କଣ୍ଟ ପୂରିଲା, ଶିକ୍ଷକଙ୍କ ସହ ଆଲୋଚନା କଲେନି, ଆନ୍ଦୋଳନକୁ ଓହ୍ଲାଇଲା ମିଳିତ ମଞ୍ଚ

ଭୁବନେଶ୍ୱର : ସପ୍ତମ ବେତନ ଆଧାରରେ ଦରମା, ଅବସରକାଳୀନ ସୁବିଧା ସୁଯୋଗ, ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ପୂର୍ବ ଅନୁଦାନ ଆଇନରେ ଅସଙ୍ଗତିର ଦୂରୀକରଣ, ଖାଲି ପଡ଼ିଥିବା ପଦରେ ନିଯୁକ୍ତି ଓ ଏହି ବର୍ଗର ଶିକ୍ଷା କର୍ମଚାରୀମାନଙ୍କ ଅବସର ସୀମା ୬୨ ବର୍ଷକୁ ବୃଦ୍ଧି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ୭ ଦିନର ମହଲତ ଦେବା ପରେ ମଧ୍ୟ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନିଆ ନ ଯିବା ହେତୁ ମିଳିତ ମଞ୍ଚର ସମସ୍ୟମାନେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଶୋଭାଯାତ୍ରା କରିବା ପରେ ପ୍ରତିବାଦ ସଭାରେ ଏକାଠି ହୋଇଥିଲେ।

ମଞ୍ଚର ଆବାହକ ମଣ୍ଡଳୀର ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲା କହିଛନ୍ତି ଯେ ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରିବା ପରିବର୍ତ୍ତେ ହଜାର ହଜାର ଶିକ୍ଷା କର୍ମଚାରୀଙ୍କ ପ୍ରତି ବିଶ୍ବାସଘାତକ କରିଛନ୍ତି। ଗତ ୧୯ ତାରିଖରେ ଉପରୋକ୍ତ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏକ ସପ୍ତାହ ମଧ୍ୟରେ ଏହାକୁ ବିଚାରକୁ ନେଇ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରାଯାଇଥିଲା। ମାତ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲାନି। ୨୦୧୭ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ରାଜ୍ୟରୁ ବ୍ଲକ୍‌ଗ୍ରାଣ୍ଟ ବ୍ୟବସ୍ଥାର ଉଚ୍ଛେଦ କରି ଅନୁଦାନ ନିୟମ ଲାଗୁ କଲେ ବୋଲି ଘୋଷଣା କଲେ। ମାତ୍ର ସରକାର ମୂଳ ଦରମା ବ୍ୟତୀତ ବାକି ସମସ୍ତ ସୁବିଧା ଫେରାଇ ନେଲେ। ଯାହାକୁ ପରବର୍ତ୍ତୀ ଅବସ୍ଥାରେ ବ୍ଲକ୍‌ଗ୍ରାଣ୍ଟର ଏକ ବର୍ଦ୍ଧିତ ରୂପ ବୋଲି ଅଭିହିତ କରାଗଲା। ସରକାରଙ୍କ ଏତାଦୃଶ ନିଷ୍ପତ୍ତି ପାଇଁ ଏହି ବର୍ଗର ଶିକ୍ଷା କର୍ମଚାରୀ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଶିକ୍ଷାର ଘରୋଇକରଣ କରିବା ପାଇଁ ରାଜ୍ୟ ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିଚାଲିଛନ୍ତି। ଦରମା ପ୍ରଦାନ ଓ ଚାକିରି ସର୍ତ୍ତାବଳୀ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି। ତେଣୁ ଏହି ସବୁ ଦାବି ସମାଧାନ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ମଞ୍ଚ ପକ୍ଷରୁ ଗଗନ ବେଉରା, ବିନୋଦ ବିହାରୀ ପାଣିଗ୍ରାହୀ, ଅଟଳ ବିହାରୀ ବଳ, ସୁକାନ୍ତ କୁମାର ବେହେରା, ଶତାବୁଦ୍ଦିନ ଅହମ୍ମଦ, ରଂଜନ କୁମାର ଦାଶ ପ୍ରମୁଖ କହିଛନ୍ତି।

ଅନ୍ୟପକ୍ଷରେ ମିଳିତ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇବା ପରେ ରାଜ୍ୟ ସରକାର ଆଲୋଚନା ପାଇଁ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ମଞ୍ଚର ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କରିଛନ୍ତି। ଦାବିଗୁଡ଼ିକ ସମ୍ପର୍କରେ ରାଜ୍ୟ ସରକାର ଅବଗତ ଅଛନ୍ତି। ସେଗୁଡ଼ିକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ପ୍ରତିଶ୍ରୁତି ମିଳିଥିବା ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର