ଦୁର୍ଦଶା ବଢ଼ାଇଲା କରୋନା ଲକ୍‌ଡାଉନ୍‌ : ପଦଯାତ୍ରାରେ ୧୪ ଦାଦନ, ୨୫୦ କିଲୋମିଟର ଚାଲିବାକୁ ନିଷ୍ପତ୍ତି

ମାଲକାନଗିରି : ଲକ୍‌ଡାଉନ୍‌ ପରେ ଥମି ଯାଇଛି ସାରା ଦେଶ। ଏହାପରେ ଦୁର୍ଦ୍ଦଶା ମଧ୍ୟକୁ ଚାଲି ଯାଇଛନ୍ତି ଭିଟାମାଟି ଛାଡ଼ିଥିବା ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ। ଖାଇବାକୁ ପାଖରେ ମୁଠେ ନଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ। ସଞ୍ଚିତ ଅର୍ଥ ବି ସାରି ଆସିଲାଣି। ଏମିତି ସ୍ଥିତିରେ ଫସି ରହିଥିବା ଶ୍ରମିକ ନିଜ ନିଜ ଗାଁ ଅଭିମୁଖେ ବାହାରିଛନ୍ତି। ମାଲକାନଗିରି ଜିଲ୍ଲାରେ ରହିଥିବା ୧୪ଜଣ ଶ୍ରମିକ ମଧ୍ୟ ନିଜ ଭିଟାମାଟିକୁ ଫେରିବା ପାଇଁ ପଦଯାତ୍ରା ଆରମ୍ଭ କରିଛନ୍ତି।

କାଲିମେଳା ବ୍ଲକ୍‌ ଅନ୍ତର୍ଗତ ଏମଭି-୭୯ ଅଂଚଳରେ ନବରଂଗପୁର ଜିଲ୍ଲା ନୂଆଗୁଡ଼ା ଗ୍ରାମର ପ୍ରାୟ ୧୪ଜଣ ଶ୍ରମିକ କାମ କରୁଥିଲେ। ତେବେ ଲକ୍‌ଡାଉନ୍‌ ଯୋଗୁଁ ଜୀବିକା ହରାଇବାରୁ ଗାଁକୁ ବାହାରିଛନ୍ତି। କୌଣସି ଗାଡ଼ି ଚଳାଚଳ କରୁ ନଥିବାରୁ ସେମାନେ ୨୫୦କିଲୋମିଟର ରାସ୍ତାକୁ ପାଦରେ ଅତିକ୍ରମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏମଭି-୭୯ ଛାଡ଼ିବା ପରେ ୭୦କିଲୋମିଟର ଅତିକ୍ରମ କରି ଆଜି ମାଲକାନଗିରିରେ ପହଞ୍ଚିଥିଲେ। ଆଉ ଚାରି ପାଞ୍ଚ ଦିନ ମଧ୍ୟରେ ସେମାନେ ନିଜ ନିଜ ଗାଁରେ ପହଞ୍ଚିଯିବେ ବୋଲି କହିଥିଲେ। ଏମଭି-୭୯ ଅଂଚଳରେ ସେମାନେ ରହୁଥିଲେ ମଧ୍ୟ ବହୁ ଦୁର୍ଗମ ଅଞ୍ଚଳରେ କାମ କରୁଥିଲେ। ଜଣେ ଠିକାଦାରଙ୍କ ଅଧୀନରେ ନିର୍ମାଣ କାମରେ ନିୟୋଜିତ ହୋଇଥିଲେ। ଠିକାଦାର ଜଣକ କାମ ବନ୍ଦ ହୋଇଯାଇଛି, ତେଣୁ ଘରକୁ ଚାଲି ଯିବାକୁ କହିଲେ। କିନ୍ତୁ ଘରକୁ ପଠାଇବା ପାଇଁ କୌଣସି ବ୍ୟବସ୍ଥା କରି ନଥିବା ଏହି ଶ୍ରମିକମାନେ କହିଛନ୍ତି।

ମାଲକାନଗିରି ଜିଲ୍ଲାରେ ଏମିତି ବହୁ ଶ୍ରମିକ ଫସି ରହିଥିବା ଜଣାପଡ଼ିଛି। ସେହିପରି ଜିଲ୍ଲାର ବହୁ ଶ୍ରମିକ ପଡ଼ୋଶୀ ଆନ୍ଧ୍ର, ତେଲେଙ୍ଗାନା ଏବଂ ଛତିଶଗଡ଼ରେ ଅକଳିଆ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ତରଫରୁ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଥିବା ବେଳେ କେଉଁ ଅଞ୍ଚଳରେ କେତେ ଜଣ ଶ୍ରମିକ ରହିଛନ୍ତି ତାହାର କୌଣସି ସ୍ପଷ୍ଟ ତଥ୍ୟ ମିଳୁନାହିଁ। ଯାହାକି ପ୍ରଶାସନ ପାଇଁ ଅଡ଼ୁଆ କରୁଛି। ସେହିପରି ଯଦି କେହି ସଂକ୍ରମିତ ହୋଇଥିବେ ତେବେ ଜିଲ୍ଲାରେ ବିଷମ ପରିସ୍ଥିତି ସୃଷ୍ଟି ହେବାର ଯଥଷ୍ଟେ ସମ୍ଭାବନା ରହିଛି। ଚିନାଇରେ ମଧ୍ୟ କିଛି ମହିଳା ଫସି ରହିଥିବା ସୂଚନା ରହିଛି। ଜିଲ୍ଲା ପ୍ରଶାସନ ସେମାନଙ୍କୁ କିପରି ଉଦ୍ଧାର କରିବ ସନେଇ ଯୋଜନା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର