ଭିତରକନିକାରେ ବିଦେଶୀ ପକ୍ଷୀ

୧୫ ଦିନରେ ୧୦ ହଜାର ସମାଗମ

ରାଜନଗର : ଭିତରକନିକାରେ ପାଦ ଥାପିଛନ୍ତି ବିଦେଶାଗତପକ୍ଷୀ। ୧୫ ଦିନ ମଧ୍ୟରେ ପ୍ରାୟ ପ୍ରାୟ ୧୦ ହଜାର ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀ ଭିଡ ଜମାଇଛନ୍ତି। ଏହି ପକ୍ଷୀଙ୍କ କାକଳିରେ ଭିତରକନିକା ଏବେ ଫାଟିପଡୁଛି।

ସୂଚନା ଅନୁସାରେ, ଏହି ଆଗନ୍ତୁକ ପକ୍ଷୀମାନେ ବଙ୍ଗୋପସାଗର ତଟବର୍ତ୍ତୀ ସାତଭାୟା ଅଞ୍ଚଳର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମି, ଐତିହାସିକ ବରୁଣେଇ ମୁହାଣ, ଚିଂଚିରି ମୁହାଣ, ରାଇପାଟିଆ, ଗୁପ୍ତି ଘାଟ, ଜାତୀୟ ଉଦ୍ୟାନର କାଳି ଭଂଜଡିଆ, ମଠଆଡିଆ ପ୍ରଭୃତି ସ୍ଥାନରେ ଭିଡ଼ ଜମାଇଛନ୍ତି। ଏ ବର୍ଷ ଅତିଥିମାନଙ୍କ ମଧ୍ୟରେ ରହିଛନ୍ତି ପେଲିଗାନ୍‌, ଆରବରୁ ଆସୁଥିବା ଛୋଟଛୋଟ ଡକ୍‌, ବତନଚାହା, ଛୁଞ୍ଚିମୁନିଆ ଚାହା, କାଦୁଆ ଖୁଚି, ଛଟକା ଚାହା, ଡାଙ୍ଗୁଆ, ଦା’ବେଣ୍ଟିଆ, ହୁରୁଡା, କୁକୁଭ, ପାଣି ଗୁଣ୍ଡୁରୀ, ଘଣ୍ଟୁଆଳ, ଟିଣ୍ଟିଆ, ସୀମା, ଚନ୍ଦନାହଂସ, ଚଟୁଆଗେଣ୍ଡି, ଗହିରଲାା, ଚନ୍ଦନାପାଟିଆ ଗେଣ୍ଡି, ଚିତ୍ରାଖଡିହଂସ, ଦୁବହଂସ, ପଣ୍ଡାହଂସ, ମାଟିଆଗେଣ୍ଡି, ହାଡଗିଳା ପ୍ରଜାତିର ପକ୍ଷୀ। ଏହି ବିଦେଶାଗତ ପକ୍ଷୀଙ୍କ ଶୋଭା ଉପଭୋଗ କରିବା ପାଇଁ ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ ବଢିବାରେ ଲାଗିଛି। ପକ୍ଷୀମାନେ ଦଳଦଳ ହୋଇ ଆକାଶରେ ଉଡିବା ଓ ଖସିବାର ଦୃଶ୍ୟ ପର୍ଯ୍ୟଟକଙ୍କ ମନମୋହିବାରେ ଲାଗିଥିବା ଦେଖିବାକୁ ମିଳିଛି।

ରେଂଜ ଅଫିସର ଅକ୍ଷୟ କୁମାର ନାୟକଙ୍କ କହିବାନୁସାରେ, ଯୋଜନଯୋଜନ ସାମୁଦ୍ରିକ ପଥ ଅତିକ୍ରମ କରି ମଙ୍ଗୋଲିଆ, ବେଲ୍‌ଜିୟମ, ଫ୍ରାନ୍ସ, ରୁଷିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ପ୍ରଭୃତି ସ୍ଥାନରୁ ଏହି ପକ୍ଷୀମାନେ ଆସିଛନ୍ତି। ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ପାଇଁ ପ୍ରତିବର୍ଷ ପରି ନଭେମ୍ବର ମାସରୁ ଚିଲିକା ପଥ ଦେଇ ଏହି ପକ୍ଷୀମାନେ ଭିତରକନିକାରେ ପାଦ ଥାପିଛନ୍ତି। ବିଦେଶାଗତ ପକ୍ଷୀଙ୍କ ଆଗମନ ପରେ ଏମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲିି ରେଞ୍ଜ ଅଫିସର ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର