ସମ୍ବଲପୁର: ‘ବିଶାଖାପଟନମ୍ର ଇଟାଭାଟି ନ ଆମେ ଇଟା ବୁହିସୁଁ। ୬ ମାସ୍ ଲାଗି ଇନ୍କେ ଆଇଛୁଁ। ଜୁନ୍ ମାସେ ଆମର କବାର୍ ସର୍ବା, ତାର୍ ଆଘୋ ମାଲିକ ଛୁଟି ନାଇଁ ଦିଅନ୍। ହେତିର୍ ଲାଗି ଭୋଟ୍ ଲାଗି ଯାଇ ନାଇଁ ହୁଏ। ଇହାଦେ ତକ୍ କେହେନି ପ୍ରାର୍ଥୀ କି ସରକାରୀ ଅଧିକାରୀ ବି ନାଇଁ କହି। ଯେନ୍ମାନେ ଇଟା ବନଉଛନ୍ ମେ’ ମାସେ ସେମାନକର୍ କାମ୍ ସରିଯିବା, ସେମାନେ ଫିରିଯିବେ। ସେମାନେ ଭୋଟ୍ ଦେଇପାର୍ବେ’। ଏହା ହେଉଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖପ୍ରାଖୋଲର ଅନୁ କପାଟଙ୍କ କଥା। ସେହିଭଳି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିର୍ବାଚନମଣ୍ଡଳୀ ମେଘପାଲର ବାହାରିନ ଲୁଗୁନ କହନ୍ତି, ସେମାନେ ପୂର୍ବରୁ କେରଳରେ କାର୍ଯ୍ୟ କରୁଥିଲେ। କୋଭିଡ୍ ସମୟରେ ଘରକୁ ଫେରି ଏବେ ମୁମ୍ବାଇରେ କାର୍ଯ୍ୟ କରୁଛନ୍ତି। ନିର୍ବାଚନରେ ଭୋଟ୍ଦେବା ସମ୍ଭବ ନୁହେଁ। ଏହା କେବଳ ଉଦାହରଣ ମାତ୍ର। ସରକାରୀ ତଥ୍ୟ ଅନୁସାରେ ବାହାର ରାଜ୍ୟରେ କାର୍ଯ୍ୟରତ ୪୦ ହଜାର ୮ଜଣ ପ୍ରବାସୀ ଶ୍ରମିକ ତାଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ ନା ଏଥିରୁ ବଞ୍ଚିତ ହେବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗଣତନ୍ତ୍ରର ଏହି ମହାପର୍ବ ସମୟରେ ନୂଆପଡ଼ା ଜିଲ୍ଲାର ବୋଡ଼େନ, ବଲାଙ୍ଗୀରର କଣ୍ଟାବାଞ୍ଜି, ଖପ୍ରାଖୋଲ ଠାରୁ ବରଗଡ଼ ପଦମପୁରର ଅନେକ ପ୍ରବାସୀ ଶ୍ରମିକଙ୍କ ଘରେ ତାଲା ଝୁଲୁଛି।
କରୋନା ସଂକ୍ରମଣ କାଳରେ ୧୦ ଲକ୍ଷ ୦୭ ହଜାର ୩୩୦ ଜଣ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିଥିଲେ। କରୋନା ସମୟରେ ସେମାନଙ୍କୁ ରୋଜଗାର ପାଇଁ ମନରେଗା ଯୋଜନାକୁ ସମ୍ପ୍ରସାରିତ କରାଯାଇ ଥିଲା। କିନ୍ତୁ କିଛିମାସ ପରେ ଏହା ବନ୍ଦ ହୋଇଗଲା। ଫେରିଥିବା ପ୍ରବାସୀ ଶ୍ରମିକଙ୍କ ରୋଜଗାର ପାଇଁ କୌଣସି ଆଖିଦୃଶିଆ ବ୍ୟବସ୍ଥା ହେଲାନାହିଁ। ତେଣୁ ୨୦୨୧ ପରେ ଲକ୍ଷାଧିକ ଶ୍ରମିକ ପୁଣି ରୋଜଗାର ପାଇଁ ବାହାରକୁ ଯିବାପାଇଁ ବାଧ୍ୟ ହୋଇଥିଲେ। ସରକାରୀ ତଥ୍ୟ ଅନୁସାରେ, ରାଜ୍ୟର ଲାଇସେନ୍ସପ୍ରାପ୍ତ ୪୦ ହଜାର ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ବଲାଙ୍ଗୀରର ସର୍ବାଧିକ ୨୬ ହଜାର ୧୫୧, ନୂଆପଡ଼ାର ୮୨୦୫, ଗଞ୍ଜାମର ୧୪୬୭, କଳାହାଣ୍ଡିର ୬୫୦, ବରଗଡ଼ର ୪୫୦, କଟକର ୩୫୭, ସମ୍ବଲପୁରର ୨୮୫, ରାୟଗଡ଼ାର ୨୪୦, ଖୋର୍ଧାର ୪୮୫ ଜଣ ଅଛନ୍ତି। ଏହି ତଥ୍ୟାନୁସାରେ ଅନୁଗୁଳ, ଭଦ୍ରକ, ବୌଦ୍ଧ, ଦେବଗଡ଼, ଗଜପତି, କନ୍ଧମାଳ, ମାଲକାନଗିରି, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ସଂଖ୍ୟା ଶୂନ୍ ଅଟେ। ଯାହା ପ୍ରକୃତ ପ୍ରବାସୀ ଶ୍ରମିକ ସଂଖ୍ୟାଠାରୁ ଢେର୍ କମ୍ ଉଲ୍ଲେଖ ରହିଥିବା ଜଣାପଡ଼େ। ଅର୍ଥାତ୍ ରାଜ୍ୟର ଆହୁରି ଅନେକ ପ୍ରବାସୀ ଶ୍ରମିକ ବାହାରେ କାର୍ଯ୍ୟ କରୁଛନ୍ତି ଯାହାଙ୍କ ବିଷୟରେ ପ୍ରଶାସନ ଅବଗତ ନାହିଁ। ଚଳିତ ନିର୍ବାଚନରେ ରାଜ୍ୟ ସ୍ତରରେ ବିଜ୍ଞାପନରେ ଦାଦନ ସମସ୍ୟାକୁ ନେଇ ବିରୋଧୀ ସରକାରଙ୍କୁ ଘେରୁଛନ୍ତି। କିନ୍ତୁ ସେମାନେ ନିର୍ବାଚନରେ କିଭଳି ମତଦାନ କରିବେ ଏହାକୁ ନେଇ ପ୍ରାର୍ଥୀ କିମ୍ବା ସରକାରଙ୍କ କୌଣସି ବ୍ୟବସ୍ଥା ନାହିଁ।
ସାମାଜିକ କର୍ମକର୍ତ୍ତା ଅଜିତ ପଣ୍ଡାଙ୍କ ଅନୁସାରେ, ପଞ୍ଚାୟତ ନିର୍ବାଚନରେ ପ୍ରବାସୀ ଶ୍ରମିକଙ୍କୁ ପଞ୍ଚାୟତ ଆଣିବା ପାଇଁ ସରପଞ୍ଚ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ବ୍ୟବସ୍ଥା କରନ୍ତି। ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ସେମାନଙ୍କୁ ପ୍ରାର୍ଥୀମାନେ ଏତେ ଗୁରୁତ୍ବ ଦିଅନ୍ତି ନାହିଁ। ତେଣୁ କଳାହାଣ୍ଡି, ନୂଆପଡ଼ା ଭଳି ଦାଦନପ୍ରବଣ ଅଞ୍ଚଳରେ ମଧ୍ୟ ସେମାନଙ୍କ ସମସ୍ୟାକୁ ପ୍ରସଙ୍ଗ କରାଯାଏ ନାହିଁ। ସେହିପରି ସାମାଜିକ କର୍ମକର୍ତ୍ତା ସୁଶାନ୍ତ ପାଣିଗ୍ରାହୀଙ୍କ କହନ୍ତି, ଆନ୍ଧ୍ରପ୍ରଦେଶର କେବଳ ପଦ୍ମନାଭନ ତହସିଲ୍ରେ ୧୦୦ରୁ ଅଧିକ ଇଟାଭାଟି ଅଛି। ଯେଉଁଠି ବଲାଙ୍ଗୀର ଏବଂ କଳାହାଣ୍ଡି, ନୂଆପଡ଼ାର ଲକ୍ଷାଧିକ ଶ୍ରମିକ କାର୍ଯ୍ୟ କରନ୍ତି। ଏମାନେ ଡିସେମ୍ବର, ଜାନୁଆରିରୁ ଆସିଛନ୍ତି। ଜୁନ୍ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ତେଣୁ ସେମାନେ ନିର୍ବାଚନରେ ଅଂଶଗ୍ରହଣ ନେଇ ସନ୍ଦେହ ରହିଛି। ସରକାରୀ ସୂତ୍ର ଅନୁସାରେ, ବାହାରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ପୋଷ୍ଟାଲ ବ୍ୟାଲଟ୍ର ବ୍ୟବସ୍ଥା ରହିଛି। କିନ୍ତୁ ପ୍ରବାସୀ ଶ୍ରମିକ ଏହାକୁ କିଭଳି ଉପଯୋଗ କରିବେ ତାକୁ ନେଇ ବିଶେଷଜ୍ଞ ମହଲରେ ସଂଶୟ ଲାଗି ରହିଛି।