ସମ୍ବଲପୁର : ଗୋଟିଏ ପଟେ କରୋନା ମହାମାରୀର ମୁକାବିଲା ପାଇଁ ସରକାରଙ୍କ ଲକ୍ଡାଉନ୍ ଓ ସଟ୍ଡାଉନ୍ କରୁଥିବାବେଳେ ଅନ୍ୟପଟେ ଓମ୍ଫେଡ୍ର ମନମୁଖୀ କାର୍ଯ୍ୟର ପରିଣାମ ସ୍ବରୂପ ପଶ୍ଚିମ ଓଡ଼ିଶାର ୫ଟି ଜିଲ୍ଲାର ଦୁଗ୍ଧ ଚାଷୀ ପ୍ରଭାବିତ ହେଉଛନ୍ତି। ଉତ୍ପାଦନ ଅନୁପାତରେ ଯଥେଷ୍ଟ କମ୍ ପରିମାଣର କ୍ଷୀର ସଂଗ୍ରହ କରାଯାଉଥିବାରୁ ଚାଷୀ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଓମ୍ଫେଡ୍ କର୍ତ୍ତୃପକ୍ଷ କ୍ଷୀର ସଂଗ୍ରହର ଟର୍ଗେଟ୍ ହ୍ରାସ କରିଦେବା ଦ୍ବାରା ଦୈନିକ ଆନୁମାନିକ ୩୦ ହଜାର ଲିଟର ଦୁଗ୍ଧ ନଷ୍ଟ ହେଉଥିବା ଜଣାଯାଇଛି।
ପ୍ରକାଶ ଯେ, ସମଲେଶ୍ବରୀ ଆଂଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଲିମିଟେଡ୍(ସାମୁଲ) ପ୍ରତିଦିନ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର ଓ ବୌଦ୍ଧ ଜିଲ୍ଲାର ଗ୍ରାମାଂଚଳରେ ଥିବା ସୋସାଇଟିଗୁଡ଼ିକରୁ କ୍ଷୀର ସଂଗ୍ରହ କରି ସମ୍ବଲପୁର ଜିଲ୍ଲା ଗୋଶାଳାରେ ଥିବା ଓମ୍ଫେଡ୍ର ସମ୍ବଲପୁର ଡାଏରିକୁ ଯୋଗାଇଥାଏ। ଏହି ୫ ଜିଲ୍ଲାରେ ପ୍ରାୟ ୩୫ ହଜାର ଦୁଗ୍ଧ ଚାଷୀ ରହିଥିବା ବେଳେ ଏବେ ପ୍ରାୟ ୨୦ ହଜାର ଚାଷୀ ସାମୁଲ୍ ଜରିଆରେ ସମ୍ବଲପୁର ଡାଏରିକୁ କ୍ଷୀର ଯୋଗାଉଛନ୍ତି। ସାମୁଲ୍ ଦୁଗ୍ଧ ଚାଷୀମାନଙ୍କଠାରୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ କ୍ଷୀର ସଂଗ୍ରହ କରିଥାଏ। ଆଗରୁ ଦୈନିକ ପ୍ରାୟ ୮୦ ହଜାର ଲିଟର କ୍ଷୀର ସଂଗ୍ରହ ହେଉଥିଲା। ହେଲେ ଓମ୍ଫେଡ୍ ଲକ୍ଡାଉନ୍ ଯୋଗୁ ଦୁଗ୍ଧଜାତ ସାମଗ୍ରୀର ବିକ୍ରି ହ୍ରାସ ପାଇଥିବା ଦର୍ଶାଇ ମେ’ ମାସ ୨୧ ତାରିଖରୁ ଦୈନିକ ୬୩,୫୦୦୦ ଲିଟର କ୍ଷୀର ସଂଗ୍ରହ କରିବାକୁ ପତ୍ର ସଂଖ୍ୟା ୧୬୭୬ ଜରିଆରେ ଅବଗତ କରାଇଥିଲା। ତେବେ, ୪ ଜୁନ୍ରେ ସନ୍ଧ୍ୟା ସମୟରେ ଏବଂ ୫ ଜୁନ୍ ରବିବାର ଦିନ ଆଦୌ କ୍ଷୀର ନେଇନଥିଲା। କେବଳ ସେତିକି ନୁହେଁ, ଓମ୍ଫେଡ୍ର ନିଷ୍ପତ୍ତିକ୍ରମେ ଗତ ୭ ଜୁନ୍ରୁ କେବଳ ସକାଳ ସମୟରେ କ୍ଷୀର ସଂଗ୍ରହ କରାଯାଉଥିବା ଜଣାପାଡ଼ିଛି।
ସମ୍ବଲପୁର ଡାଏରିରୁ କ୍ଷୀର ଅନ୍ୟ ରାଜ୍ୟର କେତେକ ସଂସ୍ଥା ଘିଅ, ଦୁଗ୍ଧ ଗୁଣ୍ଡ ଆଦି ପ୍ରସ୍ତୁତି କରିବା ପାଇଁ ବି ନେଇଥାନ୍ତି। ମଙ୍ଗଳବାର ସମ୍ବଲପୁର ଡାଏରି ପରିସରରେ ଅନ୍ୟ ରାଜ୍ୟର ୮ଟି ଗାଡ଼ି କ୍ଷୀର ନେବା ପାଇଁ ଆସିଥିବା ବେଳେ ସେଥିରୁ ଆଜି ଗୋଟିଏ ଏଠାରେ କ୍ଷୀର ନେଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଗୋଟିଏ ପଟେ ଓମ୍ଫେଡ୍ କ୍ଷୀର ନେଉନଥିବାବେଳେ ଅନ୍ୟ ପଟେ ଲକ୍ଡାଉନ୍ ଯୋଗୁଁ ମିଠା ଦୋକାନ, ହୋଟେଲଗୁଡ଼ିକ ବନ୍ଦ ରହୁଥିବାରୁ ଚାଷୀମାନେ ବାହାରେ ବି କ୍ଷୀର ବିକ୍ରି କରିପାରୁନାହାନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବା ସହିତ ପରିବାରର ଆର୍ଥିକ ଅବସ୍ଥା ଦୋହଳି ଯାଇଛି। ରବିବାର ଦିନ ଆଦୌ କ୍ଷୀର ସଂଗ୍ରହ କରାଯାଉନଥିବାରୁ ଚାଷୀମାନଙ୍କୁ ଏହି ଦିନ ଅଧିକ କ୍ଷତି ସହିବାକୁ ପଡ଼ୁଛି। ତଥାପି, ଓମ୍ଫେଡ୍ କତ୍ତୃର୍ପକ୍ଷ ବେପରୁଆ ରହିଛି।
ଏ ସଂକ୍ରାନ୍ତରେ ସମ୍ବଲପୁର ଡାଏରିର ପ୍ଲାଣ୍ଟ ମ୍ୟାନେଜର ଡାକ୍ତର ସଂଜୟ ସାହୁଙ୍କୁ ପଚାରିବାରୁ ଡେୱାସ୍-ଇନ୍ଦୋର ସହରରେ ଥିବା ପ୍ଲାଣ୍ଟ ରହିଛି ବୋଲି କହିବା ସହିତ ସବିଶେଷ ତଥ୍ୟ ପାଇଁ ଓମ୍ଫେଡର୍ ଡିଜିଏମ୍(ପି ଆଣ୍ଡ ଆଇ) ଡାକ୍ତର ଜେ.କେ.ପଟ୍ଟନାୟକଙ୍କ ସହିତ ଯୋଗାଯୋଗ କରିବାକୁ କହିଥିଲେ। ତେବେ, ଡାକ୍ତର ପଟ୍ଟନାୟକଙ୍କୁ ପଚାରିବାରୁ ପାଲଟା ସେ ପୁଣି ପ୍ଲାଣ୍ଟ ମ୍ୟାନେଜରଙ୍କୁ ପଚାରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ରାଜ୍ୟକୁ କ୍ଷୀର ଯୋଗାଣ ହେଉଥିବା ସତ୍ତ୍ବେ ଓମ୍ଫେଡ୍ ଚାଷୀମାନଙ୍କଠାରୁ କ୍ଷୀର ସଂଗ୍ରହ ନକରିବା ପଛରେ କି ରହସ୍ୟ ରହିଛି, ତାହା ବୁଝି ହେଉନାହିଁ।