ନିଆଳି: ଶୀତ ଋତୁରେ ବିଦେଶାଗତ ପକ୍ଷୀଙ୍କ ଓଡିଶା ଆଗମନ ପର୍ଯ୍ୟଟକଙ୍କୁ ଆନମନା କରେ । ଚିଲିକାର ନଳବଣ ଭଳି ହୀରାକୁଦ, ଭିତରକନିକାକୁ ଉଡି ଆସନ୍ତି ବିଦେଶୀ ଅତିଥି । ହେଲେ ଆଜି ଆମେ ଆପଣଙ୍କୁ ଆଉ ଏକ ସ୍ଥାନ ବିଷୟରେ କହିବୁ । ଯେଉଁଠିକୁ ସୁଦୂର ସାଇବେରିଆ, ଥାଇଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଅନ୍ୟାନ୍ୟ ଦେଶରୁ ଉଡି ଆସିଛନ୍ତି ରଙ୍ଗ ବେରଙ୍ଗର ପକ୍ଷୀ । ଦଳଦଳ ହୋଇ ନଦୀରେ ପହଁରୁଥିବା ଅତିଥିଙ୍କୁ ଯିଏ ଥରେ ଦେଖିଛି ସିଏ କହିଛି ଏ ଦୂଶ୍ୟ ଚିଲିକା ଠାରୁ କୌଣସି ଗୁଣରେ କମ ନୁହେଁ ।

Advertisment

ତଅଁଳା ନଦୀର କଅଁଳ ଦୃଶ୍ୟ । ପଶ୍ଚିମ ଆକାଶରେ ସ୍ୱର୍ଣ୍ଣିମ ସୂର୍ଯ୍ୟାସ୍ତ । ନଦୀଜଳରେ ଅସ୍ତଗାମୀ ସୂର୍ଯ୍ୟ କିରଣର ପ୍ରତିବିମ୍ବ । ଆଉ ସ୍ୱର୍ଣ୍ଣିମ ଆକାଶରେ ଅତିଥିଙ୍କ ଉଡିବାର ମନୋରମ ଦୃଶ୍ୟ ସତରେ କେତେ ଆନନ୍ଦଦାୟକ ହୁଏତ ତାହା ଶବ୍ଦରେ କହିବା ଅସମ୍ଭବ । ଏଇ ଦୃଶ୍ୟକୁ ଦେଖିବା ପରେ କବିଙ୍କର ସେହି ପଂକ୍ତି ‘ସୁନ୍ଦର ତୁପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’ ମନେ ପଡିଯାଉଛି ।... ଆପଣ ଦେଖୁଥିବା ଦୃଶ୍ୟ ଚିଲିକା କି ହୀରାକୁଦ ଜଳଭଣ୍ଡାରର ନୁହେଁ, ଏହା ହେଉଛି କଟକ ଜିଲ୍ଲା ନିଆଳି ବ୍ଲକର ଦେବୀ ନଦୀ ଏବଂ ତା’ ଶାଖା ନଦୀ ତଅଁଳାର ।

ନିଆଳି ତଅଁଳା ନଦୀର ସ୍ୱଚ୍ଛ ପାଣି ସହ ପ୍ରଚୁର ମାତ୍ରାରେ ଖାଦ୍ୟ ମିଳୁଥିବାରୁ ଚଳିତ ବର୍ଷ ଏଠାରେ ୨୧ ପ୍ରକାର ବିଦେଶାଗତ ପକ୍ଷୀଙ୍କ ଭିଡ ଲାଗିଛି । ପକ୍ଷୀମାନେ ମହା ଆନନ୍ଦରେ ନଦୀରେ ଦଳଦଳ ହୋଇ ବିଚରଣ କରବା ସହ ନୀଳ ଆକାଶରେ ଉଡୁଥିବାର ଦେଖି କିଛି କ୍ଷଣ ଅଟକି ଯାଉଛନ୍ତି ବାଟୋଇ ।

ତେବେ ଅତିଥିଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଲୋକେ । ବନବିଭାଗ ପକ୍ଷରୁ ପକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇବା ସହ ଶିକାରୀଙ୍କ ଉପରେ ନଜର ରଖିବାକୁ ଦାବି ହୋଇଛି ।