ପଶ୍ଚିମବଙ୍ଗରେ ମାନବିକ ଅଧିକାର ଉଲ୍ଲଂଘନ : ପୋକମାଛି ପରି ପଡ଼ି ରହିଛନ୍ତି ୧୫ ଶହ ଶ୍ରମିକ

ଜଳେଶ୍ବର : କରୋନା ମହାମାରୀ ସମୟରେ ଲୋକେ ଘରମୁହାଁ ହେଉଥିବାବେଳେ ପଶ୍ଚିମବଙ୍ଗ ସରକାର ସ୍ବାସ୍ଥ୍ୟ ପରୀକ୍ଷା ନାଁରେ ବିଭିନ୍ନ ରାଜ୍ୟର ଲୋକଙ୍କୁ ସୀମାରେ ଅଟକାଇ ମାନସିକ ଯନ୍ତ୍ରଣା ଦେଉଥିବା ପ୍ରବାସୀ ଶ୍ରମିକମାନେ ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗର ସୁନାକଣିଆଠାରେ ଯେଉଁ କ୍ବାରାଣ୍ଟିନ୍ କେନ୍ଦ୍ର ଖୋଲାଯାଇଛି ସେଠାରେ ୧୫ ଶହରୁ ଅଧିକ ଲୋକେ ପୋକମାଛି ପରି ପରହିଛନ୍ତି। କ୍ବାରାଣ୍ଟିନ୍ କେନ୍ଦ୍ରରେ ପିଇବା ପାଣି ମିଳୁନି। ଭାଗ୍ୟରେ ଥିଲେ ଦୁଇଓଳି ଖାଇବାକୁ ମିଳୁଛି। ସ୍ନାନଶୌଚ ସୁବିଧା ତ ନାହିଁ କହିଲେ ଚଳେ। ଶୋଇବା ଦୂରେ ଥାଉ, ଜାଗା ଅଭାବରୁ ଯିଏ ଯେଉଁଠି ବସିଛି, ସେଠୁ ହଲିବାର ପ୍ରଶ୍ନ ଉଠୁନାହିଁ। ଏମିତି ଅକଥନୀୟ ଦୁର୍ଦ୍ଦଶାରେ ପଡି ରହିଛନ୍ତି ସହସ୍ରାଧିକ ଲୋକେ।

ପଶ୍ଚିମବଙ୍ଗରେ ରହି ଶ୍ରମଜୀବୀ ଭାବେ କାମ କରୁଥିବା ଝାଡ଼ଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, କର୍ଣାଟକ ଓ ଓଡ଼ିଶାର ଶହଶହ ଶ୍ରମିକ ନିଜ ନିଜ ଘରକୁ ଫେରିବା ପାଇଁ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ବାଟେ ଆସି ସୁନାକଣିଆରେ ପହଞ୍ଚିବା ପରେ ପଶ୍ଚିମବଙ୍ଗ ସରକାର ସେମାନଙ୍କୁ କ୍ବାରାଣ୍ଟିନ କେନ୍ଦ୍ରକୁ ପଠାଇ ଦେଉଛନ୍ତି। ଗତ ୪ ଦିନ ଭିତରେ ଏମାନଙ୍କ ସଙ୍ଖ୍ୟା ୧୫ ଶହ ଟପିଗଲାଣି। ସ୍ବାବ୍‌ ପରୀକ୍ଷା ପରେ ସେମାନେ ନିଜ ଘରକୁ ଯାଇପାରିବେ ବୋଲି ପଶ୍ଚିମବଙ୍ଗ ସରକାର କହୁଥିବା ବେଳେ ସ୍ବାବ୍‌ ପରୀକ୍ଷା କିନ୍ତୁ ଅଦ୍ୟାବଧି ଆରମ୍ଭ ହୋଇନାହିଁ। କ୍ବାରାଣ୍ଟିନ୍ କେନ୍ଦ୍ରକୁ ଲାଗି ୧୦୦୦ରୁ ଅଧିକ ସାଇକେଲ, ୩ ଶହରୁ ଉର୍ଦ୍ଧ୍ବ ବାଇକ ପଡ଼ିରହିଛି। କ୍ବାରାଣ୍ଟିନରେ ଥିବା ଏହି ଲୋକଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ପଶ୍ଚିମବଙ୍ଗ ପୁଲିସ ସାମ୍ବାଦିକଙ୍କୁ ମଧ୍ୟ ଅନୁମତି ଦେଉନାହିଁ ବୋଲି ଅନେକ ଓଡ଼ିଆ ଶ୍ରମିକ ଫୋନ୍ ଯୋଗେ ନିଜ ପରିଜନମାନଙ୍କୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର