ଆଠମଲ୍ଲିକ : ଆଠମଲ୍ଲିକ ଅଞ୍ଚଳରୁ କ୍ଷୀର ନେଉନି ଓମ୍‌ଫେଡ୍‌। ୫ ଦିନ ହେଲା ଚାଷୀଙ୍କ ପାଖରୁ କ୍ଷୀର ନିଆ ଯାଉ ନ ଥିବାରୁ ହଜାର ହଜାର ଲିଟର କ୍ଷୀର ନଷ୍ଟ ହେଉଛି। ଫଳରେ ଦୁଗ୍ଧ ଚାଷୀମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏପରିକି ଗାଈଙ୍କ ମୁହଁରେ ଦାନା ମୁଠାଏ ଦେବା ବି କଷ୍ଟକର ହୋଇପଡ଼ିଲାଣି। ଏପଟେ ଓମ୍‌ଫେଡ୍‌ କ୍ଷୀର କିଣୁ ନ ଥିବାରୁ ଚାଷୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦିନେ ଦୁଇଦିନ ଭିତରେ ଓମଫେଡ କ୍ଷୀର ନ କିଣିଲେ ସେମାନେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Advertisment

ଆଠମଲ୍ଲିକ ଅଞ୍ଚଳରେ ପାଖାପାଖି ୫ ହଜାର ଦୁଗ୍ଧ ଚାଷୀ ରହିଛନ୍ତି। ଏହି ଅଞ୍ଚଳରେ ଖଣିଖାଦାନ କିମ୍ବା କଳକାରଖାନା ନ ଥିବାରୁ ଲୋକମାନେ ଚାଷବାସ କରି ଜୀବନ ନିର୍ବାହ କରିଥାନ୍ତି। ଗୋପାଳନରେ ଭଲ ଦୁଇ ପଇସା ମିଳୁ ଥିବାରୁ ଦୀର୍ଘ ବର୍ଷ ଧରି ଗାଈ ରଖି ଦୁଗ୍ଧ ଉତ୍ପାଦନ କରୁଥିଲେ। କିନ୍ତୁ କିଛି ମାସ ହେଲା ଓମଫେଡ କର୍ତ୍ତୃପକ୍ଷ ଦାଉ ସାଧୁଛନ୍ତି। ପ୍ରଥମେ ଅଏଡ଼ାରେ ଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକୁ ବନ୍ଦ କରିଦେଇଥିଲେ। ପରିଚାଳନାଗତ ତ୍ରୁଟି କାରଣରୁ ଆଠମଲ୍ଲିକରେ ଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ମଧ୍ୟ ବନ୍ଦ ହୋଇଯାଇଛି। ତେବେ ଓମଫେଡ୍ ଗାଡି ଆସି ଚାଷୀଙ୍କ ପାଖରୁ କ୍ଷୀର ସଂଗ୍ରହ କରୁଥିଲା। କିନ୍ତୁ ୫ ଦିନ ହେଲା ଆଉ ଗାଡ଼ି ମଧ୍ୟ ଆସୁନି। ଫଳରେ ଦୈନିକ ପାଖାପାଖି ୫ ହଜାର ଲିଟର କ୍ଷୀର ବିକିବାରୁ ବଞ୍ଚିତ ହେଉଛନ୍ତି ଚାଷୀ। ଏଥିରୁ ଅଧିକାଂଶ କ୍ଷୀର ନଷ୍ଟ ହେଉଥିଲାବେଳେ କିଛି କ୍ଷୀରକୁ କମ୍ ଦାମରେ ବିକିବାକୁ ଚାଷୀ ବାଧ୍ୟ ହେଉଛନ୍ତି।

କ୍ଷୀର ବିକି ଗାଈକୁ ଖାଇବା ପାଇଁ ଦେଉଥିବା ଚାଷୀମାନେ ଏବେ ସଙ୍କଟରେ ପଡ଼ି ଯାଇଛନ୍ତି। କ୍ଷୀର ବିକ୍ରି ହେଉ ନ ଥିବାରୁ ଦାନା କିଣି ପାରୁନାହାନ୍ତି। କିଛି ଚାଷୀ କରଜ କରି ଗାଈକୁ ଦାନା ଦେଉଛନ୍ତି। ଏହାକୁ ନେଇ ଚାଷୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି। ଓମଫେଡ ତୁରନ୍ତ କ୍ଷୀର କିଣୁ ବୋଲି ଦାବି କରିଛନ୍ତି। ଏଥିନେଇ ପ୍ରଶାସନର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି ଚାଷୀ। ଆଠମଲ୍ଲିକ ଉପଜିଲ୍ଲାପାଳ ଓ ଜିଲ୍ଲପାଳଙ୍କୁ ଏଥିନେଇ ଜଣାଇଛନ୍ତି। ହେଲେ ସମସ୍ୟାର ସମାଧାନ ହେଉନି। ଦିନେ ଦୁଇଦିନ ଭିତରେ କ୍ଷୀର କିଣା ନ ହେଲେ ସେମାନେ ଆଠମଲ୍ଲିକରେ ଏକାଠି ହୋଇ ରାସ୍ତାରେ କ୍ଷୀର ଢାଳିବେ ବୋଲି ଚେତାବନୀ ଦେଇଛନ୍ତି। ଦୁଗ୍ଧ ଚାଷୀ ତଥା ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଂଜନ କର୍ଣ୍ଣ କହିଛନ୍ତି ଯେ, ଆଜିକୁ ୫ ଦିନ ହେଲା ଓମଫେଡ କ୍ଷୀର କିଣୁନି। ଏଥିନେଇ ଓମଫେଡ କର୍ମଚାରୀଙ୍କୁ କାରଣ ପଚାରିଲେ ସେମାନେ କିଛି କହୁନାହାନ୍ତି। ଚାଷୀ କ୍ଷୀର ବିକି ନ ପାରି କ୍ଷତି ସହୁଛି। ତେଣୁ ଆଗାମୀ ଦିନରେ ଚାଷୀମାନେ ରାସ୍ତାକୁ ଓହ୍ଲାଇବେ ବୋଲି ସେ ଚେତାବନୀ ଦେଇଛନ୍ତି।

ଦୁଗ୍ଧ ଚାଷୀମାନେ କ୍ଷତି ସହିବା ପରେ ଏବେ ଗାଈ ବିକିବାକୁ ବାଧ୍ୟ ହେଉଛନ୍ତି। କିଛି ଚାଷ ଛାଡି ଦାଦନ ଖଟିବା ପାଇଁ ଯିବାକୁ ମନସ୍ଥ କଲେଣି। କାରଣ ଓମଫେଡ ଚାଷୀଙ୍କୁ ଆଉ ଆଗଭଳି ସହାୟତା ଦେଉନ ଥିବା ଅଭିଯୋଗ ହୋଇଛି। ଏଥିନେଇ ଓମଫେଡ ମହାପ୍ରବନ୍ଧକ ଅଜିତ କୁମାର ଏକ୍ସେସଙ୍କୁ ମୋବାଇଲ ଫୋନ ଯୋଗେ ଯୋଗାଯୋଗ କରିବାକୁ ବାରମ୍ବାର ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ନଉଠାଇବାରୁ ସମସ୍ୟା ସଂପର୍କରେ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।