ପରଲୋକରେ ମିହିର : ଗାର୍ଡ ଅଫ୍‌ ଅନର୍‌ ସହ ସତୀଚୌରାରେ ଆଜି ହେବ ଶେଷକୃତ୍ୟ

କଟକ: ‘ଇଲେକ୍ସନ୍‌ ଇଲେକ୍ସନ୍‌ କହି ମତେ ଚମକାଇବ ନାହିଁ, ଇଲେକ୍ସନ୍‌ ବି କାକା କରେ, ସିଲେକ୍ସନ୍‌ ବି କାକା କରେ..। ଜନ୍ମ ହେଲାବେଳେ କିଏ କଣ ମୁଣ୍ତେଇକି ଆଣିଥେଲା, ନା ମଲାବେଳେ ସାଙ୍ଗରେ ନେଇକିନି ଯିବ….। ଜାଣିଲ ବାବୁ, ହାମ୍‌ ଭଲ୍‌ ଲୋଗ୍‌ ମ, ଆଉ ସବ୍‌ ଭଲ୍‌ ଲୋକଙ୍କର ହମ୍‌ ବରାବର ଇଜ୍ଜତ କରୋ, ରେସ୍‌ପେକ୍ଟ କରୋ, ତୋ ଭଲ୍‌ ଲୋକଙ୍କର‌୍‌ ଫରଜ୍‌ ବନୁଛି ହାମ୍‌ କୋ ପରିସାନ କରିବ ନାଇ, ଆମର ନୁକ୍‌ସାନ କରିବ ନାଇ, ଆମ ସାଥିରେ ବେଇମାନ କରିବ ନାଇ। ହେଇଦିନ୍‌ ବାବୁ ଏଇଟା ଆମ କଟ୍‌କ, ଆଗ ଯେନ୍ତା ପଛ ସେନ୍ତା…।’

ମ‌ନରେ ସବୁଦିନ ପାଇଁ ରହିଯାଉଥିବା ଏଭଳି ଅନେକ ଡାଏଲଗ୍‌ ଦେଇ ସିନେମା ହଲରେ ତାଳିମାଡ଼ ସାଉଁଟି ଆସୁଥିବା ସ୍ବନାମଧନ୍ୟ ଅଭିନେତା ମିହିର ଦାସ ଏବେ ପରଲୋକରେ। ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନଧରି ସେ କିଡ୍‌ନି ଜନିତ ରୋଗରେ ପୀଡ଼ିତ ଥିଲେ। ଅସୁସ୍ଥତା ଯୋଗୁ କିଛିଦିନ ଧରି ସେ କଟକ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ଡିସେମ୍ବର ୭ ତାରିଖରେ ଅଧିକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ଅପରାହ୍ନରେ ସେ ନିଶ୍ବାସ ତ୍ୟାଗ କରିଛନ୍ତି। ହସ୍‌ପିଟାଲ୍‌ରୁ ତାଙ୍କର ମରଶରୀରକୁ ସିଡିଏ ସେକ୍ଟର-୮ସ୍ଥିତ ବାସଭବନକୁ ନିଆଯାଇଛି। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆସନ୍ତାକାଲି ତାଙ୍କୁ ସତୀଚୌରାଠାରେ ଗାର୍ଡ ଅଫ୍ ଅନର ସହ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ (କୁନା) ତ୍ରିପାଠୀ ସୂଚନା ଦେଇଛନ୍ତି। ତାଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି।

୧୯୫୯ ଫେବ୍ରୁଆରି ୧୧ ତାରିଖରେ ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ ମିହିର ଦାସ । ମଧ୍ୟବିତ୍ତ ପରିବାରରେ ଜନ୍ମିତ ମିହିର ଅଭିନୟକୁ କ୍ୟାରିୟର୍ କରିବା ନିଶାରେ ଆଗକୁ ବଢିବା ସହିତ ଥିଏଟର୍, ସିନେମା ଏବଂ ଟେଲିଭିଜନ ଭଳି ପ୍ରତ୍ୟେକ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ସ୍ବାକ୍ଷର ଛାଡ଼ିଥିଲେ। ନାୟକଠାରୁ ଖଳନାୟକ, ଚରିତ୍ରଠାରୁ ହାସ୍ୟ; ଏମିତି କେଉଁ ଚରିତ୍ର ନାହିଁ ଯେ ସେ ଅଭିନୟ କରିନାହାନ୍ତି ଏବଂ ନିଜର ପରାକାଷ୍ଠା ଦେଖାଇନାହାନ୍ତି । ନିଜର ନିଖୁଣ ତଥା ଜୀବନ୍ତ ଅଭିନୟ ତାଙ୍କୁ ଘରେଘ‌ରେ ପରିଚୟ ଆଣି ଦେଇଥିଲା। ତାଙ୍କର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା ୧୯୮୦ ମସିହାରେ। ସେହିବର୍ଷ ‘ରାମାୟଣ ଚଳଚ୍ଚିତ୍ରରୁ ତାଙ୍କର ଓଡ଼ିଆ ସିନେମାରେ ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ତେବେ ‘ସ୍କୁଲ୍‌ ମାଷ୍ଟର’ରୁ ତାଙ୍କର ଅଭିନୟକୁ ପ୍ରଶ˚ସା ମିଳିଥିଲା। ଏହାପରଠାରୁ ସେ ଆଉ ପଛକୁ ଫେରି ନଥିଲେ। ‘ପୁଅ ମୋର ଭୋଳା ଶଙ୍କର’ ଚଳଚ୍ଚିତ୍ରରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏହା ହିଁ ତାଙ୍କ ସିନେଜୀବନର ମୋଡ଼ ବଦଳାଇ ଦେଇଥିବା କୁହାଯାଏ। ପରେ ସେ ଚରିତ୍ର ଅଭିନୟ, ହାସ୍ୟ ଅଭିନୟ ସହିତ ଖଳନାୟକ ଚରିତ୍ରରେ ମଧ୍ୟ ଅଭିନୟ ଦକ୍ଷତା ଦେଖାଇଥିଲେ। ‘ସୁହାଗ ସିନ୍ଦୂର’, ‘ସ୍ତ୍ରୀ’, ‘ସମୟ ଖେଳୁଛି ଚକାଭଉଁରୀ, ‘କଟକ’, ‘ଅଭିମନ୍ୟୁ, ‘ଅଗସ୍ତ୍ୟ, ‘ତୁ ମୋ ଦେହର ଛାଇ’ ଭଳି ୨୦୦ରୁ ଅଧିକ ସିନେମାରେ ସେ ଅଭିନୟ କରି ପ୍ରଶ˚ସା ସାଉଁଟିଛନ୍ତି। ଓଡ଼ିଆ ସିନେମା ବ୍ୟତୀତ ସେ ବଙ୍ଗଳା ଭାଷାରେ ସିନେମା ମଧ୍ୟ କରିଛନ୍ତି। ତାଙ୍କ ଅଭିନୟରେ ସେ ସମସ୍ତଙ୍କୁ ହସାଇ ପାରୁଥିଲେ, କନ୍ଦାଇ ପାରୁଥିଲେ। ‘ଅଭିମନ୍ୟୁ’ରେ ‘କାକା ଚରିତ୍ରରେ ଅଭିନୟ ଏତେ ପ୍ରଭାବଶାଳୀ ଥିଲା ଯେ ତାଙ୍କୁ ପ୍ରଶଂସକ କାକା ଡାକିବା ଆରମ୍ଭ କରିଥିଲେ।

କେବଳ ବଡ଼ ପରଦା ନୁହେଁ, ଟିଭି ପରଦାରେ ମଧ୍ୟ ସେ ଜଣେ ଲୋକପ୍ରିୟ ଅଭିନେତା ତଥା ଉପସ୍ଥାପକ ଭାବେ ପରିଚିତ ଥିଲେ। ଏକ ଘରୋଇ ଚ୍ୟାନେଲ୍‌ରେ ପାରିବାରିକ ବିବାଦର ସମାଧାନ ପାଇଁ ‘ଆଶାର ଆଲୋକ’ କାର୍ଯ୍ୟକ୍ରମର ସେ ମୁଖ୍ୟ ଉପସ୍ଥାପକ ଥିଲେ। ଏହାବ୍ୟତୀତ ମଞ୍ଚ କଳାକାର ଓ ରେଡିଓ କଳାକାର ଭାବେ ସେ ନିଖୁଣ ଅଭିନୟ କରିଛନ୍ତି। ଅଭିନୟ ପାଇଁ ସେ ଏକାଧିକ ପୁରସ୍କାର ହାସଲ କରିଛନ୍ତି। ୧୯୯୮ରେ ‘ଲକ୍ଷ୍ମୀପ୍ରତିମା ଓ ୨୦୦୫ରେ ‘ଫେରିଆ ମୋ ସୁନା ଭଉଣୀ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଏହାବ୍ୟତୀତ ୨୦୦୨ରେ ତାଙ୍କୁ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଓ ‘ପ୍ରେମ ଅଢେଇ ଅକ୍ଷର’ ପାଇଁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ପୁରସ୍କାର ମିଳିଛି।

ଅଭିନୟ କ୍ଷେତ୍ରରେ ଲୋକପ୍ରିୟତା ହାସଲ କରିବା ପରେ ସେ ରାଜନୀତି ଆଡ଼କୁ ମୁହାଁଇଥିଲେ। ଯଦିଓ ସେ କେବେ ନିର୍ବାଚନରେ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ନଥିଲେ, ତଥାପି ୨୦୧୪ ନିର୍ବାଚନରେ ସେ ବିଜେଡି ପାଇଁ ପ୍ରଚାର କରିଥିଲେ। ପରେ ୨୦୧୮ରେ ବିଜେପି ସହ ହାତମିଶାଇ ୨୦୧୯ ସାଧାରଣ ନିର୍ବାଚନରେ ଦଳ ପାଇଁ ତାରକା ପ୍ରଚାରକ ହୋଇଥିଲେ। ବିଶିଷ୍ଟ ସ˚ଗୀତଜ୍ଞ, ଲୋକପ୍ରିୟ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ଝିଅ ସ˚ଗୀତାଙ୍କୁ ମିହିର ଦାସ ବିବାହ କରିଥିଲେ। ତେବେ ୨୦୧୦ ମସିହାରେ ହୃଦ୍‌ଘାତ ଯୋଗୁଁ ସ˚ଗୀତାଙ୍କର ପରଲୋକ ଘଟିଥିଲା। ମିହିର ଓ ସଙ୍ଗୀତାଙ୍କ ଦୁଇ ପୁଅ ମଧ୍ୟରୁ ବଡ଼ ପୁଅ ଅମ୍ଲାନ ମଧ୍ୟ ହେଉଛନ୍ତି ଜଣେ ଲୋକପ୍ରିୟ ଅଭିନେତା। ମିହିରଙ୍କ ସାନପୁଅ ହେଉଛନ୍ତି ଅକ୍ଳାନ୍ତ। ମିହିରଙ୍କ ଶେଷଶଯ୍ୟା ନିକଟରେ ପରିବାର, ବନ୍ଧୁ, ପ୍ରଶଂସକ, ସିନେମା ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିବା ବେଳେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ଡିସିପି ପ୍ରତୀକ ସିଂହ, ସିଏମସି କମିସନର ଅନନ୍ୟା ଦାସ ପ୍ରମୁଖ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର