ଦାଦନ ଶ୍ରମିକଙ୍କ ହିସାବ ଶ୍ରମ ବିଭାଗ ଜାଣିନି, ମଲେ କି ହଜିଲେ ଖବର ନାହିଁ

ଗଞ୍ଜାମରେ ପଞ୍ଜୀକୃତ ତାଲିକାରେ ୨.୩୦ ଲକ୍ଷ ନିର୍ମାଣ ଶ୍ରମିକ

ବ୍ରହ୍ମପୁର : ଶିଳ୍ପବିହୀନ ଗଞ୍ଜାମ ଜିଲ୍ଲାରେ ବେକାରୀ ସମସ୍ୟା ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଚାଷକାର୍ଯ୍ୟ ପାଇଁ ମଧ୍ୟ ସେତେଟା ସୁଯୋଗ ନଥିବାରୁ ଅଧିକାଂଶ ବେକାର ଯୁବକଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏଭଳି ବେକାର ଯୁବକଯୁବତୀଙ୍କ ଦୁର୍ବଳ ଆର୍ଥିକ ସ୍ଥିତିର ସୁଯୋଗ ଉଠାଉଛନ୍ତି ଦଲାଲ୍‌। ଦଲାଲ୍‌ଙ୍କ ଜାଲରେ ପଡ଼ି କିଛି ଉପାର୍ଜନ କରିବା ଆଶାରେ ପ୍ରତିବର୍ଷ ଗଞ୍ଜାମ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଲୋକ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ହେଲେ ଏମାନଙ୍କ କୌଣସି ହିସାବ ଶ୍ରମ ବିଭାଗ ନିକଟରେ ନାହିଁ। ଦାଦନ ଖଟିବାକୁ ଯାଇ ଅନ୍ୟ ରାଜ୍ୟରେ କୌଣସି ଶ୍ରମିକ ମଲେ କି ହଜିଲେ ଶ୍ରମ ବିଭାଗ ପତ୍ତା ପାଉନି। କାରଣ ଶ୍ରମ ବିଭାଗ ନିକଟରେ କେବଳ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ କରାଯାଉଛି। ଦାଦନ ଶ୍ରମିକଙ୍କ ସମ୍ପର୍କରେ ଶ୍ରମ ବିଭାଗ ନିକଟରେ କୌଣସି ସୂଚନା ରହୁ ନାହିଁ ବୋଲି ବ୍ରହ୍ମପୁର ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର ସୂଚନା ଦେଇଛନ୍ତି।
ଗଞ୍ଜାମ ଜିଲ୍ଲାକୁ ଦୁଇଟି ଶ୍ରମ ଜିଲ୍ଲାରେ ବିଭକ୍ତ କରାଯାଇଛି। ଗୋଟିଏ ବ୍ରହ୍ମପୁର ଓ ଦ୍ବିତୀୟଟି ଛତ୍ରପୁର।

ବ୍ରହ୍ମପୁର ଶ୍ରମ ଜିଲ୍ଲାରେ ୧ଲକ୍ଷ ୧୭ହଜାର ନିର୍ମାଣ ଶ୍ରମିକ ଓ ଛତ୍ରପୁର ଶ୍ରମ ଜିଲ୍ଲାରେ ମଧ୍ୟ ପ୍ରାୟ ୧ଲକ୍ଷ ୧୫ହଜାର ନିର୍ମାଣ ଶ୍ରମିକ ନାମ ପଞ୍ଜୀକରଣ କରିଛନ୍ତି। ଜିଲ୍ଲାରେ ପ୍ରାୟ ୨ଲକ୍ଷ ୩୦ହଜାର ନିର୍ମାଣ ଶ୍ରମିକ ଥିବା ଏଥିରୁ ସ୍ପଷ୍ଟ ହୋଇଛି। ନିର୍ମାଣ ଶ୍ରମିକଙ୍କ ପାଇଁ ସରକାର ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। ସେହିପରି ପିଲାଙ୍କ ଶିକ୍ଷା ଓ ବାହାଘର ପାଇଁ ମଧ୍ୟ ଆର୍ଥିକ ସହାୟତା ଦିଆଯାଉଛି। ଏହି ଧାରାରେ ବ୍ରହ୍ମପୁର ଶ୍ରମ ଜିଲ୍ଲାରେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରାୟ ୧୪କୋଟି ଟଙ୍କା ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ଯୋଜନାରେ ସହାୟତା ପ୍ରଦାନ କରାଯାଇଥିବା ଶ୍ରମ ଅଧିକାରୀ ଶ୍ରୀ ପାତ୍ର କହିଛନ୍ତି। କିନ୍ତୁ ଦାଦନ ଶ୍ରମିକଙ୍କ ପାଇଁ ଶ୍ରମ ବିଭାଗର କୌଣସି ସହାୟତା ଯୋଜନା ନଥିବା ସେ କହିଛନ୍ତି। ଶ୍ରମ ବିଭାଗରେ ନିର୍ମାଣ ଶ୍ରମିକ ଭାବେ ନାମ ପଞ୍ଜୀକରଣ କରି ନିଜ ଜିଲ୍ଲାରେ କାମ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବିଭିନ୍ନ ଯୋଜନାରେ ସହାୟତା ପ୍ରଦାନ କରିବା ବ୍ୟବସ୍ଥା ରହିଛି। ଅନ୍ୟ ରାଜ୍ୟରେ କାମ କରୁଥିବା ଓଡ଼ିଶାର କୌଣସି ଶ୍ରମିକଙ୍କ କିଛି ସମସ୍ୟା ହେଲେ ସେଠାକାର ପ୍ରଶାସନ ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗକୁ ଖବର କଲେ ସମ୍ପୃକ୍ତ ଶ୍ରମିକଙ୍କ ସମ୍ପର୍କରେ ସୂଚନା ମିଳୁଛି। କିନ୍ତୁ ଦାଦନ ଖଟିବା ପାଇଁ ଯାଉଥିବା ଶ୍ରମିକଙ୍କ କିଛି ସମସ୍ୟା ହେଲେ ସେ ଦିଗରେ ଶ୍ରମ ବିଭାଗକୁ କୌଣସି ଖବର ମିଳୁନି।

ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ଲୋକ ଦାଦନ ଖଟିବାକୁ ଗୁଜରାତ ଯାଇଥାନ୍ତି। ପ୍ରାୟ ୮୫/୯୦ ପ୍ରତିଶତ ଲୋକ ସୁରତର ବିଭିନ୍ନ ସୂତାକଳା ତଥା ଲୁଗା ଫ୍ୟାକ୍ଟ୍ରିରେ କାମ କରି ପରିବାର ଚଳାଉଛନ୍ତି। ପ୍ରତିବ‌ର୍ଷ ଏମାନଙ୍କ ଯିବା ଆସିବା ଚାଲିଛି। କରୋନାର ପ୍ରଥମ ଲହର ସମୟରେ ବେସରକାରୀ ଭାବେ ପ୍ରାୟ ୩ଲକ୍ଷ ପ୍ରବାସୀ ଶ୍ରମିକ ଗଞ୍ଜାମ ଜିଲ୍ଲାକୁ ଫେରିଥିଲେ। ଦ୍ବିତୀୟ ଲହର ବେଳେ ୫୦ହଜାରରୁ ଅଧିକ ଶ୍ରମିକ ନିଜର ଘରକୁ ଫେରିଥିଲେ। ଗୁଜରାତ ବ୍ୟତୀତ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇ ଭଳି ସହରରେ ଗଞ୍ଜାମ ଜିଲ୍ଲାର ବହୁ ଲୋକ କାମ କରୁଛନ୍ତି। କରୋନାର ଦ୍ବିତୀୟ ଲହର ଥମିବା ପରେ ରୋଜଗାର ପାଇଁ ଗଞ୍ଜାମ ଜିଲ୍ଲାରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ଦେଖିବାକୁ ମିଳୁଛି। ସେତେବେଳେ ପରିସ୍ଥିତି ଏମିତି ହୋଇଥିଲା ଯେ ମାସେ ପର୍ଯ୍ୟନ୍ତ ସୁରତ ଟ୍ରେନ୍‌ରେ ଟିକଟ ମିଳିପାରୁ ନଥିଲା। କିନ୍ତୁ କେତେ ଲୋକ ବାହାର ରାଜ୍ୟକୁ ଯାଇଛନ୍ତି, ସେମାନେ କେଉଁଠି ଓ କିଭଳି କାମ କରୁଛନ୍ତି ସେ ସମ୍ପର୍କରେ ଶ୍ରମ ବିଭାଗ ନିକଟରେ କିଛି ବିଧିବଦ୍ଧ ସୂଚନା ନାହିଁ।

ସମ୍ବନ୍ଧିତ ଖବର