ଲେଉଟାଣି ଶୀତ, ସିମନବାଡ଼ିରେ ତୁଷାରପାତ

ଘୁ.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି, ଫୁଲବାଣୀରେ ୫.୫ ଡିଗ୍ରି 

ଫୁଲବାଣୀ/ଘୁ.ଉଦୟଗିରି/ଦାରିଙ୍ଗବାଡ଼ି : ପାଖାପାଖି ଦୁଇ ସପ୍ତାହର ବିରତି ପରେ କନ୍ଧମାଳ ଜିଲ୍ଲାକୁ ପୁଣି ଫେରିଛି ଶୀତ। ଶୀତ ଚାଲିଗଲା ବୋଲି ସମସ୍ତେ ଧରି ନେଇଥିବା ବେଳେ ଅଚାନକ ଫେରନ୍ତା ‌ଶୀତ ଲହରୀକୁ ନେଇ କନ୍ଧମାଳବାସୀ ଅପ୍ରସ୍ତୁତ ହୋଇ ପଡ଼ିଛନ୍ତି। ଆଜି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ଗତକାଲି ଠାରୁ ହଠାତ୍‌ ୪.୬ ଡିଗ୍ରି ହ୍ରାସ ପାଇ ୩ ଡିଗ୍ରିକୁ ଖସି ଆସିବା ସହ ଓଡ଼ିଶାର ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି। ସେହିପରି ଦାରିଙ୍ଗବାଡ଼ି ବ୍ଲକ୍‌ର ସିମନବାଡ଼ି ସମେତ ଆଖପାଖ ଅଞ୍ଚଳରେ ଧାନବିଲ ମଧ୍ୟରେ ତୁଷାରପାତ ପଡ଼ିଥିବା ଦେଖିବାକୁ ମିଳିଛି। ଗୁରୁବାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରି  ରହିଥିବା ବେଳେ ଆଜି ୯ ଡିଗ୍ରି  ରେକର୍ଡ଼ କରାଯାଇଛି।  ଗୋଟିଏ ଦିନରେ ୩.୫ ଡିଗ୍ରି   ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ସେହିଭଳି ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରି  ରହିଛି।

କନ୍ଧମାଳ ଜିଲ୍ଲାର ସବୁଠି ଶୀତର ଲହରୀ ଜାରି ରହିଛି। ଉତ୍ତର ଭାରତରୁ ଥଣ୍ଡା ପବନ ଏବଂ ପଶ୍ଚିମା ଝଡ଼ କାରଣରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିଛି। କନ୍ଧମାଳ ଜିଲ୍ଲାରେ ଶୀତ ସାଙ୍ଗକୁ ଥଣ୍ଡା ପବନ ସହ୍ୟ କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟଦାୟକ ହୋଇ ପଡ଼ିଛି।  ଜିଲ୍ଲାର ଘୁ.ଉଦୟଗିରି ସମେତ ଦାରିଙ୍ଗବାଡ଼ି, ବେଲଘର, କୋଟଗଡ଼, ରାଇକିଆ, ସୁବର୍ଣ୍ଣଗିରି, ରାଣୀପଥର, କଳିଙ୍ଗା ଓ ମଣ୍ଡାସରୁ ଆଦି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଶୀତ କମିଗଲାଣି ଭାବି ଲୋକେ ଶୀତବସ୍ତ୍ର ପରିତ୍ୟାଗ କରି ଦେଇଥିଲେ। ତେବେ ଆଜିର ଏ ଅଚାନକ ଫେରନ୍ତି ଶୀତରେ ଲୋକେ ପୁଣି ଶୀତବସ୍ତ୍ର ବାହାର କରିଛନ୍ତି।

ସମ୍ବନ୍ଧିତ ଖବର