ସ୍କୁଲ ବନ୍ଦ, ଅନ୍ଲାଇନ୍ ପାଠପଢ଼ା ବି ଅପହଞ୍ଚ
ବାପାମା'ଙ୍କ ସହ କାର୍ଯ୍ୟସ୍ଥଳୀକୁ ଯାଉଛନ୍ତି ୬୯% ପିଲା
ଭୁବନେଶ୍ବର : କରୋନା ଓ ଲକ୍ଡାଉନ୍ରେ ସ୍କୁଲ ବନ୍ଦ ହେବା ଯୋଗୁଁ ନଷ୍ଟ ହେଲାଣି ପ୍ରବାସୀ ଶ୍ରମିକ ପିଲାମାନଙ୍କ ପାଠପଢ଼ା। ଅନ୍ଲାଇନ୍ କ୍ଲାସ୍ ବି ସେମାନଙ୍କ ଲାଗି ଅପହଞ୍ଚ। ଅନୁସୂଚିତ ଜାତି, ଜନଜାତି ଛାତ୍ରାବାସ ବନ୍ଦ ଥିବାବେଳେ ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ ଅଭିଭାବକଙ୍କ ସହିତ କାର୍ଯ୍ୟକ୍ଷେତ୍ରକୁ ଯାଉଛନ୍ତି। ଅନେକ ପିଲା ତ ଅଧାରୁ ପାଠ ଛାଡ଼ି କାମରେ ଲାଗିଗଲେଣି। ପ୍ରବାସୀ ଶିଶୁଙ୍କ ପାଠପଢ଼ାରେ କୋଭିଡ୍ ପ୍ରଭାବ ସଂପର୍କରେ ସାମାଜିକ ସଙ୍ଗଠନ ଏଡେଡ୍ ଆକ୍ସନ ଏଡ୍ ପକ୍ଷରୁ କରାଯାଇଥିବା ନମୁନା ସର୍ଭେ ରିପୋର୍ଟରେ ଏଭଳି ବିକଳ ଚିତ୍ର ସାମ୍ନାକୁ ଆସିଛି। ଓଡ଼ିଶାର ୨୧, ବିହାରର ୨୨, ତାମିଲନାଡ଼ୁର ୨୦ ଏବଂ ତେଲେଙ୍ଗାନା ୪୬, ଏହିଭଳି ମୋଟ ୧୦୯ ପ୍ରବାସୀ ଶ୍ରମିକଙ୍କ ଶିଶୁଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଭୁବନେଶ୍ବର, ପାଟନା, ହାଇଦ୍ରାବାଦ, ଚେନ୍ନାଇ ସ୍ଥିତ ୧୮ଟି ଇଟାଭାଟି, ୨୭ଟି ନିର୍ମାଣସ୍ଥଳରେ ଏହି ଶ୍ରମିକମାନେ କାର୍ଯ୍ୟ କରୁଥିବା ରିପୋର୍ଟରେ ଦର୍ଶାଯାଇଛି। ଏଭଳି ସ୍ଥିତିରେ ଏହି ଶିଶୁମାନଙ୍କୁ ବିଶେଷକରି ଝିଅମାନଙ୍କୁ ପାଠପଢାର ମୁଖ୍ୟଧାରାକୁ ଆଣିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।
୨ ବର୍ଷ ହେଲା ବନ୍ଦ ରହିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ପୁତୁଲାମହୁଲ ଗାଁର ବଳରାମ ସାହୁଙ୍କ ୧୩ ବର୍ଷର ଝିଅ ଝରଣାର ପାଠପଢ଼ା। ବଳରାମ କହନ୍ତି, ସେ ପ୍ରତିବର୍ଷ ବିଶାଖାପାଟଣାକୁ ଇଟା ଗଢିବାକୁ ଯାଇଥାଆନ୍ତି। ଜାନୁଆରିରେ ଯାଇ ଜୁନ ଶେଷ ବେଳକୁ ଫେରି ଆସନ୍ତି। ସାଙ୍ଗରେ ନିଜ ଦୁଇ ଝିଅ, ପୁଅଙ୍କୁ ନେଇ ଯାଆନ୍ତି। ପୁତଲାମଲି ପ୍ରାଥମିକ ସ୍କୁଲରେ ଦୁଇ ପିଲାଙ୍କ ନାମ ଲେଖାଇଛନ୍ତି। ବାହାରକୁ କାମ ପାଇଁ ନେଲେ ମଧ୍ୟ ସେଠାରେ ଥିବା ପ୍ରବାସୀ ଶ୍ରମିକ ସନ୍ତାନଙ୍କ ପାଇଁ ଥିବା ସ୍କୁଲରେ ପିଲା ପଢ଼ନ୍ତି। ହେଲେ ୨ ବର୍ଷ ହେଲା ସ୍କୁଲ ବନ୍ଦ ପଡ଼ିଛି। ଗତବର୍ଷ ଭଳି ଏ ବର୍ଷ ବି ପିଲା ପଢ଼ିପାରିଲେ ନାହିଁ। ତାଙ୍କ ଗାଁ ସ୍କୁଲରେ ମୋବାଇଲରେ ପାଠପଢ଼ା ହେଉଥିଲେ ମଧ୍ୟ ସ୍ମାର୍ଟ ଫୋନ ନଥିବାରୁ ପାଠପଢା କଷ୍ଟସାଧ୍ୟ ହେଉଛି। ସାରା ରାଜ୍ୟରେ ହଜାର ହଜାର ପ୍ରବାସୀ ଶ୍ରମିକମାନଙ୍କ ପିଲାଙ୍କ ସ୍ଥିତି ଏବେ ଏମିତି।
ଆକ୍ସନ୍ ଏଡ୍ର ଏହି ଅଧ୍ୟୟନରେ ପ୍ରବାସୀ ଶ୍ରମିକଙ୍କ ପିଲାଙ୍କ ପାଠପଢାର ବିଭିନ୍ନ ଦିଗ ନେଇ ଆଲୋଚନା କରାଯାଇଛି। ଏଥିରେ କୁହାଯାଇଛି, ସ୍କୁଲ ବନ୍ଦ ଯୋଗୁଁ ବାପା-ମାଙ୍କ ସହିତ ବିଭିନ୍ନ ଇଟାଭାଟିକୁ ଯାଉଥିବା ଶିଶୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତବର୍ଷ ୬ରୁ ୧୪ ବର୍ଷର ୪୯ ପ୍ରତିଶତ ଶିଶୁ ଅଭିଭାବକଙ୍କ ସହିତ କାର୍ଯ୍ୟସ୍ଥଳକୁ ଯାଇଥିଲେ। ଚଳିତ ବର୍ଷ ଏହି ସଂଖ୍ୟା ୬୯ ପ୍ରତିଶତରେ ପହଞ୍ଚିଛି। ଏହି ବର୍ଷ ସ୍କୁଲଗୁଡ଼ିକ ବନ୍ଦ ହୋଇଯିବାରୁ ନିଜ ସନ୍ତାନଙ୍କୁ ବାଧ୍ୟରେ ନିଜ ସହିତ ଆଣିଥିବା ୭୯ ପ୍ରତିଶତ ପ୍ରବାସୀ ଶ୍ରମିକ କହିଛନ୍ତି। ୧୧ ପ୍ରତିଶତ ଅଭିଭାବକ ପରିବାରରେ ଅନ୍ୟ କେହି ନଥିବା ଏବଂ ୮ ପ୍ରତିଶତ ସୁରକ୍ଷା ଦୃଷ୍ଟିରୁ ଶିଶୁ କନ୍ୟାଙ୍କୁ ସାଙ୍ଗରେ ଆଣିଥିବା କହିଛନ୍ତି। ୨ ପ୍ରତିଶତ ଅଭିଭାବକଙ୍କ କହିବା ଅନୁସାରେ, ସେମାନଙ୍କ ପିଲାମାନେ ଋତୁକାଳୀନ ଛାତ୍ରାବାସରେ ରହିଥାଆନ୍ତି। ବର୍ତ୍ତମାନ ତାହା ବନ୍ଦ ଥିବାରୁ ସେମାନେ ଚଳିତବର୍ଷ ପ୍ରଥମ କରି ନିଜ ଛୁଆଙ୍କୁ କାର୍ଯ୍ୟକ୍ଷେତ୍ରକୁ ଆଣିଛନ୍ତି। ୪୩ ପ୍ରତିଶତ ଅଭିଭାବକ ସ୍କୁଲ ଯାଉଥିବା ପିଲାଙ୍କୁ ଘରେ ସେମାନଙ୍କ ଅଜା, ଆଈ କିମ୍ବା ସମ୍ପର୍କୀୟଙ୍କ ପାଖରେ ଛାଡ଼ି କାମକୁ ଆସିଥାଆନ୍ତି। ଚଳିତ ବର୍ଷ ସ୍କୁଲ ବନ୍ଦ ଥିବାରୁ ପିଲାଙ୍କୁ ନେଇ ଆସିଥିବା କହିଛନ୍ତି।
କୋଭିଡ୍ ଯୋଗୁଁ ୯୨ ପ୍ରତିଶତ ଅଭିଭାବକ ସେମାନଙ୍କ ପିଲାଙ୍କ ଅନ୍ଲାଇନ୍ ପାଠପଢ଼ା ପ୍ରଭାବିତ ହୋଇଥିବା କହିଛନ୍ତି। ଏହାର କାରଣ ନେଇ ୪୪ ପ୍ରତିଶତ କହିଛନ୍ତି, ଅର୍ଥାଭାବ ଯୋଗୁଁ ସ୍ମାର୍ଟଫୋନ କିମ୍ବା ନିୟମିତ ମୋବାଇଲ ଡାଟା କିଣିବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇନାହିଁ। ୨୮ ପ୍ରତିଶତ ଅଭିଭାବକ କହିଛନ୍ତି, ଘରକୁ ଫେରିବା ପରେ ପିଲାଙ୍କ ଆଡ୍ମିସନ୍ ଗାଁ ସ୍କୁଲରେ ହୋଇ ପାରିନଥିବାରୁ ପାଠପଢ଼ା ବନ୍ଦ ହୋଇଯାଇଛି। କେମିତି ପିଲାଙ୍କ ନାମଲେଖା ହେବ ଏ ସମ୍ପର୍କରେ ଜାଣିନଥିବା କହିଛନ୍ତି। ନାମ ଲେଖାଇଥିବା ପ୍ରବାସୀ ଶ୍ରମିକଙ୍କ ଶିଶୁଙ୍କ ମଧ୍ୟରେ ୨୮ ପ୍ରତିଶତ ଶିଶୁ ପାଠ୍ୟ ଉପକରଣ ପାଇଥିବା, ୨୨ ପ୍ରତିଶତ ଉଭୟ ଏମ୍ଡିଏମ୍ ଟଙ୍କା, ପାଠ୍ୟ ଉପକରଣ, ୧୯ ପ୍ରତିଶତ କେବଳ ଏମ୍ଡିଏମ୍ ଟଙ୍କା ପାଇଥିବା ଦର୍ଶାଇଛନ୍ତି। ୩୧ ପ୍ରତିଶତ ସବୁଥିରୁ ବଞ୍ଚିତ ହୋଇଥିବା ସେମାନଙ୍କ ଅଭିଭାବକ କହିଛନ୍ତି।
ନମୁନା ସର୍ଭେରେ ସ୍କୁଲ ବନ୍ଦ ଯୋଗୁଁ ୫୦ ପ୍ରତିଶତ ପିଲା କାମରେ ଲାଗିଥିବା ଅଭିଭାବକମାନେ ଦର୍ଶାଇଛନ୍ତି। ୪୬ ପ୍ରତିଶତ ବିଦ୍ୟାର୍ଥୀ ଅଭିଭାବକଙ୍କୁ କାର୍ଯ୍ୟରେ ସହଯୋଗ କରୁଛନ୍ତି, ୨୬ ପ୍ରତିଶତ ପିଲା ନିଜ ଭାଇ, ଭଉଣୀଙ୍କ ଯତ୍ନ ନେଉଛନ୍ତି, ୪ ପ୍ରତିଶତ ଶିଶୁ ବୁଲାବୁଲି କରୁଥିବା ଏବଂ ୨୦ ପ୍ରତିଶତ କାର୍ଯ୍ୟକ୍ଷେତ୍ର ନିକଟରେ ଥିବା ସ୍କୁଲରେ ପଢୁଥିବା ଦର୍ଶାଇଛନ୍ତି। ୪୫ ପ୍ରତିଶତ ଅଭିଭାବକ କୋଭିଡ କଟକଣା ସହିତ ସ୍କୁଲ ଖୋଲାଯାଉ ନଚେତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉ ବୋଲି କହିଛନ୍ତି। ୧୯ ପ୍ରତିଶତ କହିଛନ୍ତି, ସରକାରଙ୍କ ପକ୍ଷରୁ କମ୍ୟୁନିଟି କ୍ଲାସ୍ ଖୋଲାଗଲେ ତାଙ୍କ ପିଲା ପାଠ ପଢିପାରିବେ।