ଦାଦନ ଦୁଃଖ: ପାରିଶ୍ରମିକ ମାଗିବାରୁ ଦଲାଲଙ୍କ ଜଘନ୍ୟ କାଣ୍ଡ; ଶ୍ରମିକଙ୍କ ପାଦ, ପାପୁଲି କାଟିଦେଲେ

ମୋହନା/ଅଡ଼ବା : ଉତ୍ତରପ୍ରଦେଶରେ କାମ କରୁଥିବା ଗଜପତି ଜିଲ୍ଲାର ଜଣେ ଦାଦନ ଶ୍ରମିକଙ୍କ ହାତ ପାପୁଲି ଓ ପାଦ କାଟି ଦେଇଛନ୍ତି ଦଲାଲ। ମଦ ପିଆଇ ଅଚେତ କରିବାପରେ ଏଭଳି ଅମାନୁଷିକ କାଣ୍ଡ ଘଟାଇଛନ୍ତି। ଏହାପରେ ଗାଁରେ ଆଣି ଛାଡ଼ି ଦେଇଛନ୍ତି। ନିଜର ପାରିଶ୍ରମିକ ମାଗିବାରୁ ସମ୍ପୃକ୍ତ ଦାଦନ ଶ୍ରମିକଙ୍କୁ ଏହିଭଳି ଅବସ୍ଥା ଭୋଗିବାକୁ ପଡ଼ିଥିବା ଜଣାପଡ଼ିଛି।

ଏହି ଦାଦନ ଶ୍ରମିକ ହେଲେ, ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଦମାଦୁଆ ପଞ୍ଚାୟତ କଲବା ଗ୍ରାମର ଶାଙ୍କ ମୁର୍ମୁ। ଗତ ମାସ ୧୩ ତାରିଖରେ ବିରିକୋଟି ପଞ୍ଚାୟତ ହରଭଙ୍ଗି ଗ୍ରାମର ଠିକାଦାର ଆଦର ବର୍ଦ୍ଧନ ଏକ ସିମେଣ୍ଟ ଫ୍ୟାକ୍ଟ୍ରିରେ କାମ କରାଇବା ପାଇଁ ଉତ୍ତରପ୍ରଦେଶ ଯିବାକୁ ଶାଙ୍କଙ୍କୁ କହିଥିଲେ। ମାସିକ ୨୦ହଜାର ଟଙ୍କା ବେତନ ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ। ଶାଙ୍କ ଆଉ ୭ଜଣଙ୍କୁ ମଧ୍ୟ ରାଜି କରାଇଥିଲେ। ସେଠାରେ ପହଞ୍ଚିବାର ଦୁଇ ଦିନପରେ ଶାଙ୍କୁ ଓ ଅନ୍ୟମାନେ ସିମେଣ୍ଟ କମ୍ପାନିରେ କାମ କରିଥିଲେ। ସପ୍ତାହେ କାମ କରିବା ପରେ ଶାଙ୍କ ତାଙ୍କର ପାରିଶ୍ରମିକ ମାଗିଥିଲେ। ବାସ୍‌, ପ୍ରାପ୍ୟ ମାଗିବା ପ‌ରେ ନିଜର ଅସଲ ରୂପ ଦେଖାଇଥିଲେ ଦଲାଲ। ଶାଙ୍କୁ ଖୁବ୍‌ ମାର୍‌ପିଟ୍‌ କରିଥିଲେ। ଏହାପରେ ମଦ ପିଆଇ ଅଚେତ କରିବା ସହିତ ତାଙ୍କ ବାମ ଗୋଡ଼ର ପାଦ ଓ ଡାହାଣ ହାତ ପାପୁଲି କାଟି ଦେଇଥିଲେ। ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଶାଙ୍କଙ୍କୁ ଝାନ୍‌ସୀର ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ୨ ଦିନ ରହିଥିଲେ। ଏହାପରେ ଗତ ମାସ ୩୦ ତାରିଖରେ ଶାଙ୍କଙ୍କୁ ତାଙ୍କ ଗାଁରେ ଆଣି ଛାଡ଼ି ପଳାଇଥିଲେ ଦଲାଲ୍‌। ଗଲାବେଳେ ଏହି କଥା ପୁଲିସକୁ ନଜଣାଇବାକୁ ଚେତାବନୀ ଦେଇଥିଲେ। ପୁଲିସ୍‌କୁ ଜଣାଇଲେ ମାରିଦେବାକୁ ଧମକ ବି ଦେଇ ଚାଲିଗଲେ। ଏମିତିକି ତାଙ୍କ ସହ ତାଙ୍କ ପିଲାଛୁଆଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ଦଲାଲ।

ଏହି ଘଟଣା ପରେ ପୁଲିସରେ ଅଭିଯୋଗ କରିବା ପାଇଁ ସାହସ କରିପାରି ନଥିଲେ ଶାଙ୍କ। ତେବେ ଆପଣାଛାଏଁ କଥାଟା ପ୍ରଘଟ ହେବାପରେ ପୁଲିସ ନିଜଆଡ଼ୁ ଶାଙ୍କଙ୍କୁ ମୋହନା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବାସହ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।
ଶାଙ୍କଙ୍କ ପତ୍ନୀ ସୁଶିଳା ମୁର୍ମୁ କହିଛନ୍ତି, ତାଙ୍କ ସ୍ୱାମୀ ଦାଦନ ଖଟିବାକୁ ଯିବାକୁ ରାଜି ନଥିଲେ। ସେମାନେ ଜୋର୍‌ଜବରଦସ୍ତ ତାଙ୍କୁ ନେଇ ଯାଇଥିଲେ। ସେଠାକୁ ସ୍ୱାମୀ ଯିବାର କିଛିଦିନ ପରେ ସେମାନେ ଫୋନ୍ କରି ତାଙ୍କ ହାତ ପାପୁଲି ଓ ଗୋଡ଼ କଟି ଯାଇଥିବା କହିଥିଲେ। ପରିବାର କହିଲେ ଘରେ ତାଙ୍କ ସ୍ତ୍ରୀ ଓ ଦୁଇ ନାବାଳକ ଝିଅ ଓ ପୁଅ ଅଛନ୍ତି। ଶାଙ୍କ ଘରର ଏକମାତ୍ର ରୋଜଗାରିଆ ହୋଇଥିବାରୁ ଏବେ ସପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ଅର୍ଥ ଅଭାବରୁ ସେ ନିଜଘରେ ପଡ଼ି ଚେରମୂଳି ବାଟି ସେଥିରେ ଲେପଦେଇ ପ୍ରଭୁଙ୍କୁ ଆଶ୍ରାକରି ପଡ଼ି ରହିଥିଲେ। ଯଦି ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦିଆଯାଆନ୍ତା, ତା’ହେଲେ ସେ ଅତିଶୀଘ୍ର ଆରୋଗ୍ୟ ହୋଇପାରନ୍ତେ ବୋଲି କୋହଭରା କଣ୍ଠରେ ସେ କହିଛିନ୍ତି।

ଦାଦନ ଶ୍ରମିକଙ୍କ ପ୍ରତି ଏହିଭଳି ନିର୍ଯାତନାକୁ ନେଇ ଚାରିଆଡ଼େ ଚାଞ୍ଚଲ୍ୟ ଖେଳିଯାଇଛି।

ସମ୍ବନ୍ଧିତ ଖବର