ବଲାଙ୍ଗୀର/ଟିଟିଲାଗଡ଼ : ବଲାଙ୍ଗୀରରେ ଦୁଗ୍ଧ ଶୀତଳକରଣ ପ୍ଲାଣ୍ଟ ଉଦ୍ଘାଟିତ ହୋଇଛି। ଟିଟିଲାଗଡ଼ ବିଧାୟିକା ତଥା ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଶୁକ୍ରବାର ଦିନ ତୁଷୁରାସ୍ଥିତ ପ୍ରାଣୀ ସମ୍ପଦ ଚିକିତ୍ସାକେନ୍ଦ୍ର ପରିସରରେ ଥିବା ଏହି ୨ ହଜାର ଲିଟର କ୍ଷମତାଥିବା ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟକୁ ଉଦ୍ଘାଟନ କରିଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଏହି ପ୍ଲାଣ୍ଟ ନିର୍ମିତ ହୋଇଛି।
ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ ଅଞ୍ଚଳର ଚାଷୀମାନଙ୍କୁ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଚାଷୀମାନେ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ତ୍ରିପାଠୀ କହିଥିଲେ, ଗୋପାଳନ ପ୍ରତି ଚାଷୀମାନେ ଆକୃଷ୍ଟ ହେଲେ ସେମାନଙ୍କର ଆୟ ବୃଦ୍ଧି ସହ ଜୀବନଜୀବିକାର ମାନ ଉନ୍ନତ ହୋଇପାରିବ।ଏଥିସହିତ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଜିଲ୍ଲାକୁ ଏକ ୧୫ ହଜାର ଲିଟର କ୍ଷମତାସମ୍ପନ୍ନ ନୂତନ ଦୁଗ୍ଧ ଟ୍ୟାଙ୍କର ଯୋଗାଇଦେବା ସହ ଜିଲ୍ଲାରେ ଓମ୍ଫେଡ଼ ପକ୍ଷରୁ ଏକ ଶୀତଳୀକରଣ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ।
ସଚେତନତା ସଭାରେ ଜିଲ୍ଲାପାଳ ଚଞ୍ଚଳ ରାଣା, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସଂଘ ସଭାପତି ସୀମା ପଟେଲ, ସାଧାରଣ ପରିଚାଳକ ଡ. ରଜନୀକାନ୍ତ ପଣ୍ଡା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ ମିଶ୍ର ଉପସ୍ଥିତଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡା. ସନ୍ତୋଷ ପଣ୍ଡା ଧନ୍ୟବାଦ ଦେଇଥିଲେ।
ଏହାପୂର୍ବରୁ ଟିଟିଲାଗଡ଼ରେ ମନ୍ତ୍ରୀ ଟୁକୁନୀ ସାହୁ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ପ୍ରାୟ ୬୨ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଟିଟିଲାଗଡ଼ ସହର ସୁରକ୍ଷା ନିମନ୍ତେ ସିସିଟିଭି କ୍ୟାମେରା ସିଷ୍ଟମ ଓ ପ୍ରାୟ ୪ କୋଟି ୨୦ ଲକ୍ଷ ବ୍ୟୟରେ ନିର୍ମାଣ ହେବାକୁଥିବା କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରିଥିଲେ। ଶ୍ରୀ ତ୍ରିପାଠୀ ବଲାଙ୍ଗୀର ଅଭିମୁଖେ ଆସି ସିନଖମନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମାଣାଧୀନ ୫୦୦ ଆସନ ବିଶିଷ୍ଟ ଆଧୁନିକ ପ୍ରେକ୍ଷାଳୟ ଓ ଗାନ୍ଧୀ ଷ୍ଟାଡିୟମରେ ନିର୍ମାଣାଧୀନ ଗ୍ୟାଲେରିର ନିର୍ମାଣ ଓ କାର୍ଯ୍ୟର ଅଗ୍ରଗତି ପରିଦର୍ଶନ କରି ଏହି କାର୍ଯ୍ୟକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଓ କାର୍ଯ୍ୟ ନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ।