ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିଥିବା ଲୋକଙ୍କ ସଂଖ୍ୟା ବଢ଼ୁଛି, ଫେରନ୍ତାଙ୍କ ସଂଖ୍ୟା ୮୪ ହଜାର ଛୁଇଁଲା

ନ୍ୟୁଜ୍ ପ୍ରିଣ୍ଟ, ଖବରକାଗଜ ବିତରଣ ଯାନ କଟକଣାମୁକ୍ତ

ଭୁବନେଶ୍ବର : ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିଥିବା ଲୋକଙ୍କ ସଂଖ୍ୟାରେ ଦିନକୁ ଦିନ ବୃଦ୍ଧି ଘଟିବାରେ ଲାଗିଛି। ଗତ କିଛି ଦିନ ଭିତରେ ଅନ୍ୟ ରାଜ୍ୟରୁ ୮୪ ହଜାର ଲୋକ ଓଡ଼ିଶାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି କରୋନା ସଂକ୍ରମିତ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ସେମାନଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧ ବା କ୍ବାରାଣ୍ଟିନ୍‌ରେ ରହିବା ଲାଗି କଡ଼ା ନିର୍ଦ୍ଦେଶ ଦିଆଯାଇଛି ବୋଲି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି।

ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ, ଦେଶରେ କରୋନା(କୋଭିଡ୍‌-୧୯) ଦ୍ବିତୀୟ ପର୍ଯ୍ୟାୟରେ ରହିଛି। ତୃତୀୟ ପର୍ଯ୍ୟାୟରେ ଗୋଷ୍ଠୀ ସଂକ୍ରମଣ ହୋଇଥାଏ। ପରେ ଏହା ମହାମାରୀରେ ପରିଣତ ହେବା ଲାଗି ଖୁବ୍ କମ୍ ସମୟ ନେଇଥାଏ। ତେବେ ତୃତୀୟ ପର୍ଯ୍ୟାୟ ପହଞ୍ଚିବା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରଥମ ପର୍ଯ୍ୟାୟ‌ରେ ରାଜ୍ୟରେ ୨ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆଜି ଦିନ ୧୨ଟା ସୁଦ୍ଧା ରାଜ୍ୟରେ ୧୬୪ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସମସ୍ତ ନମୁନାର ରିପୋର୍ଟ ହସ୍ତଗତ ହୋଇଛି। କୌଣସି ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ରୋଗୀଙ୍କ ସଂସ୍ପର୍ଶ‌ରେ ଏବେ ସୁଦ୍ଧା ୫୫ ଜଣ ଆସିଥିବା ବେଳେ ସେମାନଙ୍କ ସହ ଯୋଗାଯୋଗ କରାଯାଇଛି।

ରାଜଧାନୀରେ ୧୦ଟି ମନଟରିଂ ଟିମ୍ ସମେତ ରାଜ୍ୟରେ ୧୦୦ଟି ମନିଟରିଂ ଟିମ୍ ଏଥିପାଇଁ କାର୍ଯ୍ୟ କରୁଛନ୍ତି। ଏବେ ସୁଦ୍ଧା ୧୦୪ ସହାୟତା ନମ୍ବର ଓ ପୋର୍ଟାଲ୍‌ରେ ୪୨୪୯ ଜଣ ପଞ୍ଜୀକରଣ କରିଛନ୍ତି। କୋଭିଡ୍‌‌-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୩୪ଜଣ ବ୍ୟକ୍ତିଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। କରୋନା ଭଳି ଏକ ବିପଦ ସମୟରେ ସମ୍ବାଦପତ୍ର ସଂସ୍ଥାମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ଖବରକାଗଜ ବିତରଣକୁ ଅତ୍ୟାବଶ୍ୟକ ସେବାରେ ସାମିଲ କରାଯାଇଛି। ନ୍ୟୁଜ୍ ପ୍ରିଣ୍ଟ, ଖବରକାଗଜ ଇତ୍ୟାଦିର ପରିବହନ ପାଇଁ ବ୍ୟବହୃତ ଯାନଗୁଡ଼ିକୁ କଟକଣାମୁକ୍ତ କରାଯାଇଛି। ସକାଳ ୭ରୁ ୮ଟା ପର୍ଯ୍ୟନ୍ତ ଖବରକାଗଜ କେନ୍ଦ୍ର ଖୋଲା ରହିବ। ଖବରକାଗଜ ବିତରଣ କରୁଥିବା ହକର୍‌ମାନେ ଭୋର୍‌ ୪ଟାରୁ ୭ଟା ପର୍ଯ୍ୟନ୍ତ ଯାତାୟାତ କରିପାରିବେ। ମାତ୍ର ଏ ବାବଦରେ ହାତଧୁଆ ଓ ସାମାଜିକ ଦୂରତା ପରି ନିୟମ ଅନୁସରଣ କରିବାକୁ ହେବ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପ୍ରାଣୀ ସଂପଦ ସଂପର୍କିତ କାର୍ଯ୍ୟାବଳୀକୁ ଅତ୍ୟାବଶ୍ୟକୀୟ ସେବାରେ ସାମିଲ କରାଯାଇଛି। କ୍ଷୀର, ମାଂସ, ଅଣ୍ଡା, ମାଛ ଓ ଗୋ-ଖାଦ୍ୟ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗାଡ଼ି ନିମନ୍ତେ ଅନୁମତିପତ୍ର ପ୍ରଦାନ କରାଯିବ। ଏଥିପାଇଁ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ଓ ସହରାଞ୍ଚଳ ପୌରସଂସ୍ଥା ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି।

ଗତ ୪୮ ଘଣ୍ଟା ଭିତରେ କୋଭିଡ୍-୧୯ ସଂପର୍କିତ ମାର୍ଗଦର୍ଶିକା ଓ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ସମୁଦାୟ ୪୦୪ଟି ମାମଲା ରୁଜୁ କରାଯାଇଛି। ଏଥିମଧ୍ୟରେ ଲକ୍ ଡାଉନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୩୮୦ଟି, ଗୃହ ସଙ୍ଗରୋଧ ବା କ୍ବାରାଣ୍ଟିନ୍ ଉଲ୍ଲଂଘନ ଅଭିଯୋଗରେ ୧୦ଟି ଓ କୋଭିଡ୍‌-୧୯ ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ୧୪ଟି ମାମଲା ସାମିଲ ରହିଛି।

ତେବେ ନିଜର ଓ ପରିବାରର ସୁରକ୍ଷା ପାଇଁ ଘରେ ରହିବା ଓ ଲକ୍‌ ଡାଉନ୍‌କୁ ପାଳନ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ‘ମୋ ଜୀବନ’ ଶପଥ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହି ଆହ୍ବାନକ୍ରମେ ଏ ପର୍ଯ୍ୟନ୍ତ ୧୦ଲକ୍ଷ ଲୋକ ଶପଥ ଗ୍ରହଣ କରିଛନ୍ତି ଓ ସେଥିରୁ ୩ ଲକ୍ଷ ଲୋକ ଏହାର ଏହାର ଭିଡିଓ କରି ‌ସାମାଜିକ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଅଧିକରୁ ଅଧିକ ଲୋକ ଏହି ଶପଥ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ଲକ୍ ଡାଉନ କାର୍ଯ୍ୟାନ୍ବୟନ ସମ୍ବନ୍ଧୀୟ ବିଷୟ ପରିଚାଳନା ପାଇଁ ଆଜିଠାରୁ ଗୃହ ବିଭାଗରେ ୨୪ଘଣ୍ଟିଆ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ ଆରମ୍ଭ କରିଛି। ଏହି ନିୟନ୍ତ୍ରଣ କକ୍ଷରୁ ୦୬୭୪-୨୩୯୨୧୧୫ ଓ ୯୪୩୮୯୧୫୯୮୬ ନମ୍ବର ସହ ସଂଯୋଗ କରାଯାଇଛି। ରାଜ୍ୟ ବାହାରେ ଦେଶର ବିଭିନ୍ନ ସ୍ଥାନରେ ତାଲାବନ୍ଦ ଯୋଗୁଁ ଅଟକି ରହିଥିବା ଓଡ଼ିଆମାନଙ୍କ ବିଷୟ ମଧ୍ୟ ନିୟନ୍ତ୍ରଣ କକ୍ଷକୁ ଅବଗତ କରାଯାଇପାରିବ ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକସଂପର୍କ ବିଭାଗର ସଚିବ ସଂଜୟ ସିଂ, ଡା. ଅଶୋକ ମହାପାତ୍ର ଓ ଡା. ବିଷ୍ଣୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର