ଗୁମା ଘାଟିରେ ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ୍ : ୪ ଗୁରୁତର, ୮ ଆହତ

ତାମିଲନାଡ଼ୁର ତ୍ରିଚି ସୂତାକଳକୁ କାମ କରିବାକୁ ଯାଉଥିଲେ, ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ବସରେ ଥିଲେ ବିହାର, ବୌଦ୍ଧ, ସୁନ୍ଦରଗଡ଼ର ଶ୍ରମିକ

ରାୟଗଡ଼ା : ୩୨୬ ନଂ ଜାତୀୟ ରାଜପଥର ଗୁମ୍ମା ଘାଟିରେ ପ୍ରବାସୀ ଶ୍ରମିକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସର ବ୍ରେକ୍ ଫେଲ୍ ହୋଇଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦୁର୍ଘଟଣାରେ ୪ ଶ୍ରମିକ ଗୁରୁତର ଏବଂ ୯ ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ମେଡ଼ିକାଲରେ ପହଞ୍ଚି ଗୁରୁତର ଓ ଆହତ ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି।

ଗତକାଲି ପ୍ରବାସୀ ଶ୍ରମିକଙ୍କୁ ନେଇ ବିହାରର ଆଲିଗଞ୍ଜରୁ ତାମିଲନାଡୁ ଅଭିମୁଖେ ବାହାରିଥିଲା ବସ୍। ବସ୍ ନଂ-ପିୱାଇ୦୧ବିଏ-୪୫୯୯ ରେ ୪୬ ଶ୍ରମିକ, ୩ ଜଣ କର୍ମଚାରୀଙ୍କୁ ମିଶାଇ ୪୯ ଜଣ ଥିଲେ। ଶ୍ରମିକମାନେ ତାମିଲନାଡୁ ରାଜ୍ୟର ତ୍ରିଚିରେ ଥିବା ଏକ ସୂ୍ତାକଳକୁ କାମ କରିବାକୁ ଯାଉଥିଲେ। ବିହାରର ୨୪, ବୌଦ୍ଧର ୨୨, ସୁନ୍ଦରଗଡର ୧୦ ଶ୍ରମିକ ବସରେ ଯାତ୍ରା କରୁଥିଲେ। ଆଜି ମଧ୍ୟାହଣ୍ ୨ଟାରେ ବସଟି ଗୁମ୍ମା ଘାଟି ଅତିକ୍ରମ କରୁଥିବା ବେଳେ ବ୍ରେକ୍ ଫେଲ୍ ହୋଇ ଯାଇଥିଲା। ଫଳରେ ଏକ ବୁଲାଣିରେ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଜୀବନ ରକ୍ଷା ପାଇଁ ଶ୍ରମିକମାନେ ବସକୁ ଅଟକାଇବା ପାଇଁ ଡ୍ରାଇଭରକୁ କହିଥିଲେ। କିନ୍ତୁ ବସର ଗତି ନ କମିବା ପରେ ଡ୍ରାଇଭର ବୁଦ୍ଧି ଖଟାଇ ବସକୁ ଏକ ଗଛ ସହ ଧକ୍କା କରିଥିଲେ। ଗଛକୁ ପିଟି ହୋଇ ବସଟି ରାସ୍ତା ଉପରେ ଓଲଟି ପଡିଥିଲା। ଦୁର୍ଘଟଣାରେ ଝାରଖଣ୍ଡ ଧାନବାଦର ରାଜ କୁମାର, ବୌଦ୍ଧ ଜିଲ୍ଲା କଣ୍ଟାମାଳର ବାହାନ ମହାନନ୍ଦିଆ, ବିହାର ଆଲିଗଞ୍ଜର ରବି ପାଶୱାନ୍, ତାମିଲନାଡୁ କୋଏମ୍ବାଟୁରର ବସ୍ ଡ୍ରାଇଭର କେ. କାଳୀ ସୋରେନ୍ ଗୁରୁତର ଆହତ ହୋଇଛନ୍ତି। ସେହିପରି ବୌଦ୍ଧର ମିଥୁନ୍ ମହାନନ୍ଦ (୨୧), କୈଳାସ ମହାନନ୍ଦ (୨୫), ଉଜ୍ଜାଲ କୁମ୍ଭାର (୨୨), ଗୋରେଖ ମହାନନ୍ଦ (୨୦) ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ରାୟଗଡ଼ା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, କୁମ୍ଭିକୋଟା ଫାଣ୍ଡି ଅଧିକାରୀ ପିତାମ୍ବର ସାଗରଙ୍କ ସମେତ ଅନ୍ୟ ପୁଲିସ୍ କର୍ମଚାରୀ ପହଞ୍ଚି ଆମ୍ବୁଲାନସ୍ ମାଧ୍ୟମରେ ଆହତ ଓ ଗୁରୁତର ଶ୍ରମିକଙ୍କୁ ମେଡ଼ିକାଲକୁ ନେଇଥିଲେ। ଗୁରୁତର ଶ୍ରମିକ ରାଜ କୁମାରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ରାୟଗଡ଼ା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଶ୍ରମିକଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସୁରକ୍ଷିତ ଭାବେ ନିଜ ଘରକୁ ପଠାଇବା ପାଇଁ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ। ସମସ୍ତ ଶ୍ରମିକଙ୍କୁ ସହରର ଅଶୋକ କଲ୍ୟାଣ ମଣ୍ଡପରେ ରଖାଯିବା ସହ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ସ୍ବତନ୍ତ୍ର ବସ୍ ମାଧ୍ୟମରେ ବୌଦ୍ଧ, ସୁନ୍ଦରଗଡ ଜିଲ୍ଲାର ଶ୍ରମିକଙ୍କୁ ଘରକୁ ପଠାଯିବା ପରେ ଟ୍ରେନ୍ ମାଧ୍ୟମରେ ବିହାର ଶ୍ରମିକଙ୍କୁ ପଠାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ସମସ୍ତ ଶ୍ରମିକଙ୍କ ପାଇଁ ଆବଶ୍ୟକ ଖାଦ୍ୟ ସାମଗ୍ରୀର ବ୍ୟବସ୍ଥା କରିବାକୁ ପୌର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀଙ୍କୁ ଦାୟିତ୍ବ ଦିଆଯାଇଛି।

ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
ରାୟଗଡ଼ା : ଗୁମ୍ମା ଘାଟିରେ ହୋଇଥିବା ବସ୍ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ। କିପରି ଏବଂ କେଉଁ ପରିସ୍ଥିତିରେ ବସ୍ ଦୁର୍ଘଟଣାଗ୍ରସ୍ତ ହେଲା ତାହାର ମିଳିତ ତଦନ୍ତ କରିବାକୁ ପୁଲିସ୍ ଓ ପରିବହନ ବିଭାଗକୁ ନିର୍ଦେଶ ହୋଇଛି। ବସରେ ଯାତ୍ରା କରୁଥିବା ଶ୍ରମିକମାନେ ଶ୍ରମ ଆଇନ ଅନୁସାରେ ପଞ୍ଜିକୃତ ହୋଇଛନ୍ତି କି ନାହିଁ, ଏବଂ କେଉଁ କଂପାନିକୁ ଯାଉଥିଲେ ତାର ସବିଶେଷ ତଦନ୍ତ କରିବାକୁ ଶ୍ରମ କମିଶନରଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ଦୁର୍ଘଟଣାର ଶିକାର ହୋଇଥିବା ବସର ଇନସ୍ୟୁରାନସ୍, ଫିଟିନେସ୍ ଥିଲା କି ନାହିଁ ସେ ନେଇ ତଦନ୍ତ କରିବେ ଜିଲ୍ଲା ପରିବହନ ଅଧିକାରୀ। ବସର କ୍ଷମତା ଅନୁଯାୟୀ ୪୬ ଶ୍ରମିକ ଥିବା ବେଳେ ବସଟି ମଙ୍ଗଳବାର ରାତିରେ ବିହାରରୁ ବାହାରିବା ପରେ ଗତକାଲି ଓଡ଼ିଶାରେ ପହଞ୍ଚିଥିଲା। ପ୍ରଥମେ ସୁନ୍ଦରଗଡ ପରେ ରାଉରକେଲା, ବୌଦ୍ଧରୁ ଶ୍ରମିକଙ୍କୁ ଉଠାଇବା ପରେ କଳାହାଣ୍ଡି, ରାୟଗଡ଼ା, ବିଶାଖାପାଟଣା ଦେଇ ତାମିଲନାଡୁରେ ପହଞ୍ଚିଥାନ୍ତା। ଆଜି କାଶୀପୁର ଦେଇ ରାୟଗଡ଼ା ଅଭିମୁଖେ ବସଟି ଆସୁଥିବା ବେଳେ ଦୁର୍ଘଟଣା ଘଟିଛି। ଘଟଣା ପରେ ଅତିରିକ୍ତ ଜିଲ୍ଲାପାଳ ଆହତ ଓ ଗୁରୁତରଙ୍କୁ ମେଡ଼ିକାଲରେ ସାକ୍ଷାତ କରିଛନ୍ତି।

ଗତ ୪ ଦିନ ତଳେ ଗଞ୍ଜାମ ଜିଲ୍ଲାର ଶ୍ରମିକଙ୍କୁ ନେଇ ସୁରଟ ଅଭିମୁଖେ ଏକ ବସ୍ ଯାଉଥିବା ବେଳେ ରାୟପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ପୁଣି ଆଜି ରାୟଗଡ଼ା ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।

ସମ୍ବନ୍ଧିତ ଖବର