ଆରମ୍ଭ ହେଲା ଦାଦନ ଋତୁ: ଏପଟେ ମା’ଙ୍କ ମେଢ଼ ତ ସେପଟେ ଦାଦନ ଭିଡ଼

ବେଲପଡ଼ା : ଆସି ଗଲା ଦଶହରା ମାସ। ଭାଇ ଜିଉଁତିଆ ପର୍ବ ଓ ଦୁର୍ଗା ପୂଜା ପାଇଁ ଗାଁଠୁ ସହର ଚଳଚଞ୍ଚଳ ହୋଇ ଉଠିଛି। ହେଲେ ଗରିବ, ମୂଲିଆ, ଖଟିଖିଆଙ୍କ କାହାଣୀ ଟିକେ ଅଲଗା। ଏହା ସେମାନଙ୍କ ପାଇଁ ବିଦାୟର ପର୍ବ। ଏହି ସମୟରେ ସେମାନେ ନିଜ ବନ୍ଧୁ, ପରିଜନ ସହ ମିଶି ପୁଣି ଚାଲି ଯିବେ ଦୂର ସ୍ଥାନକୁ ଦାଦନ ଖଟିବାକୁ। ଭାଇ ଜିଉଁନ୍ତିଆ ପୂଜା ସରିଲା ପରେ ଆରମ୍ଭ ହେବ ସେମାନଙ୍କ ଯାତ୍ରା। ନୂଆଁଖାଇଠୁ ସେମାନେ ବଇନା ନେବା ଆରମ୍ଭ କରି ଦେଇଥିଲେ। ଏବେ ବାକି ପଇସା ନେଇ ଇଟା ଗଢ଼ିବାକୁ ଯିବେ।

ଅନ୍ୟ ରାଜ୍ୟର ଦାଦନ ସର୍ଦ୍ଦାର ଆସି ଏହି ଅଞ୍ଚଳରେ ଡେରା ପକାଇଛନ୍ତି। ତାଙ୍କ ସହ ମିଶି ସ୍ଥାନୀୟ ଦାଦନ ଦଲାଲ ଏବେ ପଇସା ବାଣ୍ଟିବାରେ ବ୍ୟସ୍ତ। କିଛି ସର୍ଦାର କଣ୍ଟାବାଞ୍ଜି ଲଜରେ ଧରା ମଧ୍ୟ ହେଇଥିଲେ, ହେଲେ କିପରି ତାଙ୍କୁ ଯୁଆରି ସଜେଇ ଦିଆଗଲା ତାହା କାହାକୁ ଅଛପା ନାହିଁ। ସେହିପରି ସରକାର୍ ଦାଦନ ଚାଲାଣ ରୋକିବା ପାଇଁ ତଥା କାମ ଯୋଗେଇ ଦେବା ପାଇଁ ଅନେକ ଯୋଜନା କରୁଛନ୍ତି। ମନରେଗାରେ କାମ ୩୦୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଗଲା। ଜଣେ ମନରେଗା ଶ୍ରମିକ ମାସକୁ ୭୦୦୦-୮୦୦୦ ଟଙ୍କା ରୋଜଗାର କରିପାରିବ। ୧୦ ମାସ କାମ କଲେ ଜଣେ ଶ୍ରମିକ ୭୦-୮୦ ହଜାର ଟଙ୍କା ରୋଜଗାର କରି ପାରିବ। ହେଲେ କ’ଣ ପାଇଁ ସେମାନେ ଦାଦନ ଯାଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି।‌ ତେବେ ବାସ୍ତବରେ ଅନେକ ପଞ୍ଚାୟତରେ ମେସିନ କାମ କରୁଛି। କିଛି ଲୋକଙ୍କ ଜବ୍‌କାର୍ଡ ଦେଖାଇ ସରକାରୀ ଅର୍ଥ ହଡ଼ପ କରାଯାଉଛି। ପ୍ରକୃତ ଶ୍ରମିକ ପାଖରେ ଯୋଜନା ପହଞ୍ଚି ପାରୁ ନାହିଁ।

ଫଳରେ ରୋଜଗାର ଆଶାରେ ସ୍ଥାନୀୟ ଶ୍ରମିକମାନେ ଅନ୍ୟ ରାଜ୍ୟକୁ ଯାଇ ନିର୍ଯାତିତ ହେଉଛନ୍ତି। ଗତ ବର୍ଷ ବେଲପଡ଼ା ବ୍ଲକ୍‌ର ୪-୫ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହେଇଥିଲା। ନିଜ ଭିଟା ମାଟିକୁ ମୃତ ଦେହ ଆଣିବା ପାଇଁ ମଧ୍ୟ ପରିବାର ଲୋକଙ୍କ ପାଇଁ କାଠିକର ପାଠ ହେଇ ଯାଇଥିଲା। ଏ ବାବଦ ରେ ଶ୍ରମ ବିଭାଗ ଅଫିସରଙ୍କୁ ପଚାରିବାରୁ ସେ କହିଥିଲେ କି, ଯେଉଁମାନଙ୍କ ମୃତ୍ୟୁ ହେଇଥିଲା, କାହାର ମଧ୍ୟ ପଞ୍ଜୀକରଣ ହେଇ ନ ଥିଲା। ଏତେ ପରେ ମଧ୍ୟ ଶ୍ରମ ବିଭାଗର ହାତ ଖାଲି। ଯେଉଁ ଦାଦନ ଦଲାଲମାନଙ୍କ ଶ୍ରମିକ ମରିଥିଲେ ସେମାନେ ଏବେ ବି ଆରାମରେ ବୁଲୁଛନ୍ତି। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଶୂନ୍।

ସମ୍ବନ୍ଧିତ ଖବର