ଜୟପୁର/ବୋରିଗୁମ୍ମା: ରାଇସ୍ ମିଲ୍ ମାଲିକ ଅପହରଣ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ମାଷ୍ଟର ମାଇଣ୍ଡ ଅଭିଜିତ ଓରଫ ଜିତ ମହୁରିଆ ସମେତ ଗ୍ୟାଙ୍ଗର ୧୩ଜଣ ସଦସ୍ୟଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ୩ଟି କାର, ଗୋଟିଏ ବାଇକ, ୩ଟି ବନ୍ଧୁକ, ୧୫ଟି ଖୋକା, ଦୁଇଟି ଖଣ୍ଡା, ୧୪ଟି ମୋବାଇଲ୍ ଫୋନ୍ ଏବଂ ନଗଦ ୨୪ଲକ୍ଷ ୮୫ ହଜାର ଟଙ୍କା ଜବତ କରାଯାଇଛି। ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି, ସେମାନଙ୍କ ସନ୍ଧାନ ଚାଲିଥିବା ବୋରିଗୁମ୍ମା ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସ୍ପି ଅଭିନବ ସୋନକର ସୂଚନା ଦେଇଛନ୍ତି।
ମାଷ୍ଟର ମାଇଣ୍ଡ ଜିତ୍ ଗତବର୍ଷ ଏକ ଗୁଳିକାଣ୍ଡ ମାମଲାରେ ଗିରଫ ପରେ ସେମିଳିଗୁଡ଼ା ଥାନା ଅଞ୍ଚଳର ଜୁନେଶ ପୋଡ଼ାସେଠୀ, ସଂଜୟ ଖରା, ସଂଜୟ ବେନିଆ ସହ ଜୟପୁର ଜେଲ୍ରେ ଭେଟ ହୋଇଥିଲା। ଜେଲ୍ରେ ହିଁ ଅପହରଣ କରି ବଟି ଆଦାୟ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ତେଣୁ ଗ୍ୟାଙ୍ଗରେ ଟୁଲୁ ଖୋସ୍ଲା, ରୋହିତ ସୁନା ଏବଂ ଫିରୋଜ ନାଗକୁ ସାମିଲ କରିଥିଲେ। ବେଲ୍ରେ ମୁକୁଳିବା ପରେ ଜୁଲାଇ ୬ରେ ରାଇସ୍ ମିଲ୍ ମାଲିକ ଏ. ରମେଶ ପାତ୍ରଙ୍କୁ ଟାର୍ଗେଟ କରିଥିଲେ। କିନ୍ତୁ ସେଦିନ ପେରାହାଣ୍ଡି ଛକରେ ପହଞ୍ଚିବା ବେଳକୁ ରମେଶ ଘରକୁ ଚାଲିଯାଇଥିଲେ। ୧୨ ତାରିଖରେ ପୁଣି ଯୋଜନା କରିଥିଲେ ଏବଂ ଏଥର ଈଶ୍ବର ନାନାକୁ ଗ୍ୟାଙ୍ଗରେ ସାମିଲ କରିଥିଲେ। ୧୨ତାରିଖ ଦିନ କେନାଲ ରାସ୍ତାରେ ଖଣ୍ଡା ଦେଖାଇ ରମେଶଙ୍କୁ ଅଟକାଇଥିଲେ। ଅପହରଣ କରି ଜୟପୁର ମକାପୁଟ ଡମ୍ପିୟାର୍ଡକୁ ନେଇ ଯାଇଥିଲେ। ରମେଶଙ୍କ ଠାରୁ ତାଙ୍କ ଫୋନ୍ ନେଇ ଦେଓଘାଟିରୁ ସଂପର୍କୀୟ ପି. ଆନନ୍ଦ ରାଓଙ୍କୁ ଫୋନ୍ କରି ୯୦ଲକ୍ଷ ଟଙ୍କା ମାଗିଥିଲେ। କିଛ ଘଣ୍ଟା ପରେ ରମେଶଙ୍କୁ ସେମିଳିଗୁଡ଼ା ଥାନା ଅନ୍ତର୍ଗତ ଆର.ମାଳିଗୁଡ଼ା ନେଇ ଯାଇଥିଲେ।
ଅନ୍ୟପଟେ ରମେଶଙ୍କ ପରିବାର ସହ ମାଷ୍ଟର ମାଇଣ୍ଡ ଜିତ୍ ନିୟମିତ ଯୋଗାଯୋଗରେ ରହିଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ଟଙ୍କା ଦେବାକୁ ରମେଶଙ୍କ ପରିବାର ରାଜି ହେବାରୁ କୁମୁଲିପୁଟ ନିକଟସ୍ଥ ମଜୁରାଗୁଡା ନିକଟକୁ ଆଣିବାକୁ କୁହାଯାଇଥିଲା। ୧୪ତାରିଖ ଦିନ ନିର୍ଦ୍ଧାରିତ ସ୍ଥାନରେ ଟଙ୍କା ବ୍ୟାଗ ରଖିବା ପରେ ଜିତ୍ ହିଁ ଆଣିବାକୁ ଯାଇଥିଲା। ଅନ୍ୟପଟେ ଜୟପୁର, ବୋରିଗୁମ୍ମା, ସୁନାବେଡ଼ା ଏବଂ ସେମିଳିଗୁଡ଼ା ଥାନା ଅଧିକାରୀଙ୍କୁ ନେଇ ପୁଲିସ ପକ୍ଷରୁ ପୃଥକ ପୃଥକ ଟିମ୍ ଗଠନ କରି ଚଢ଼ଉ ଆରମ୍ଭ ହୋଇଥିଲା। ପୁଲିସ ଜାଲରେ ଫରୋଜ ପ୍ରଥମେ ପଡ଼ିଥିଲା। ଏହାପରେ ବିଶାଖାପାଟଣାରୁ ଜିତ୍, ଟୁଲୁ, ରୋହିତ ଗିରଫ ହୋଇଥିଲେ। ସେମିଳିଗୁଡାରୁ ଫିରୋଜ, ସଂଜୟ ବେନିଆ, ଜୁନେଶ ଗିରଫ ହୋଇଥିଲା ବେଳେ ସଂଜୟ ଖରା ଫେରାର ହୋଇଯାଇଥିଲା। ଜିତ ଘରେ ପୁଲିସ ଚଢ଼ଉ କରି ଭଉଣୀ ମୀନାକ୍ଷୀ ଓ ମା’ ପ୍ରବୀଣା ଠାରୁ ୨୧ଲକ୍ଷ ଟଙ୍କା ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିଲା। ଅନ୍ୟତମ ଅଭିଯୁକ୍ତ ରୋଶନ ନିକଟରୁ ୯୯,୫୦୦ଟଙ୍କା ମିଳିଥିବା ଏସ୍ପି ସୂଚନା ଦେଇଛନ୍ତି। ଜିତର ପତ୍ନୀ ତରନୁମ ବେଗମ୍ ମଧ୍ୟ ଘଟଣାରେ ସଂପୃକ୍ତ ରହିଥିବାରୁ ପୁଲିସ ଗିରଫ କରିଛି। ପୂର୍ବରୁ ରାଇସ୍ ମିଲ୍ରେ କାମ କରୁଥିବା ରଘୁନାଥ ହରିଜନ ଓ ଡମୁ ନାୟକ ହିଁ ରମେଶଙ୍କ ସମସ୍ତ ବିବରଣୀ ଜିତକୁ ଦେଇଥିଲେ ତେଣୁ ଉଭୟଙ୍କୁ ଗିରଫ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/fhfsfhfhs.jpg)