାଭାବିକ ହୋଇ ନଥିବାରୁ ଘଟଣାର ତଦନ୍ତ ହେବ ବୋଲି ଜଣାପଡ଼ିଛି। ଏସବୁ ପ୍ରକ୍ରିୟା ପାଇଁ ପୂରା ଗୋଟେ ଦିନ ଲାଗିଯିବ ବୋଲି କୁହାଯାଉଛି। ତେଣୁ ଶବ ଗାଁରେ ପହଞ୍ଚିବା ବେଳକୁ ଆସନ୍ତାକାଲି ସଂଧ୍ୟା ହୋଇଯିବ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଗତ ସପ୍ତାହକ ମଧ୍ୟରେ ମାଲକାନଗିରି ଜିଲ୍ଲାର ୩ଜଣ ଦାଦନ ଶ୍ରମିକ ପ୍ରାଣ ହରାଇ ସାରିଲେଣି। ଜଳନ୍ଧର ପୂର୍ବରୁ ଦୁଇ ଦିନ ତଳେ ସେରପାଲୀ ଗ୍ରାମର ବାସୁଦେବ ମାଡକାମୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୫ ଦିନ ତଳେ ଟାଙ୍ଗଣତୋଙ୍ଗ ଗ୍ରାମର କୋସା ମାଡକାମୀଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର