ଶିବ ଲିଙ୍ଗରେ କ୍ଷୀର ନ ଢାଳି ଲୋକଙ୍କୁ ବାଣ୍ଟିଲେ

ଭବାନୀପାଟଣା : ପବିତ୍ର ଜାଗରରେ ଭକ୍ତମାନେ ମ‌ହାଦେବଙ୍କ କୃପା ପାଇବାକୁ ଶିବଲିଙ୍ଗରେ କ୍ଷୀର ଢାଳି ପୂଜାର୍ଚ୍ଚନା କରୁଥିବାବେଳେ ଭବାନୀପାଟଣା ବାଲାଜୀ ମନ୍ଦିରରେ ପତଞ୍ଜଳି ଯୋଗ ସମିତି ପକ୍ଷରୁ ଏକ ନିଆରା ଉଦ୍ୟମ କରାଯାଇଛି। ମନ୍ଦିରରେ ଥିବା ଶିବ ଲିଙ୍ଗରେ କ୍ଷୀର ନ ଢାଳି ଲୋକଙ୍କୁ କ୍ଷୀର ଗରମ କରି ପିଇବାକୁ ଦିଆଯାଇଛି। ଶିଶୁମାନେ ଏହି କ୍ଷୀର ପିଇବା ପାଇଁ ବେଶ୍‌ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି।

ଶୁକ୍ରବାର ସକାଳେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ଯୋଗ ଶିବିରରେ ସଦସ୍ୟମାନେ ଏକତ୍ରିତ ହୋଇଥିଲେ। ସେମାନେ ଆଣିଥିବା ପ୍ରାୟ ୩୦୦ ଲିଟରରୁ ଊର୍ଦ୍ଧ କ୍ଷୀର ପିଲାମାନଙ୍କୁ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ‘ଭାରତ ସ୍ବାଭିମାନ’ର କଳାହାଣ୍ଡି ମହାସଚିବ ଗଜିନ୍ଦ୍ରପ୍ରସାଦ ପାଢୀ, ପତଞ୍ଜଳି ଯୋଗ ସମିତିର ଜିଲ୍ଲା ପ୍ରଭାରୀ ଅଶୋକ ମୁଣ୍ଡ, ଯୋଗ ବିସ୍ତାରକ ନୀଳକଣ୍ଠ ବେ‌ହେରା, ଯୋଗ ଶିକ୍ଷକ ସଚିନ ବେହେରା, ମହିଳା ଯୋଗ ପ୍ରଶିକ୍ଷିକା ଜ୍ୟୋତି ଖେମକା, ସୌଦାମିନୀ ପାଢ଼ୀ ଓ ମନ୍ଦିର ସୁରକ୍ଷା ସମିତି କର୍ମକର୍ତ୍ତା ଉପସ୍ଥିତ ଥି‌ଲେ। ଏହି ଅବସରରେ ମନ୍ଦିରରେ ଏକ ରୁଦ୍ରାଭିଷେକ ମହାଯଜ୍ଞ ମଧ୍ୟ ହୋଇଥିଲା। ଏଥିରେ ଶୁଭ୍ରାଂଶୁ ପଟ୍ଟନାୟକ ଓ ମମତା ରାଣୀ ପଟ୍ଟନାୟକ କର୍ତ୍ତା ହୋଇଥିଲେ। ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସେହିଭଳି, ପୁରୁଣାପଡ଼ା ସହର ଶିବ ମନ୍ଦିରରେ ରୁଦ୍ରାଭିଷେକ ମହାଯଜ୍ଞ ହୋଇଥିଲା। ଏଥିରେ ମନମୋହନ ପ୍ରଧାନ ସପତ୍ନୀକ, ବାଲୁଙ୍କେଶ୍ବର ମନ୍ଦିରରେ ଇନ୍ଦ୍ରଜିତ ମହାଖୁଡ ସପତ୍ନୀକ କର୍ତ୍ତା ଭାବେ ଦାୟିତ୍ବ ତୁଲାଇଥିଲେ। ଭବାନୀଶଙ୍କର ମନ୍ଦିର, ଜ‌ଳେଶ୍ବର ମନ୍ଦିର, ବାନ୍ଦୋପଲା ଶିବ ମନ୍ଦିରରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ଶୁକ୍ରବାର ମଧ୍ୟରାତ୍ରରେ ମହାଦୀପ ଉଠିଥିଲା।

ସମ୍ବନ୍ଧିତ ଖବର