ଗୋସମ୍ପଦ ଉଦ୍ୟୋଗୀମାନଙ୍କ କର୍ମଶାଳା: ଓମଫେଡ୍ କ୍ଷୀର ଦର ବୃଦ୍ଧି କରିବାକୁ ଦୁଗ୍ଧ ଚାଷୀ ସଂଘର ଦାବି

ଖୁବଶୀଘ୍ର ଏ ନେଇ ବସିବ ଉଚ୍ଚସ୍ତରୀୟ ବୈଠକ, ମଧ୍ୟାହ୍ନ ଭୋଜନରେ ଦୁଗ୍ଧ ପରିବେଷଣ ନେଇ ଅନୁଧ୍ୟାନ କରାଯିବ

ଭୁବନେଶ୍ବର: ୨୦୧୪ରୁ ଓମଫେଡ କ୍ଷୀର ଦର ବୃଦ୍ଧି କରିନାହିଁ। ଗୋଖାଦ୍ୟଠୁ ଆରମ୍ଭ କରି ଦୁଗ୍ଧ ଉତ୍ପାଦନ ପାଇଁ ଆନୁସଙ୍ଗିକ ଜିନିଷର ଦର ବୃଦ୍ଧି ଘଟିଲାଣି। କ୍ଷୀର ଦର ବୃଦ୍ଧି ନ ହେବାରୁ ଦୁଗ୍ଧ ଚାଷୀ କ୍ଷତି ସହୁଛନ୍ତି। ଆଜି ଗୋସମ୍ପଦ ବିକାଶ ଉଦ୍ୟୋଗୀମାନଙ୍କ କର୍ମଶାଳାର ଉଦଘାଟନ ଅବସରରରେ ଏପରି ଦାବି କରିଛନ୍ତି ବିଭିନ୍ନ ଜିଲ୍ଲାରୁ ଆସିଥିବା ଦୁଗ୍ଧ ଚାଷୀ ସଂଘ। କ୍ଷୀର ଲିଟର ପିଛା ୩୦ ଟଙ୍କା କରିବାକୁ ଦାବି କରିଛନ୍ତି। ଏହା ଉପରେ ପ୍ରତିକ୍ରିୟା ରଖି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଏ ନେଇ ସରକାର ଅନୁଧ୍ୟାନ କରିବେ। ଦୁଗ୍ଧ ଚାଷୀଙ୍କ ରୋଜଗାର ବୃଦ୍ଧି କରିବାକୁ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଦୁଗ୍ଧ ଦେବା ପାଇଁ ପ୍ରସ୍ତାବ ଉପରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏ ନେଇ ପରୀକ୍ଷା ନିରୀକ୍ଷା କରାଯିବ ବୋଲି କହିଛନ୍ତି।

ମଙ୍ଗଳବାର ସ୍ଥାନୀୟ କୃଷି ଭବନରେ ଆୟୋଜିତ ଗୋସମ୍ପଦର ବିକାଶରେ ଉଦ୍ୟୋଗୀମାନଙ୍କ ଭୂମିକା ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ କହିଥିଲେ,ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବିଗତ ବର୍ଷମାନଙ୍କରେ କ୍ରମାଗତ ଭାବେ ବୃଦ୍ଧି ପାଇଛି। କମ୍ ଖର୍ଚ୍ଚରେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୋଡ଼ିଏଟି ଗାଈ ବା ମଇଁଷି ରଖିଲେ ହିତାଧିକାରୀଙ୍କୁ ୪୦ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି। ମହିଳା ଓ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଏହି ରିହାତି ୫୦ ପ୍ରତିଶତ ରହିଛି। ଗୋପାଳନ ଋଣ ଉପରେ ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ସୁଧ ସରକାର ପଇଠ କରୁଛନ୍ତି। ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଉଥିବାରୁ ଦୈନିକ ୧୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ।

ଏହି ଅବସରରେ ପୁରୀ ଜିଲ୍ଲା ନିମାପଡ଼ା, ଜଗତସିଂହପୁର, ବାଲେଶ୍ବରରୁ ଆସିଥିବା ଦୁଗ୍ଧ ଚାଷୀ ସଂଘର ସଦସ୍ୟମାନେ ଓମଫେଡ୍ ଦର ବୃଦ୍ଧି କରିବାକୁ ଦାବି କରିଥିଲେ। ସଂଘର ସଦସ୍ୟମାନେ ମତ ରଖି କହିଥିଲେ ଅନେକ ଘରୋଇ ଦୁଗ୍ଧ ବିପଣନ ସଂସ୍ଥା ଦୁଗ୍ଧ ଦର ବୃଦ୍ଧି କରିଛନ୍ତି। କିନ୍ତୁ ଓମଫେଡ୍ ଗତ ୫ ବର୍ଷ ହେଲାଣି ଦର ବୃଦ୍ଧି ନ କରିବାରୁ ପଞ୍ଜୀକୃତ ହୋଇଥିବା ଚାଷୀମାନେ ଆର୍ଥିକ କ୍ଷତି ସହୁଛନ୍ତି। ଗୋଖାଦ୍ୟ, ଔଷଧ, ଘାସର ଦର ବୃଦ୍ଧି ଯୋଗୁଁ ଦୁଗ୍ଧ ଉତ୍ପାଦନ ପାଇଁ ଯେତିକି ଖର୍ଚ୍ଚ ହେଉଛି ବିକ୍ରି ପରେ ଲାଭ ମିଳୁନି। ତୁରନ୍ତ ଓମଫେଡ୍ କ୍ଷୀରର ଦରବୃଦ୍ଧି କରିବାକୁ ସଂଘ ସଦସ୍ୟମାନେ ମନ୍ତ୍ରୀଙ୍କୁ ଦାବି କରିଥିଲେ। ଜବାବରେ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, ଏ ନେଇ ଅନୁଧ୍ୟାନ କରାଯିବ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଓମଫେଡ୍ ଦର ବୃଦ୍ଧି କରିବାକୁ ସରକାର ଖୁବଶୀଘ୍ର ଉଚ୍ଚସ୍ତରୀୟ ବୈଠକ ଡାକି ନିଷ୍ପତ୍ତି ନେବେ। କର୍ମଶାଳାରେ ଉଦ୍‌ଘାଟକ ଭାବରେ ଯୋଗଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଦୁଗ୍ଧ ଚାଷୀ ସଂଘ ସବୁ ଜିଲ୍ଲାକୁ ସଂପ୍ରସାରିତ କରିବାର ଆବଶ୍ୟକତା ରହିଛି। ରାଜ୍ୟର ଖାଉଟିମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ବ୍ୟବହାର ବୃଦ୍ଧି କରିବାକୁ ପଡ଼ିବ। ଏହି ଅବସରରେ ଓମଫେଡ୍ ସଭାପତି ସରୋଜିନୀ ମିଶ୍ର ପ୍ରସ୍ତାବ ଦେଇ କହିଥିଲେ ସ୍କୁଲ ମଧ୍ୟାହ୍ନ ଭୋଜନରେ ଦୁଗ୍ଧ ପରିବେଷଣ କରାଗଲେ ଚାଷୀଙ୍କ ଆୟ ବୃଦ୍ଧି ହେବାରେ ସହାୟକ ହେବ। ଓମଫେଡ ସଭାପତିଙ୍କ ପ୍ରସ୍ତାବକୁ ପରୀକ୍ଷା ନିରୀକ୍ଷା କରାଯିବ ବୋଲି ସମବାୟ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ। କର୍ମଶାଳାରେ କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ର, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର କମିସନର ଆର. ରଘୁପ୍ରସାଦ, ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରତ୍ନାକର ରାଉତଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ଦୁଗ୍ଧ ଚାଷୀ ସଂଘ ସଦସ୍ୟମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର