ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ, ହସପିଟାଲରେ ଭର୍ତ୍ତି

କଟକ : ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଦୁନିଆର ଲୋକପ୍ରିୟ ଅଭିନେତା ମିହିର ଦାସ ଅସୁସ୍ଥ ହୋଇପଡ଼ିଛନ୍ତି । ସେ  ଅସୁସ୍ଥ ଥିବା ସୂଚନା ହସ୍ତଗତ ହୋଇଛି । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ମିହିର ଦାସଙ୍କର କିଡନୀ ଜନିତ ସମସ୍ୟା ରହିଥିଲା । ବର୍ତ୍ତମାନ ସେ କଟକର ଅଶ୍ୱିନୀ ହସ୍ପିଟାଲରେ ଆଇସିୟୁ‌ରେ ରହି ଚିକିତ୍ସିତ ହେଉଛନ୍ତି। ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ବିଶେଷଜ୍ଞ ଡାକ୍ତରଙ୍କର ଏକ ଟିମ୍ । ତେବେ ବହୁ ଚଳଚିତ୍ର, ଟେଲିଧାରାବାହିକରେ ଅଭିନୟ କରି କୋଟିକୋଟି ଓଡିଶାବାସୀଙ୍କ ହୃଦୟ ଜିଣିପାରିଛନ୍ତି ମିହିର ଦାସ ।ତାଙ୍କର ପ୍ରଶଂସକ ଓ ଶୁଭେଚ୍ଛୁମହ‌ଲରେ ମିହିରଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।

ପ୍ରାୟ ଚାରି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ରରେ ନିଜର ଅଭିନୟ ଯାତ୍ରା ଜାରି ରଖିଥିବା ବହୁମୁଖୀ ଅଭିନୟ ପ୍ରତିଭା ହେଉଛନ୍ତି ମିହିର ଦାସ। ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ରାମାୟଣ’ରେ ସେ ଶତ୍ରୁଘ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ସନେ-ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ପ୍ରାୟ ୨୦୦ରୁ ଊର୍ଧ୍ୱ ଚଳଚ୍ଚିତ୍ରରେ ନଜର ଆସିଥିବା ମିହିର ନାୟକ, ଖଳନାୟକ, ହାସ୍ୟ ଚରିତ୍ର  ଓ ବିଭିନ୍ନ ଚରିତ୍ର ଅଭିନେତ‌ା ଆଦି ଭୂମିକା ନିଭାଇ ଦର୍ଶକଙ୍କୁ ତାଙ୍କ ଅଭିନୟର କୁହୁକପଣରେ ବାନ୍ଧି ରଖିଛନ୍ତି। ପିଲାଠାରୁ ବୁଢ଼ା ସମସ୍ତଙ୍କୁ ନିଜ ଅଭିନୟରେ ବାନ୍ଧି ରଖିବାରେ ସେ ହେଉଛନ୍ତି ଅନ୍ୟତମ ସଫଳ ସ୍ରଷ୍ଟା। ତାଙ୍କର ଉଲ୍ଲେଖନୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ପୁଅ ମୋର ଭୋଳା ଶଙ୍କର’, ‘ସ୍ତ୍ରୀ’, ‘ବାଜି’, ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’, ‘ଅଭିମନ୍ୟୁ’ ‘ଶାଶୂ ହାତକଡ଼ି ଭାଉଜ ବେଡ଼ି’, ‘ଫେରିଆ ମୋ ସୁନା ଭଉଣୀ’, ‘ମିଷ୍ଟର୍‌ ମଜୁନୁ’ ଓ ‘ଅଗସ୍ତ୍ୟ’ ଇତ୍ୟାଦି ରହିଛି।

ସମ୍ବନ୍ଧିତ ଖବର