ମିହିରଙ୍କୁ ମରଣୋତ୍ତର ‘ପଦ୍ମଶ୍ରୀ’ ସହ କଟକ ସହରରେ ଏକ ରାସ୍ତାକୁ ତାଙ୍କ ନାମରେ ନାମିତ କରାଯାଉ : ଅଭିନେତା ଶ୍ରୀତମ ଦାସ

କଟକ: ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବର୍ଷୀୟାନ୍ କଳାକାର ମିହିର ଦାସଙ୍କ ପରଲୋକ ପରେ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯାଉ ବୋଲି ଦାବି ଜୋର ଧରିଛି । ତା’ ସହିତ କଟକ ସହରର ଏକ ରାସ୍ତାକୁ ତାଙ୍କ ନାଁରେ ନାମିତ କରାଯାଉ ବୋଲି ବୁଧବାର ମିହିର ଦାସଙ୍କ ଶେଷକୃତ୍ୟ ସମୟରେ ଏପରି କିଛି କଥା କହିଛନ୍ତି ତାଙ୍କ ସହ ଅଭିନେତା ଶ୍ରୀତମ ଦାସ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀତମ କହିଛନ୍ତି, ଗତକାଲି ମିହିରଙ୍କ ଦେହାନ୍ତ ପରେ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଶୋକପ୍ରକାଶ କରିଛନ୍ତି । ମିହିର ଏମିତି ଜଣେ କଳାକାର ଥିଲେ, ଯାହାକୁ ସମସ୍ତେ ମନେ ରଖିବେ । ସବୁପରେ ସେ ଜଣେ ଭଲ ମଣିଷ ଥିଲେ । ତେବେ ତାଙ୍କ ସମ୍ମାନରେ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଉ । ତା’ ସହିତ କଟକ ସହରର ଏକ ରାସ୍ତାକୁ ତାଙ୍କ ନାମରେ ନାମିତ କରିବାକୁ ଶ୍ରୀତମ କହିଛନ୍ତି ।

ସେହିପରି ଫିଲ୍ମ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ଆଜି ମିହିରଙ୍କୁ ଦେଖିବାକୁ ଯେତିକି ଲୋକ ରୁଣ୍ଡ ହୋଇଛନ୍ତି, ତାହା ହିଁ ତାଙ୍କ ପାଇଁ ସବୁଠୁ ବଡ ସମ୍ମାନ । ଜଣେ କଳାକାର କେବେ ତାକୁ ଅଲଗା କିଛି ସମ୍ମାନ ଦିଆଯାଉ ବୋଲି ଚାହିଁ ନଥାଏ । ସବୁବେଳେ ସେ ସମସ୍ତଙ୍କର ଭଲପାଇବା ଖୋଜିଥାଏ ।

ତେବେ ଗତକାଲି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଦୀର୍ଘ ଦିନ କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇପଡିଥିଲେ ମିହିର ଦାସ । ଏହାପରେ ତାଙ୍କର ଏକାଧିକ ଅଙ୍ଗ ଅକାମୀ ହୋଇଯାଇଥିଲା । ମାସେରୁ ଅଧିକ ସମୟ ହେବ ଆଇସିୟୁରେ ରହିବା ପରେ ଶେଷରେ ସେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି । ବହୁମୁଖୀ ପ୍ରତିଭାର ଅଧିକାରୀ ଏହି କଳାକାର ଦୀର୍ଘ ଚାରି ଦଶନ୍ଧି ହେବ ନିଜର ଅଭିନୟ ଯାତ୍ରା ଜାରି ରଖିଥିଲେ । ୧୯୮୦ରେ ରିଲିଜ ହୋଇଥିବା ରାମାୟଣ ଚଳଚ୍ଚିତ୍ରରେ ଶତ୍ରୁଘ୍ନ ଭୂମିକାରେ ଅଭିନୟ କରି ନିଜର ସିନେ ଯାତ୍ରା ଆରମ୍ଭ କରିଥିଲେ ମିହିର ଦାସ ।

ସମ୍ବନ୍ଧିତ ଖବର