ଭୁବନେଶ୍ବର : ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସହାୟତା କରିବା ପାଇଁ ରାଷ୍ଟ୍ରୀୟ ଡାଇରି ବିକାଶ ବୋର୍ଡ(ଏନ୍ଡିଡିବି), ରାଜ୍ୟ ସରକାର ଓ ଓମ୍ଫେଡ ସହ ମିଳିତ ଭାବେ କାର୍ଯ୍ୟ କରିବେ। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପୁରୀ ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ରଗୁଡ଼ିକର ପିଲାଙ୍କୁ ୨୦୦ ମିଲିର ପ୍ରାୟ ୫ ଲକ୍ଷ ଆସ୍ବାଦିତ (ଫ୍ଲେଭର୍ଡ) ଦୁଗ୍ଧର ଟେଟ୍ରା ପ୍ୟାକ ବଣ୍ଟନ କରାଯିବ। ଏନ୍ଡିଡିବିର ଅଧିକାରୀମାନେ ଓମ୍ଫେଡ, ପୁରୀ ଜିଲ୍ଲା ଦୁଗ୍ଧ ସ˚ଘ, ପୁରୀ ଜିଲ୍ଲାପାଳ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟ କରିବେ।
ଏନ୍ଡିଡିବିର ଗ୍ରୁପ୍ ହେଡ୍(ପିଆର ଆଣ୍ଡ କମ୍ୟୁନିକେସନ) ଅଭିଜିତ୍ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଏନ୍ଡିଡିବି ନିରନ୍ତର ଭାବେ କାର୍ଯ୍ୟ କରୁଛି। ଓମଫେଡ୍କୁ ଅଭିନବ କାର୍ଯ୍ୟ କୌଶଳ ମାଧ୍ୟମରେ ମାର୍ଗଦର୍ଶନ ଓ ସହାୟତା ଯୋଗାଇ ଆସୁଛି। ୨୦୦୨-୦୩ରେ ଓମଫେଡ୍ର ଦୁଗ୍ଧ ସ˚ଗ୍ରହ ହାରାହାରି ପ୍ରତିଦିନ ୧୦୬.୬ ଟନ୍ କେଜି ଥିଲା। ଯାହା ୨୦୧୮-୧୯ରେ ୪ ଗୁଣ ବଢି ୪୯୧.୮ ଟନ୍ କେଜିରେ ପହଞ୍ଚିଛି। ୨୦୧୭-୧୮ରେ ଓମଫେଡ୍ର ୧୬ କୋଟି ଟଙ୍କା ଲାଭ ହୋଇଛି। ଯାହାକି ବିଗତ ୧୦ବର୍ଷ ମଧ୍ୟରେ ସର୍ବାଧିକ। ଓଡ଼ିଶାରେ ମୂଲ୍ୟବର୍ଦ୍ଧିତ ଦୁଗ୍ଧଜାତ ଦ୍ରବ୍ୟଗୁଡ଼ିକର ଚାହିଦାକୁ ନଜରରେ ରଖି ଏନ୍ଡିଡିବିର ସମ୍ପୂର୍ଣ୍ଣ ସହାୟକ ସ˚ସ୍ଥା ଆଇଡିଏମ୍ସି ଲିଃ., ଓମଫେଡ୍ ପାଇଁ ସମ୍ବଲପୁର ଡାଇରି ଓ ଭବାନୀପାଟଣା ଡାଇରିରେ ୩ ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଇଟି ଆଇସ୍କ୍ରିମ୍ ପ୍ଲାଣ୍ଟ ସ୍ଥାପନ କରିଛି।
ସେ ଆହୁରି କହିଛନ୍ତି ଯେ ବର୍ତମାନ କଟକର ଅରିଲୋ ଗୋବିନ୍ଦପୁରଠାରେ ୨୪୨ କୋଟି ଟଙ୍କା ବ୍ୟୟରେ ଏନ୍ଡିଡିବି ପ୍ରତିଦିନ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଓ ସ୍ବୟ˚ଚାଳିତ ଦୁଗ୍ଧ ପକ୍ରିୟାକରଣ ଡାଇରି ପ୍ଲାଣ୍ଟ ସ୍ଥାପନ କରୁଛି। ଯେଉଁଥିରେ ତରଳ ଦୁଗ୍ଧ ପକ୍ରିୟାକରଣ ଓ ପ୍ୟାକିଙ୍ଗ, ୟୁଏଚ୍ଟି, ଗୁଣ୍ତ ଦୁଗ୍ଧ ପ୍ରସ୍ତୁତି ପ୍ଲାଣ୍ଟ, ଲହୁଣି ପ୍ରସ୍ତୁତି, ପ୍ୟାକିଙ୍ଗ ଅମ୍ଳଯୁକ୍ତ ପାନୀୟ ଯେପରିକି ବଟର ମିଲ୍କ, ଲସି, ଆସ୍ବାଦିତ ଦୁଗ୍ଧ ଆଦି ପ୍ରସ୍ତୁତି ଓ ପ୍ୟାକିଙ୍ଗ ହୋଇ ପାରିବ। ୨୦୨୦ ଡିସେମ୍ବର ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ। ଏହାବ୍ୟତୀତ ଖୋର୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକସ୍ଥିତ ଜଗନ୍ନାଥପୁରରେ ଏନ୍ଡିଡିବି ଏକ ୧୫୦ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଗୋଖାଦ୍ୟ ପ୍ଲାଣ୍ଟ ସ୍ଥାପନ କରିଛି। ଏହି ଡାଇରି ବୋର୍ଡର ୫ଟି ମିଲ୍କ ଏଟିଏମ୍, ପାଶ୍ଚ୍ୟୁରାୟଜର ଓ ହୋମୋଜେନାଇଜର କ୍ରୟ କରିବା ପାଇଁ ଗ୍ରେଟର ଗଞ୍ଜାମ, ଗଜପତି ଜିଲ୍ଲା ଦୁଗ୍ଧ ସ˚ଘକୁ ୪୦.୮୫ ଲକ୍ଷ ଟଙ୍କାର ଋଣ ମଞ୍ଜୁର କରିଛି। ଏହା ଦୁଗ୍ଧ ସ˚ଘର ମାର୍କେଟ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏନ୍ଡିଡିବି ଓ ଟାଟା ଟ୍ରଷ୍ଟର ସହାୟତାରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ପୂର୍ବ ଭାରତର ପ୍ରଥମ ମିଲ୍କ ଏଟିଏମ୍ ସ୍ଥାପନ ହେବ ବୋଲି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି। ଏହାଛଡା ଦୁଗ୍ଧର ଗୁଣବତ୍ତାର ସୁରକ୍ଷାକରଣ ସମସ୍ୟାର ସମାଧାନ ପାଇଁ ଏନ୍ଡିଡିବି ଓମଫେଡ୍କୁ ୮ଲକ୍ଷ ଟଙ୍କାର ଋଣ ମଞ୍ଜୁର କରିଛି। ଏହାଦ୍ବାରା ୮୦୦ ଲକ୍ଷ ଲିଟର ଦୁଗ୍ଧର ସୁରକ୍ଷାକରଣ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।