ବ୍ରହ୍ମପୁରରେ ଚାଞ୍ଚଲ୍ୟ : କ୍ଷୀର କମ୍ପାନି ଡିଲର୍‌ଙ୍କୁ ବାନ୍ଧି ହତ୍ୟା, ଲକ୍ଷାଧିକ ଟଙ୍କା, ଅଳଙ୍କାର ଲୁଟିନେଲେ, ସିସି କ୍ୟାମେରା ଫୁଟେଜ୍‌ରେ ୪ ସନ୍ଦିଗ୍ଧ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ସହରରେ ସଟ୍‌ଡାଉନ୍‌ ସମୟରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଲୁଟ୍‌ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଘରେ ପଶି ଜଣେ କ୍ଷୀର ବ୍ୟବସାୟୀ ତଥା ଏକ ନିର୍ଦ୍ଦିଷ୍ଟ କ୍ଷୀର ପ୍ରସ୍ତୁତକାରୀ କମ୍ପାନିର ଡିଲର୍ ଲମ୍ବୋଦର ମୁନି(୬୫)ଙ୍କ ୨ ‌ଗୋଡ଼କୁ ବାନ୍ଧି ତଣ୍ଟି ଚିପି ନିର୍ମମ ଭାବେ ହତ୍ୟା କରିଛନ୍ତି। ଆଉ ୧୦ରୁ ୧୨ଲକ୍ଷ ଟଙ୍କା ଓ ୧୫ରୁ ୧୮ ଭରି ସୁନାଗହଣା ଲୁଟି ନେଇଛନ୍ତି। ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ହିଲ୍‌ପାଟଣା ଏମ୍‌ଏଭି ସ୍କୁଲ ପାର୍ଶ୍ବଗଳିରେ ରହୁଥିବା ବ୍ୟବସାୟୀ ଲମ୍ବୋଦରଙ୍କୁ ଏଭଳି ନିର୍ମମ ହତ୍ୟା ଘଟଣା ଆଜି ସହର‌ରେ ଆଲୋଡ଼ନ ସୃଷ୍ଟି କରିଛି।

ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ କେସ୍ ନମ୍ବର ୮୭/୨୦ରେ ହତ୍ୟା ମାମଲା ରୁଜୁ ସହିତ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଘଟଣାସ୍ଥଳରୁ କିଛି ଫିଙ୍ଗର୍‌ ପ୍ରିଣ୍ଟ୍‌ସ ସଂଗ୍ରହ କରାଯାଇଛି। ଆଉ ନିକଟସ୍ଥ ଏକ କୋଠାରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ରେ ୪ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ୟବସାୟୀ ଲମ୍ବୋଦରଙ୍କ ଘରେ ପଶୁଥିବା ଦୃଶ୍ୟ ରେକର୍ଡ଼ ହୋଇଛି। ଏହି କ୍ଲିପ୍‌କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଲୁଟ୍‌ ଉଦ୍ଦେଶ୍ୟରେ ଏଭଳି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ବୋଲି ଏସ୍‌ପି କହିଛନ୍ତି।

ବ୍ୟବସାୟୀ ଲମ୍ବୋଦର ହେରିଟେଜ୍‌ କମ୍ପାନିର କ୍ଷୀର ଓ ଅନ୍ୟ ସାମଗ୍ରୀର ଡିଲର୍‌ସିପ୍‌ ନେଇଛନ୍ତି। ସେ ପତ୍ନୀଙ୍କ ସହିତ ହିଲ୍‌ପାଟଣା ଏମ୍‌ଏଭି ସ୍କୁଲ ପାର୍ଶ୍ବଗଳିରେ ଏକ ଆପାର୍ଟମେଣ୍ଟ୍‌ରେ ରହୁଛନ୍ତି। ନିକଟରେ ତାଙ୍କର କ୍ଷୀର ଗୋଦାମ ରହିଛି। ଦୁଇ ପୁଅ ବିଦେଶରେ ରହୁଥିବା ବେଳେ ଝିଅ ବାହା ହୋଇ ଭୁବନେଶ୍ବରରେ ରହୁଛନ୍ତି।

ଗତ କିଛିଦିନ ହେଲା ଲମ୍ବୋଦର ରାତିରେ ଏକୁଟିଆ ଗୋଦାମ ଘରେ ରହୁଥିଲେ। ଭୋର୍‌ରୁ କ୍ଷୀର ଆସିବା ପରେ ତାଙ୍କ ତତ୍ତ୍ବାବଧାନରେ ସଂଗ୍ରହ କରି ବିଭିନ୍ନ ସ୍ଥାନକୁ ପୁଣି ଥରେ ପଠାଯାଇଥାଏ। ସେଥିପାଇଁ ଲମ୍ବୋଦର ଘରକୁ ନ ଆସି ରାତିରେ ଗୋଦାମରେ ଶୋଇ ପଡ଼ୁଥିଲେ। ଆଜି ଭୋର୍‌ରେ କମ୍ପାନିର ଡ୍ରାଇଭର୍‌ ସେଠାରେ ପହଞ୍ଚିଥିଲେ। କିନ୍ତୁ ଲମ୍ବୋଦରଙ୍କୁ ପାଇ ନଥିଲେ। ଗୋଦାମ ଘର କବାଟ ଭିତର ପଟୁ ବନ୍ଦ ରହିଥିଲା। ସେ ଗୋଦାମର ମ୍ୟାନେଜର୍‌ଙ୍କୁ ଫୋନ୍‌ କରିଥିଲେ। ମ୍ୟାନେଜର୍‌ ସେଠାରେ ପହଞ୍ଚିଥିଲେ। ଉଭୟ ଗୋଦାମର ପଛପଟ ରାସ୍ତା ଦେଇ ଭିତରକୁ ଯିବା ବେଳେ କବାଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଭିତରେ ପଶି ଦେଖିଲା ବେଳକୁ, ଶୋଇବା କୋଠରିରେ ଲମ୍ବୋଦର ମୁହଁ ମାଡ଼ି ତଳେ ପଡ଼ିଥିଲେ। ଲମ୍ବୋଦରଙ୍କ ଦୁଇ ଗୋଡ଼ ବନ୍ଧା ଯାଇଥିବା ବେଳେ ବେକରେ ଚିହ୍ନ ଥିଲା। ସଂଗେ ସଂଗେ ସେମାନେ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲମ୍ବୋଦରଙ୍କ ଶବ ଜବତ କରିଥିଲା। ଆଲମିରା ଭଙ୍ଗା ଯାଇଥିବା ବେଳେ ସେଥିରେ ଥିବା ପ୍ରାୟ ୨୫ ଗ୍ରାମ୍ ସୁନା ଅଳଙ୍କାର ଓ ପାଖାପାଖି ୧୦ରୁ ୧୨ଲକ୍ଷ ଟଙ୍କା ଗାଏବ୍ ହୋଇଯାଇଥିଲା। ସେହିପରି ଲମ୍ବୋଦର ପିନ୍ଧିଥିବା ସୁନା ଚେନ୍‌, ବ୍ରାସ୍‌ଲେଟ୍‌ ଓ ମୁଦି ମଧ୍ୟ ନଥିଲା। ଫଳରେ ଲୁଟ୍‌ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସ୍ପଷ୍ଟ କରିଛି।

ପୁଲିସ ପୂରା ଘରକୁ ସିଲ୍‌ କରି ଯାଞ୍ଚ କରିଥିଲା। ସେଠାରୁ କିଛି ଫିଙ୍ଗର୍‌ ପ୍ରିଣ୍ଟ୍‌ସ ସଂଗ୍ରହ ହୋଇଛି। ସେହିପରି ସନ୍ଧାନୀ କୁକୁର ସହାୟତାରେ ମଧ୍ୟ ତଦନ୍ତ କରାଯାଇଛି। ହେଲେ ଅଦ୍ୟାବଧି ସେମିତି କିଛି ଖାସ୍‌ ସୁରାକ୍‌ ମିଳିପାରିନି। ଗୋଦାମ ଘରର ବିଭିନ୍ନ ସ୍ଥାନରେ ୮ଟି ସିସି କ୍ୟାମେରା ଲାଗିଛି। କିନ୍ତୁ ଦୁର୍ବୃତ୍ତମାନେ ସିସିଟିଭିର ଡିଭିଆର୍‌ ଚୋରି କରି ନେଇଛନ୍ତି। ସମସ୍ତ ଦୃଶ୍ୟ ଡିଭିଆର୍‌ରେ ରେକର୍ଡ଼ ହୋଇ ରହିଛି। ଲମ୍ବୋଦରଙ୍କ ମୁହଁରେ ଆଘାତ ଚିହ୍ନ ରହିଛି। ତାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।

ସଟ୍‌ଡାଉନ୍‌ ସମୟରେ ପୁଲିସର ନିରନ୍ତର ପାଟ୍ରୋଲିଂ ସତ୍ତ୍ବେ ୪ଜଣ ଦୁର୍ବୃତ୍ତ ଜଣେ ବରିଷ୍ଠ ନାଗରିକ ତଥା ବ୍ୟବସାୟୀଙ୍କୁ ହତ୍ୟା ପରେ ଲୁଟ୍‌ କରି ଚମ୍ପଟ ମାରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ସହରର ଅନ୍ୟତମ ଭିଆଇପି ଅଞ୍ଚଳ ଭାବେ ପରିଚିତ ହିଲ୍‌ପାଟଣାରେ ଏଭଳି ଏକ ଘଟଣା କୋକୁଆ ଭୟ ସୃଷ୍ଟି କରିଛି। ବ୍ରହ୍ମପୁର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍‌ପି ପ୍ରଶାନ୍ତ ମିଶ୍ର, ଟାଉନ୍‌ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ଓ ୪ଜଣ ଇନ୍‌ସ୍ପେକ୍ଟର୍‌ଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଘଟଣାର ତଦନ୍ତ କରାଯାଉଛି। ଅତିଶୀଘ୍ର ହତ୍ୟାକାରୀଙ୍କୁ ଧରାଯିବ ବୋଲି ଏସ୍‌ପି ଆଶା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର