ସଂଗରୋଧ କେନ୍ଦ୍ରରେ ଖାଦ୍ୟ ଫିଙ୍ଗିଲେ
ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଡ଼ୁଆ ବଢ଼ିଲା

Advertisment

ବେଗୁନିଆପଡ଼ା/କୋଦଳା : ଗଞ୍ଜାମ ଜିଲ୍ଲାରେ ଆଜି ଦୁଇ ସୁରତ ଫେରନ୍ତାଙ୍କ ନମୁନା ପଜିଟିଭ୍ ଆସିବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଛି। ଆଉ ଏଭଳି ଜଟିଳ ପରିସ୍ଥିତିରେ ବେଗୁନିଆପଡ଼ା ବ୍ଲକ୍‌ର ଦୁଇଟି ସଙ୍ଗରୋଧ କେନ୍ଦ୍ରରୁ ଶତାଧିକ ସୁରତ ଫେରନ୍ତା କ୍ବାରାଣ୍ଟିନ୍ ନିୟମ ଭାଙ୍ଗିବା ସାଙ୍ଗକୁ ଫାଟକ ଭାଙ୍ଗି ଓ ଡେଇଁ ଚମ୍ପଟ୍ ମାରିଛନ୍ତି। ଜିଲ୍ଲା ପ୍ରଶାସନକୁ ଏହି ଘଟଣା ହରଡ଼ଘଣାରେ ପକାଇଛି। ଆଉ ଆଗକୁ ସହସ୍ରାଧିକ ପ୍ରବାସୀ ଓଡ଼ିଆ ଫେରୁଥିବାରୁ ପରିସ୍ଥିତି ଅଣାୟତ୍ତ ହେବା ଆଶଙ୍କା ଦେଖାଦେଇଛି।

ମିଳିଥିବା ସୂଚନାନୁସାରେ, ଗତକାଲି ବେଗୁନିଆପଡ଼ା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ହୋଇଥିବା ସଙ୍ଗରୋଧ ଗୃହରେ ସୁରତ ଫେରନ୍ତା ଶ୍ରମିକଙ୍କୁ ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ବେଗୁନିଆପଡ଼ା ଜନତା ହାଇସ୍କୁଲ୍‌ରେ ୨୨୧ ଓ ରାଗପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୭୯ଜଣ ଥିଲେ। ଆଜି ସକାଳ ୭ଟାବେଳେ ଜନତା ହାଇସ୍କୁଲ୍ ପରିସରରୁ ହଠାତ୍ ଶତାଧିକ ସୁରତ ଫେରନ୍ତା ଫାଟକ ଭାଙ୍ଗି ଚମ୍ପଟ୍ ମାରିଥିଲେ। ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରୁ ଶତାଧିକ ଫାଟକ ଡେଇଁ ପଳାଇଥିଲେ। ଉଭୟ ସଙ୍ଗରୋଧ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ ଆଣିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ସେଠାରେ ପୁଲିସ ମୁତୟନ ହୋଇ ନଥିଲେ। ଫଳରେ ଏହାର ସୁଯୋଗ ନେଇ ଉଭୟ କେନ୍ଦ୍ରର ଶତାଧିକ ଅନ୍ତେବାସୀ ଚାଲି ଚାଲି ନିଜ ଗ୍ରାମ ଅଭିମୁଖେ ପଳାଇବାକୁ ବାହାରିବା ସହ ବଜାରରୁ ଜିନିଷପତ୍ର ବି କିଣିଥିଲେ। କିଛି ଅନ୍ତେବାସୀ ଖଲ୍ଲିକୋଟ ଓ କୋଦଳା ଅଭିମୁଖେ ଯାଉଥିବା ବେଳେ ଆଉ କିଛି ଜମିହିଡ଼ ଉପରେ ଚାଲୁଥିବା ଦେଖିବାକୁ ମିଳିଥିଲା।

publive-image

କଞ୍ଚଣା ନିକଟରେ ବେଗୁନିଆପଡ଼ା ବିଡିଓ ବେଦବର ପ୍ରଧାନ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, କୋଦଳା ଥାନାଧିକାରୀ ଦେବାଶିଷ ମହାନ୍ତି, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତିରଂଜନ ମହାନ୍ତି ଓ ଖଲ୍ଲିକୋଟ ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ ପହଞ୍ଚି ବୁଝାସୁଝା କରି ବିଭିନ୍ନ ଗ୍ରାମ ନିକଟରୁ ଫେରାଇ ଆଣିଥିଲେ। ବର୍ତ୍ତମାନ ସୁଦ୍ଧା ୨୨୧ଜଣଙ୍କ ମଧ୍ୟରୁ ୧୮୫ଜଣଙ୍କୁ ଠାବ କରାଯାଇଥିବା ବେଳେ ଅନ୍ୟ ମାନଙ୍କ ଖୋଜ୍‌ଖବର ମିଳିନି। ସେପଟେ ଆଦର୍ଶ ବିଦ୍ୟାଳୟରୁ ପଳାଇଥିବା ସମସ୍ତ ୧୭୯ଜଣଙ୍କୁ ଠାବ କରାଯାଇଛି। ସେମାନଙ୍କ ମଧ୍ୟରୁ ୩୧ଜଣଙ୍କୁ ସାଙ୍କୁଡ଼ା କ୍ବାରାଣ୍ଟିନ୍‌କୁ ପଠାଯାଇଛି। ଉଭୟ କେନ୍ଦ୍ରରୁ ମୋଟ ୩୬୪ଜଣଙ୍କୁ ଠାବ କରାଯାଇଛି। ୩୬ଜଣଙ୍କ ପତ୍ତା ମିଳିନି।

ଅପରାହ୍‌ଣରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସ୍‌.ପି. ବ୍ରିଜେଶ ରାଏ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଫେରାର୍ ଅନ୍ତେବାସୀଙ୍କୁ ଠାବ କରିବାକୁ ପ୍ରଶାସନ ଉଦ୍ୟମ ଚଳାଇଛି। ସେପଟେ ଆଜି ସକାଳୁ ଗୋଟିଏ ବସ୍ ଆସି କୋଦଳା ବସ୍‌ଷ୍ଟାଣ୍ଡରେ ଲାଗିବା ସହ ସୁରତ ଫେରନ୍ତା ଖୁଲମ୍‌ଖୁଲା ବୁଲୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ପ୍ରଶାସନର କୌଣସି ଅଧିକାରୀଙ୍କ ଦେଖା ମିଳି ନଥିଲା।

ଅନ୍ୟପକ୍ଷରେ ଆଜି ଗଞ୍ଜାମ ବ୍ଲକ୍‌ର ଶତ୍ରୃଶଲ ଆଦର୍ଶ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ମଧ୍ୟ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲିଠାରୁ ଏଠାରେ ରଖା ଯାଇଥିବା ସୁରତ ଫେରନ୍ତା କିଛି ଅନ୍ତେବାସୀ ମଧ୍ୟାହ୍ନ ଭୋଜନ ବିଳମ୍ବରେ ଦିଆଯିବା ଏବଂ କେବଳ ଭାତ-ଡାଲମା ଦିଆଯାଇଥିବାରୁ ପାଟିତୁଣ୍ଡ କରି ଖାଦ୍ୟ ଫିଙ୍ଗିଥିଲେ। ତେବେ ସ୍ଥାନୀୟ ଲୋକ ପ୍ରତିନିଧି ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

କୁଲାଗଡ଼ରେ ହରତାଳ, ଅଧିକାରୀ ନାକେଦମ୍
ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ କୁଲାଗଡ଼ରେ ଗତକାଲି ବିଳମ୍ବିତ ରାତିରେ ସୁରତରୁ ଦୁଇଟି ବସ୍‌ ଫେରିଥିଲା। ସ୍ବାସ୍ଥ୍ୟ ଯାଞ୍ଚ ପରେ ସେମାନଙ୍କୁ ମା’ କାଳୀ ହାଇସ୍କୁଲ୍ ସଙ୍ଗରୋଧ ଗୃହରେ ରଖାଯାଇଥିଲା। ତେବେ ପହଞ୍ଚିବା କ୍ଷଣି ସେମାନେ ହରତାଳ କରିବା ସହ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ନାକେଦମ୍ କରିପକାଇଥିଲେ। ଖଟ ପକାଯାଇ ନଥିବାରୁ ସେମାନେ ତଳେ ଶୋଇବାକୁ ମନା କରି ହୋହଲ୍ଲା କରିଥିଲେ। ସେହିପରି ବିଦ୍ୟାଳୟ ପରିସର ସଫେଇ ହୋଇ ନଥିବା ଅଭିଯୋଗ ଆଣିବା ସହ ଭଲ ଖାଇବା ଦେବାକୁ ଦାବି କରିଥିଲେ। ସେମାନେ ପ୍ରବଳ ପାଟିତୁଣ୍ଡ କରିବାରୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ୩ ଘଣ୍ଟା କାଳ ସୁରତ ଫେରନ୍ତାମାନେ ଅଧିକାରୀଙ୍କୁ ନାକେଦମ୍ କରିଥିଲେ। ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।