ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଅଛନ୍ତି ଲକ୍ଷେରୁ ଅଧିକ ଦୁଗ୍ଧ ଚାଷୀ। କିନ୍ତୁ ଏଠାରୁ ଦିନକୁ ମାତ୍ର ୧୫ଶହ ଲିଟର କ୍ଷୀର ଓମ୍‌ଫେଡକୁ ମିଳୁଛି। ଏପଟେ ଅନୁଗୁଳରେ ବର୍ଷକୁ ବର୍ଷ କ୍ଷୀର ଉତ୍ପାଦନ କମି କମି ଚାଲିଛି। ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନର ଅଭାବ ଓ ଚାଷୀଙ୍କୁ ଉପଯୁକ୍ତ ସହାୟତା ମିଳୁ ନ ଥିବାରୁ ଅନୁଗୁଳ ଜିଲ୍ଲା‌ରେ କ୍ଷୀର ଉତ୍ପାଦନ ଏପରି ହ୍ରାସ ପାଉଥିବା କୁହାଯାଉଛି। ଏଥିପାଇଁ ଜିଲ୍ଲାକୁ ଏବେ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି।

Advertisment

ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଛେଣ୍ଡିପଦା ବ୍ଲକ୍‌ରେ ଦୁଗ୍ଧ ଚାଷ ହେଉଛି। ଅନୁଗୁଳ ବ୍ଲକ୍‌ରେ ମଧ୍ୟ କିଛି ଚାଷୀ କ୍ଷୀର ଉତ୍ପାଦନ କରି ଓମ୍‌ଫେଡ୍‌କୁ ପ୍ରଦାନ କରୁଛନ୍ତି। କିନ୍ତୁ ଗତ ୩ ବର୍ଷର ରେକର୍ଡକୁ ଦେଖିଲେ ଅନୁଗୁଳର ଦୁଗ୍ଧ ଉତ୍ପାଦନ ଅତି ନୈରାଶ୍ୟଜନକ ରହିଛି। ୨୦୨୧-୨୨ରେ ଦିନକୁ ହାରାହାରି ମାତ୍ର ୧୫୦୫ ଲିଟର କ୍ଷୀର ଓମ୍‌ଫେଡ୍‌ ପକ୍ଷରୁ ସଂଗ୍ରହ କରାଯାଇଛି। ଏହି ତୁଳନାରେ ୨୦୨୦-୨୧ରେ କ୍ଷୀର ସଂଗ୍ରହ ଦୈନିକ ୧୯୩୦ ଲିଟର ହେଉଥିଲା। ଏହା ପୂର୍ବରୁ ଅର୍ଥାତ୍‌ ୨୦୧୯-୨୦ରେ ଦିନକୁ ହାରାହାରି ୨୧୭୪ ଲିଟର କ୍ଷୀର ସଂଗ୍ରହ କରିଥିଲା ଓମ୍‌ଫେଡ୍‌। ଦିନକୁ ଦିନ ଅନୁଗୁଳ ଜିଲ୍ଲାରେ କ୍ଷୀର ଉତ୍ପାଦନ କମିବା ପରେ ଏହାର ପ୍ରଭାବ ପଡ଼ିଛି ଅନୁଗୁଳ ଡାଏରି ଉପରେ। ଓମ୍‌ଫେଡ୍‌ ପକ୍ଷରୁ କରାଯାଇଥିବା ଅନୁଗୁଳ ଡାଏରିରେ ଦିନକୁ ୩୦ ହଜାର ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରିବାର କ୍ଷମତା ରହିଥିଲେ ମଧ୍ୟ ଏଠାରେ ଏବେ ଦିନକୁ ହାରାହାରି ସାଢ଼େ ୧୧ ହଜାର ଲିଟର କ୍ଷୀର ପ୍ରକ୍ରିୟାକରଣ କରାଯାଉଛି। ତା ପୁଣି ଅନ୍ୟ ଜିଲ୍ଲାରୁ ଆସୁଥିବା ଦୁଗ୍ଧ ସାହାଯ୍ୟରେ। କଟକରୁ ନିୟମିତ ଭାବେ କ୍ଷୀର ଅନୁଗୁଳ ଓମ୍‌ଫେଡ୍‌ ପ୍ଲାଣ୍ଟକୁ ଆସି ଏଠାରୁ ପ୍ରକ୍ରିୟାକରଣ ହୋଇ ବିକ୍ରି ହେବାକୁ ବଜାରକୁ ଯାଉଛି।

publive-image

ଅନୁଗୁଳ ଜିଲ୍ଲାରେ ୧,୦୪,୧୦୧ ଜଣ ଦୁଗ୍ଧ ଚାଷୀ ପଂଜୀକୃତ ହୋଇଛନ୍ତି। ଆଗରୁ ଭଲ କ୍ଷୀର ଉତ୍ପାଦନ ପାଇଁ ଅନୁଗୁଳର ନାଁ ଥିଲା। ଦିନକୁ ୫ ହଜାରରୁ ଅଧିକ ଲିଟର ସଂଗ୍ରହ କରାଯାଉଥିଲା। କିନ୍ତୁ କିଛି ବର୍ଷ ହେଲା କ୍ଷୀର ଉତ୍ପାଦନ କମି କମି ଯାଉଛି। ଏଥିପାଇଁ ସରକାର ଓ ଓମ୍‌ଫେଡ୍‌କୁ ଦାୟୀ କରୁଛନ୍ତି ଦୁଗ୍ଧ ଚାଷୀ। ଦୁଗ୍ଧ ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଦିଆ ଯାଉ ନ ଥିଲାବେଳେ ଚାଷ କରୁଥିବା ଚାଷୀମାନେ ମଧ୍ୟ ଉଚିତ ଦର ପାଉ ନ ଥିବା ଅଭିଯୋଗ ହୋଇଛି। ସେହିପରି ଭିତ୍ତିଭୂମିର ଅଭାବ ମଧ୍ୟ ଦୁଗ୍ଧ ଚାଷରେ ବାଧା ସୃ‌ଷ୍ଟି କରୁଛି। ଆଠମଲ୍ଲିକ ବ୍ଲକ୍‌ରେ ଦୁଗ୍ଧ ଚାଷ ଅଧିକ ହେଉଥିଲେ ମଧ୍ୟ ଅପରାହ୍‌ଣରେ କ୍ଷୀର ସଂଗ୍ରହ କରାଯାଉନି। ତେଣୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ସେହିପରି ଅଏଡ଼ାରେ ଥିବା ଦୁଗ୍ଧ ଶୀତଳୀକରଣ ୟୁନିଟ୍‌ଟି ୪ ବର୍ଷ ହେଲା ଅଚଳ ହୋଇ ପଡ଼ିଥିଲେ ମଧ୍ୟ ଏହାର ମରାମତି ପାଇଁ ଧ୍ୟାନ ଦିଆଯାଉନି। ଗୋଖାଦ୍ୟ ମଧ୍ୟ ଠିକ୍‌ ସମୟରେ ମିଳୁନି। ତେଣୁ ଆଠମଲ୍ଲିକରେ ଚାଷୀମା‌ନେ ଏହା ଉପରୁ ମୁହଁ ଫେରାଇବାକୁ ବସିଲେଣି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବିଭିନ୍ନ ଜିଲ୍ଲାର ଦୁଗ୍ଧ ଚାଷୀ ଓ ଉଦ୍ୟୋଗୀଙ୍କୁ ସହାୟତା ଯୋଗାଇ ଦିଆଯାଉଥିଲାବେଳେ ଏଥିରୁ ଅନୁଗୁଳ ଜିଲ୍ଲାର ଜଣେ ହେଲେ ବି ଚାଷୀ ଲାଭବାନ ହୋଇନାହାନ୍ତି।

କେବଳ ୨୦୨୧-୨୨ ବର୍ଷରେ ଜିଲ୍ଲାର ୬୨୯ ଜଣ ଚାଷୀଙ୍କୁ ଗୋଖାଦ୍ୟ ବାବଦରେ ସ୍ବତନ୍ତ୍ର ସରକାରୀ ପ୍ରୋତ୍ସାହନ ମିଳିଛି। ଅଏଡ଼ା ଦୁଗ୍ଧ ସମବାୟ ସମିତିର ସଭାପତି ଚିତ୍ତରଂଜନ କର୍ଣ୍ଣ କହିଛନ୍ତି ଯେ ଓମ୍‌ଫେଡ ପକ୍ଷରୁ ଠିକ୍‌ ଭାବେ କିଣା ହେଉନି କି ଏହାର ପାଉଣା ଦିଆଯାଉନି। ଚାଷୀଙ୍କୁ ବିଭିନ୍ନ ସମୟରେ ହଇରାଣ କରାଯାଉଛି। ଜିଲ୍ଲାର ଚାଷୀଙ୍କୁ କରୋନା ସହାୟତା ପ୍ରଦାନ କରାଯାଉନି। ତେଣୁ ଚାଷୀମାନେ ବାଧ୍ୟ ହୋଇ ଦୁଗ୍ଧ ଚାଷରୁ ମୁହଁ ଫେରାଉ ନେଉଛନ୍ତି। ଏଥିନେଇ ଅବିଭକ୍ତ ଢେଙ୍କାନାଳ ଦୁଗ୍ଧ ସମବାୟ ସମିତିର ସଭାପତି ଅରବିନ୍ଦ ବରାଳ କହିଛନ୍ତି ଯେ ବିଭିନ୍ନ କାରଣରୁ ଦୁଗ୍ଧ ଚାଷ ପ୍ରଭାବିତ ହେଉଛି। ଏଠାରେ ଆବଶ୍ୟକ ଅନୁସାରେ କ୍ଷୀର ମିଳୁ ନ ଥିବାରୁ ବାଧ୍ୟ ହୋଇ କଟକରୁ କ୍ଷୀର ମଗାଇବାକୁ ପଡ଼ୁଛି। ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ କେମିତି ଦୁଗ୍ଧ ଚାଷ ବଢ଼ିବ ଓ ଉତ୍ପାଦନ ଅଧିକ ହୋଇପାରିବ ସେଥିନେଇ ଯୋଜନା କରାଯିବ ବୋଲି ସେ କହିଛନ୍ତି।