ଚଲକୀ ଯୋଗାଣ ସହାୟକଙ୍କ ଦ୍ୱାରା ପ୍ରବାସୀ ଯୁବତୀ ଗର୍ଭବତୀ ଘଟଣା : ପୁତ୍ର ସନ୍ତାନ ଜନ୍ମଦେଲେ ପୀଡ଼ିତା

ବାରମ୍ବାର ଅଭିଯୋଗ ସତ୍ତ୍ୱେ ତତ୍ପର ହେଉନି ପୁଲିସ

ମୁରିବାହାଲ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଚଲକୀ ପଞ୍ଚାୟତର ଯୋଗାଣ ସହାୟକ ରୁଷୁ ବେନିଆଙ୍କ ଦ୍ବାରା ଗର୍ଭବତୀ ହେବା ପରେ ପ୍ରତାରିତ ହୋଇଥିବା ପ୍ରବାସୀ ଯୁବତୀ ଗତ ୧୦ ତାରିଖ ଦିନ ବଲାଙ୍ଗୀର ଭୀମ‌ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ଯୁବତୀ ଜଣ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଗତ ଦୁଇମାସ ହେଲା ପୁଲିସ ଅଭିଯୁକ୍ତକୁ ‌ଧରିବାରେ ବିଫଳ ହୋଇଛି।

ପ୍ରକାଶ ଯେ, ସଂପୃକ୍ତ ଯୁବତୀଙ୍କୁ ବିବାହର ମିଛ ପ୍ରତିଶ୍ରୁତି ଦେଇ ରୁଷୁ ବାରମ୍ବାର ଶାରୀରିକ ସମ୍ପର୍କ ରଖିଆସୁଥିଲା। ଯୁବତୀ ଜଣଙ୍କ ଗର୍ଭବତୀ ହେବା ପରେ ବିବାହ କରିବାକୁ ମନା କରିଦେଇ ଘରୁ ଫେରାର ହୋଇଯାଇଥିଲା। ରୁଷୁ ବିବାହିତ ଓ ସେ ତିନି ସନ୍ତାନର ବାପା। ଏହି ଘଟଣା ପରେ ଚଲକୀ ପଞ୍ଚାୟତ ପକ୍ଷରୁ ଗ୍ରା.ପ. ପ୍ରସ୍ତାବ ସଂଖ୍ୟା ୧/ ତା. ୨.୭.୨୦ ଅନୁସାରେ ଯୋଗାଣ ସହାୟକ ପଦବିରୁ ରୁଷୁକୁ ନିଲମ୍ବନ କରାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗୋଦାମର ତାଲା ଭଙ୍ଗାଯାଇଥିଲା। ଅନ୍ୟପକ୍ଷରେ ଯୁବତୀ ଜଣକ ମୁରିବାହାଲ ଥାନାରେ ଗତ ୧୬ ଜୁନରେ ପ୍ରଥମେ ଏତଲା ଦେଇଥିଲେ। ପୁଲିସର ଦାୟିତ୍ୱହୀନତା ଓ ଅବହେଳା ବିରୋଧରେ ସେ ନ୍ୟାୟ ପାଇଁ ଦୁଇଥର ଏସ୍‌ପିଙ୍କୁ ଭେଟି ଗୁହାରି କରିଥିଲେ। ପରେ ମୁରିବାହାଲ ଥାନା ମଧ୍ୟ ଘେରାଉ କରାଯାଇଥିଲା। ନିଜର ଦୋଷ ଲୁଚାଇବା ପାଇଁ ପୁଲିସ କେବଳ ନାମକୁ ମାତ୍ର ଫେରାର ଯୋଗାଣ ସହାୟକଙ୍କ ପରିବାରର କିଛି ଲୋକଙ୍କୁ ଥାନାକୁ ଡାକି ଆଣି ପଚରାଉଚରା ଓ ତାଗିଦ କରି କାମ ସାରି ଦେଇଥିଲା ବୋଲି ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତ ୧୦ ତାରିଖ ଦିନ ଉକ୍ତ ଯୁବତୀଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ମେଡିକାଲ କଲେଜ ହସପିଟାଲକୁ ନିଆଯାଇଥିଲା। ସେଠାରେ ସାଧାରଣ ଭାବରେ ତାଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ଏବେ ନବଜାତ ଶିଶୁଟି ନିଜ ପିତାର ପରିଚୟ ଖୋଜୁଥିବା ବେଳେ କୁଆଁରୀ ମାଆ ପାଲଟିଥିବା ଯୁବତୀ ଜଣଙ୍କ ନିଜ ସିନ୍ଦୂର ଟୋପା ପାଇଁ ସ୍ୱାମୀ ଖୋଜୁଥିବା ମୁରିବାହାଲ ବ୍ଲକ୍‌ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସମ୍ପର୍କରେ ମୁରିବାହାଲ ଥାନା ଆଇଆଇସି ତାରା ଜସ୍ମିନ ଗୁରିଆଙ୍କୁ ପଚାରିବାରୁ ଅଭିଯୁକ୍ତ ରୁଷୁକୁ ରାଜ୍ୟ ଭିତରେ ତଥା ରାଜ୍ୟ ବାହାର ବିଭିନ୍ନ ସ୍ଥାନରେ ଖୋଜା ଚାଲିଛି, ହେଲେ ତା’ର କୌଣସି ସୁରାକ୍‌ ମିଳୁ ନାହିଁ।

ସମ୍ବନ୍ଧିତ ଖବର