ଭାଷାର ମେରୁଦଣ୍ଡ ସାହିତ୍ୟ: ସୌମ୍ୟରଂଜନ

ବ୍ୟାସନଗର: କାରିଗରି କୌଶଳ ଆଜି ପୁସ୍ତକର ସବୁଠୁ ବଡ଼ ଶତ୍ରୁ ସାଜିଛି। ଦିନକୁ ଦିନ କାଗଜ କାଳିର ପୁସ୍ତକ ଦୂରେଇ ଯାଉଛି। ତା ସ୍ଥାନରେ ଧୀରେଧୀରେ ଇ-ପୁସ୍ତକ ଜାଗା ମାଡ଼ି ବସିବାରେ ଲାଗିଛି। ତଥାପି ପୁସ୍ତକର ମୃତ୍ୟୁ ନାହିଁ। ନୂଆ ପିଢ଼ି ଭିତରେ ପଠନ ଅଭ୍ୟାସ ପ୍ରବେଶ କରାଇବା ପାଇଁ ଆମକୁ ଡିଜିଟାଲ୍‌ ବ୍ୟବସ୍ଥାକୁ ଗ୍ରହଣ କରିବାକୁ ପଡ଼ିବ। ବ୍ୟାସନଗର ଷ୍ଟାଡିୟମ୍‌ ଠାରେ ଅନୁଷ୍ଠିତ ଚତୁର୍ଥ ରାଜ୍ୟ ସ୍ତରୀୟ କଳିଙ୍ଗ ପୁସ୍ତକ ମେଳା ଓ ଯୁବ ମହୋତ୍ସବ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏ କଥା କହିଛନ୍ତି।

ପୁସ୍ତକ ମେଳା କମିଟିର ସଭାପତି ବିଦ୍ୟାଧର ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ପୁସ୍ତକକୁ କେହି ମାରି ପାରିବେ ନାହିଁ। କାଳୀ କାଗଜର ପୁସ୍ତକ ଲୋକଙ୍କ ଠାରୁ ଦୂରେଇ ଯାଇଥିବା ବେଳେ ବିନା କାଗଜ କାଳିର ପୁସ୍ତକ ଲୋକମାନଙ୍କ ମଧ୍ୟରେ ପ୍ରବେଶ କରିଛି। ଯାହାକୁ ଆମେ କୌଣସି ପ୍ରକାରେ ପରାଜିତ କରି ପାରିବା ନାହିଁ। ତା ସହ ସନ୍ଧି କରିବା ସବୁଠୁ ବୁଦ୍ଧିମାନର କାମ। ସେ କହିଥିଲେ ଯେ ଭାଷାର ମେରୁଦଣ୍ଡ ସାହିତ୍ୟ ଏବଂ ଜାତିର ମେରୁଦଣ୍ଡ ଚାଷୀ। ଏହି ପରିପ୍ରେକ୍ଷୀରେ ଚାଷୀମାନଙ୍କ ସୁରକ୍ଷା ପାଇଁ ସରକାର ଆନ୍ତରିକତା ପ୍ରଦର୍ଶନ କରିବା ଉଚିତ୍‌ ବୋଲି ସେ କହିଥିଲେ।

ଉଦ୍‌ଯାପନୀ ଉତ୍ସବକୁ ଉଦ୍‌ଘାଟନ କରି ପ୍ରାକ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ କହିଲେ ଯେ, ସମାଜରେ ପୂର୍ଣ୍ଣତା ହାସଲ ପାଇଁ ସାହିତ୍ୟ ଓ ସଂସ୍କୃତିର ଆବଶ୍ୟକତା ଅଛି। ଅବକ୍ଷୟମୁଖୀ ସମାଜୁ କେବଳ ସାହିତ୍ୟ ରକ୍ଷା କରିପାରିବ। ଶ୍ରୀ ଘଡ଼ାଇ କହିଥିଲେ ଯେ ‘ସମ୍ବାଦ’ କେବଳ ଆଜି ତାଙ୍କର ପରିଚୟ ନୁହେଁ। ଚାଷୀ ହେଉ କି ଭାଷା ଆନ୍ଦୋଳନ ହେଉ କିମ୍ବା ଶିକ୍ଷକ ଛାତ୍ର ଆନ୍ଦୋଳନ ସବୁଠି ସମସ୍ତଙ୍କର ସମସ୍ୟା ସମାଧାନ ପାଇଁ ଉପସ୍ଥିତ ହୋଇ ଶ୍ରୀ ପଟ୍ଟନାୟକ ତାଙ୍କର ନୂତନ ପରିଚୟ ସୃଷ୍ଟି କରିଛନ୍ତି।

ମୁଖ୍ୟବକ୍ତା ଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡ. ହରିହର କାନୁନ୍‌ଗୋ ଯୋଗଦେଇ କଳିଙ୍ଗ ତଥା ଉତ୍କଳର ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଆୟକର ଆୟୁକ୍ତ ଶରତ ଚନ୍ଦ୍ର ଦାଶ ଯୋଗଦେଇ ତାଙ୍କ ରଚିତ କବିିତା ପାଠ କରିଥିଲେ। କମିଟିର ସମ୍ପାଦକ ଘନ ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷା ସବିତା ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ବିବେକାନନ୍ଦ ମହାନ୍ତି ପୁସ୍ତକ ମେଳା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଡ. ବାସୁଦେବ ମିଶ୍ରଙ୍କ ଲଳିତ ନିବନ୍ଧ ସଂକଳନ ‘ବିଚିତ୍ର ଜଗତ’ ଲୋକାର୍ପିତ ହୋଇଥିଲା।

ସମ୍ବନ୍ଧିତ ଖବର