୨୧ ବର୍ଷରେ ୩ ଗୁଣ ବଢିଛି ଦୁଗ୍ଧ ଉତ୍ପାଦନ: କୃଷିମନ୍ତ୍ରୀ

ଲିଙ୍ଗ ନିରୂପିତ ଶୁକ୍ରାଣୁ ଦ୍ୱାରା କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ବର: ଦୁଇ ଦଶନ୍ଧିରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି। ୨୦୦୦ ମସିହାରେ ୮.୭୫ ଲକ୍ଷ ମେଟ୍ରିକ ଟନ୍‌ ଥିବା ବେଳେ ୨୦୨୧ ମସିହାରେ ଏହା ୨୩.୭୩ ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି। କୃଷି ଭବନରେ ଲିଙ୍ଗ ନିରୂପିତ ଶୁକ୍ରାଣୁ ଦ୍ୱାରା କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ।

ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି, ଲିଙ୍ଗ ନିରୂପିତ ଶୁକ୍ରାଣୁ ଜ୍ଞାନକୌଶଳ ଯୋଗୁଁ ୯୦ ପ୍ରତିଶତ ପର୍ଯ୍ୟନ୍ତ ମାଈ ବାଛୁରି ଜନ୍ମ ହୋଇ ରାଜ୍ୟରେ ଦୁଗ୍ଧ ଉତ୍ପାଦନରେ ବୃଦ୍ଧି ଘଟିବା ସହିତ ଚାଷୀର ଆୟବୃଦ୍ଧି ହେବ। ଏଥିରେ ଦୁଗ୍ଧ ଚାଷୀ ପାଇଁ ୭୫ ପ୍ରତିଶତ ରିହାତି ସରକାର ଯୋଗାଇଦେବେ। ଗୋଟିଏ ଡୋଜ ଲିଙ୍ଗ ନିରୂପିତ ଶୁକ୍ରାଣୁର ମୂଲ୍ୟ ୭୧୫ ଟଙ୍କା। ସରକାର ଏହାକୁ ଗୋପାଳକମାନଙ୍କୁ ମାତ୍ର ୧୮୦ ଟଙ୍କାରେ ଯୋଗାଇଦେବେ। ଖଣିଜ ଅଞ୍ଚଳ ଜିଲ୍ଲାମାନଙ୍କରେ ଶତପ୍ରତିଶତ ରିହାତିର ସୁବିଧା ରହିଛି। କୃତ୍ରିମ ପ୍ରଜନନ ମାଧ୍ୟମରେ ଗୋ-ପ୍ରଜାତିର ଉନ୍ନତୀକରଣକୁ ଏକ ମିସନ ଭାବେ ଗ୍ରହଣ କରି ବାର୍ଷିକ ପ୍ରାୟ ୧୫ ଲକ୍ଷ ଗୋରୁଙ୍କୁ ମାଗଣାରେ କୃତ୍ରିମ ପ୍ରଜନନ କରାଯାଉଛି। ଗୋରୁଙ୍କ ଫାଟୁଆ ରୋଗ ନିୟନ୍ତ୍ରଣ ପାଇଁ ଗୃହପାଳିତ ପ୍ରାଣୀଙ୍କ ଟିକାକରଣକୁ ଏକ ଅଭିଯାନ ଭାବେ ନିଆଯାଇ ବାର୍ଷିକ ଦୁଇ ଥର ଟିକା ଦିଆଯାଉଛି। ଉଚ୍ଚ ଅମଳସମ୍ପନ୍ନ ଋତୁକାଳୀନ ଓ ସବୁଦିନିଆ ଘାସ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଗୋପାଳକ ଏବଂ ଯୁବ ଉଦ୍ୟୋଗୀମାନଙ୍କୁ ନୂତନ ଡାଏରି ଫାର୍ମ ଓ ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଯୋଗାଇ ଦିଆଯାଉଛି। ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଂଘ (ଓମ୍‌ଫେଡ୍‌) ମାଧ୍ୟମରେ ରାଜ୍ୟର ପ୍ରାୟ ୩୭୦୦ କ୍ଷୀର ଉତ୍ପାଦକ ସମବାୟ ସମିତିର ମୋଟ ୨ ଲକ୍ଷ ୬୩ ହଜାର ଗୋପାଳକ ସେମାନଙ୍କ ଉତ୍ପାଦିତ କ୍ଷୀର ବିକ୍ରୟ କରିପାରୁଛନ୍ତି। ଉଚ୍ଚ ଜେନେଟିକ୍‌ କ୍ଷମତାସଂପନ୍ନ ଶୁକ୍ରାଣୁ ବ୍ୟବହାର ମାଧ୍ୟମରେ ଗୋ-ପ୍ରଜାତିର ଉନ୍ନତୀକରଣକୁ ଗୁରୁତ୍ବ ଦିଆଯାଉଛି। ଲିଙ୍ଗ ନିରୂପିତ ହୋଇନଥିବା ସାଧାରଣ ଶୁକ୍ରାଣୁ ବ୍ୟବହାର କରି କୃତ୍ରିମ ପ୍ରଜନନ କରାଯାଉଥିବା ଗୋରୁଙ୍କଠାରୁ ୫୦ ପ୍ରତିଶତ ଅଣ୍ଡିରା ଓ ୫୦ ପ୍ରତିଶତ ମାଈ ବାଛୁରି ଜନ୍ମ ହେବାର ସମ୍ଭାବନା ଥାଏ।

ଅଣ୍ଡିରା ବାଛୁରୀଙ୍କ ଚାହିଦା କମୁଥିବାରୁ ଗୋପାଳକମାନେ ସେମାନଙ୍କୁ ବୁଲା ଗୋରୁ ଭାବେ ଛାଡ଼ି ଦେଇଥାନ୍ତି। ଫଳରେ ରାଜ୍ୟରେ ବୁଲା ଗୋରୁଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ଲିଙ୍ଗ ନିରୂପିତ ଶୁକ୍ରାଣୁ ଜ୍ଞ‌ାନକୌଶଳ ୯୦ ପ୍ରତିଶତ ପର୍ଯ୍ୟନ୍ତ ଉଚ୍ଚ ଜେନେଟିକ୍‌ କ୍ଷମତା ସଂପନ୍ନ ମାଈ ବାଛୁରୀ ଜନ୍ମର ସମ୍ଭାବନାକୁ ବୃଦ୍ଧି କରିଥାଏ ଏବଂ ଏହା ଦ୍ୱାରା ଅଣ୍ଡିରା ବାଛୁରୀଙ୍କ ସଂଖ୍ୟା ହ୍ରାସ ପାଇ ଗୋପାଳକଙ୍କ ଉପରେ ଅଣ୍ଡିରା ବାଛୁରୀ ପାଳନର ଭାର ହ୍ରାସ ପାଏ ବୋଲି ଶ୍ରୀ ସାହୁ କହିଛନ୍ତି।

କୃଷି ଉତ୍ପାଦନ କମିସନର ସଂଜୀବ ଚୋପ୍ରା କହିଛନ୍ତି, ରାଜ୍ୟରେ ଗିର୍‌, ସାହିୱାଲ୍‌, କ୍ରସ୍‌ ବ୍ରିଡ୍‌ ଜର୍ସି, କ୍ରସ୍‌ ବ୍ରିଡ୍‌ ହୋଲ୍‌ଷ୍ଟିନ୍‌ ଫି୍ରଜିଆନ୍‌ ଇତ୍ୟାଦି ଉନ୍ନତ ପ୍ରଜାତିର ସେକ୍ସ ସର୍ଟେଡ୍‌ ସିମେନ୍‌ ଚାଷୀଙ୍କ ପାଇଁ ଉପଲବ୍ଧ ହେବ। ଓଡ଼ିଶା ଗୋ-ମହିଷାଦି ପ୍ରଜନନ ନୀତି ଅନୁଯାୟୀ ଏହା କାର୍ଯ୍ୟକାରୀ କରାଯାଉଛି। ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଆର୍‌. ରଘୁପ୍ରସାଦ କହିଥିଲେ, ଲିଙ୍ଗ ନିରୂପିତ ଶୁକ୍ରାଣୁ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ୨୦୨୨-୨୩ ବର୍ଷରେ ପ୍ରାଥମିକ ଭାବେ ୫.୫ ଲକ୍ଷ ଡୋଜ୍‌ ବ୍ୟବହାର କରି ୧.୨୦ ଲକ୍ଷ ଗୋରୁଙ୍କ କୃତ୍ରିମ ପ୍ରଜନନ କରାଯିବ। ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ସ୍ୱାଗତ ଭାଷଣ, ଓଡ଼ିଶା ପ୍ରାଣୀଧନ ଅନୁସନ୍ଧାନ ବିକାଶ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଲୋକନାଥ ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର