ଭୁବନେଶ୍ବର: ପ୍ରବାସୀମାନେ ପୁଣି ଓଡ଼ିଶା ଫେରିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ। କିଛି ସ୍ଥାନରେ ଓଡ଼ିଶା ଆସୁଥିବା ପ୍ରବାସୀମାନଙ୍କର ଟେଷ୍ଟିଂ କରାଯାଉଛି ବୋଲି ସେ କହିଛନ୍ତି। ଆଗକୁ ପ୍ରବାସୀ ଓଡ଼ିଆଙ୍କ ସକାଶେ ଏକ ଗାଇଡ଼ଲାଇନ କରିବା ପାଇଁ ବିଚାର କରାଯାଉଛି। କିଛି ରାଜ୍ୟରେ ମାତ୍ରାଧିକ ସଂକ୍ରମଣ ହେଉଥିବାରୁ ସମ୍ପୃକ୍ତ ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ସକାଶେ ସରକାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ ମତ ରଖିଛନ୍ତି।
ଖାଲି ସେତିକି ନୁହେଁ, ସେ ଆହୁରି ବି କହିଛନ୍ତି ଯେ ‘ବର୍ଡର ଚେକିଂ ପଏଣ୍ଟରେ ଜୋରସୋରରେ ଚେକିଂ ହେଉଛି। ଯେଉଁମାନେ ନେଗେଟିଭ ରିପୋର୍ଟ ନେଇକି ଆସୁଛନ୍ତି ସେମାନଙ୍କୁ କେବଳ ଭିତରକୁ ଯିବାପାଇଁ ଅନୁମତି ଦିଆଯାଉଛି। ଯେଉଁମାନେ ରିପୋର୍ଟ ନେଇ ଆସୁନାହାନ୍ତି ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଉଛି। ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ କରଯାଇଛି। ଛତିଶଗଡ଼ ପାଇଁ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ପଜିଟିଭ ସଂଖ୍ୟା ବଢୁଥିବା କାରଣରୁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଗତକାଲି ସମସ୍ତଙ୍କୁ କୋଭିଡ ନିୟମ ମାନିବା ପାଇଁ କହିଛନ୍ତି।’