ଜଗତସିଂହପୁର, (ସନ୍ଦୀପ ଲେଙ୍କା): ଝଙ୍କଡବାସିନୀ ମା’ ଶାରଳାଙ୍କ ସମ୍ପତ୍ତି ଏତେ ଯେ ଆଜି ପର୍ଯ୍ୟନ୍ତ ଆକଳନ କରାଯାଇପାରୁ ନାହିଁ। କିନ୍ତୁ ବାସ୍ତବ କ୍ଷେତ୍ରରେ ମା’ ଶାରଳା ମନ୍ଦିରର ନୀତିକାନ୍ତି ଆଦୌ ସଂପତ୍ତି ନଥିବା ମନ୍ଦିର ଭଳି ପରିଚାଳିତ ହେଉଛି। ପ୍ରତ୍ୟେକ ଦିନ ଭୋଗ ଲାଗି ଆବଶ୍ୟକ ପଡ଼ୁଥିବା ଚାଉଳ ଘରୋଇ ମିଲ୍‌ରୁ କିଣା ହୋଇଆସୁଛି। ସବୁ ଜାଣି ମଧ୍ୟ ମନ୍ଦିର ଓ ଜିଲ୍ଲା ପ୍ରଶାସନ ଚୁପ୍ ରହିଛି। ଧୀରେ ଧୀରେ ମନ୍ଦିରର ପାରମ୍ପରିକ ରୀତିନୀତିକୁ ଜଳାଞ୍ଜଳି ଦିଆଯାଉଥିଲେ ବି ସେଥିପ୍ରତି ବି କାହାର ଦୃଷ୍ଟି ନାହିଁ।

Advertisment

ତଥ୍ୟ ଅନୁଯାୟୀ ମା’ଙ୍କ ନିକଟରେ ଦୈନିକ ଦୁଇଟି ଥାଳି ଭୋଗ କରାଯାଏ। ଦିନ ୧ଟା ସୁଦ୍ଧା ଗୋଟିଏ ଓ ରାତି ସମୟରେ ଆଉ ଏକ ଧୂପ ଲାଗିଥାଏ। ଏଥିରେ ଅନ୍ନ ଓ ଖେଚୁଡ଼ି ରନ୍ଧା ଯାଇ ଭୋଗ କରାଯାଏ। ସେଥିପାଇଁ ପ୍ରତ୍ୟେକ ଦିନ ପାଖାପାଖି ୧୦ କିଲୋ ଚାଉଳ ଆବଶ୍ୟକ ହୁଏ। ପରମ୍ପରା ଅନୁଯାୟୀ ମା’ଙ୍କ ଏହି ଭୋଗ କେବଳ ବାସୁମତୀ ଚାଉଳରେ ହିଁ ହୁଏ। ଏଥିନିମନ୍ତେ ମନ୍ଦିର ପରିସରରେ ଏକ ଢିଙ୍କି ଶାଳ ରହିଥିଲା। ଏଥିରେ ଧାନ କୁଟାଯିବା ପରେ ଉକ୍ତ ଚାଉଳରେ ମା’ଙ୍କ ଭୋଗ ପ୍ରସ୍ତୁତ କରାଯାଏ। ମାତ୍ର ଏବେ ଏହି ପରମ୍ପରା ଆଉ ନାହିଁ। ଢିଙ୍କି ଶାଳ ଆଉ ନ ଥିବାବେଳେ ସେଠାରେ ଏବେ ଜାଳ ରଖାଯାଉଛି। ବାହାର ମିଲରମାନଙ୍କ ପାଖରୁ ଚାଉଳ କିଣାଯାଇ ମା’ଙ୍କର ଭୋଗ ପ୍ର୍ରସ୍ତୁତ କରାଯାଉଛି। ଏହା ନୀତି ବର୍ହିଭୂତ ବୋଲି ଅନେକ ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି।

publive-image templeadvisor.com

୧୯୪୭ରେ ମନ୍ଦିରର ପୂର୍ବତନ ପରିଚାଳନା ସମିତି ସଭ୍ୟ ଚିନ୍ତାମଣି ଆଚାର୍ଯ୍ୟଙ୍କ ଦ୍ବାରା ପ୍ରକାଶିତ ପୁସ୍ତକରେ ମନ୍ଦିରର ୫୧୬.୨୪ ଏକର ଜମି ରହିଥିବା ଉଲ୍ଲେଖ କରାଯାଇଛି। ମାତ୍ର ଗତବର୍ଷ ଏପ୍ରିଲ ମାସରେ ଏଜିଙ୍କ ପକ୍ଷରୁ କରାଯାଇଥିବା ଅଡିଟ୍ ସମୟରେ ମନ୍ଦିର ପ୍ରଶାସନ ଏ ସଂପର୍କିତ ପ୍ରମାଣପତ୍ର ଦେଖାଇ ପାରି ନ ଥିଲା। ଏ ସଂକ୍ର୍ରାନ୍ତରେ ବାରମ୍ବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ଜଗତସିଂହପୁର ଜିଲ୍ଲାରେ ମା’ଙ୍କ କେତେ ଜମି ରହିଛି, ତାହାର ଆକଳନ କରିଥିଲା। ସେଥିରେ ଜଗତସିଂହପୁର ଜିଲ୍ଲାରେ ମା’ ଶାରଳାଙ୍କ ୧୩୦.୪୫ ଏକର ଜମି ରହିଥିବା ଜଣାପଡ଼ିଥିଲା। ତିର୍ତ୍ତୋଲ୍‌ ତହସିଲ ଅଧୀନରେ ୮୭.୦୭ ଏକର ଜମି ରହିଥିବାବେଳେ ବାଲିକୁଦା ତହସିଲ ଅଧୀନରେ ୫.୫ ଏକର, ଏରସମାରେ ୧୮.୫୫, ରଘୁନାଥପୁରରେ ୧.୯୭, ଜଗତସିଂହପୁର ୧.୯୧, କୁଜଙ୍ଗ ବ୍ଲକରେ ୧୭.୮୦ ଏକର ଜମି ରହିଥିବା ସମ୍ପୃକ୍ତ ତହସିଲଦାରମାନେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି। ମାତ୍ର ଏହି ଜମି ଗୁଡ଼ିକ ବିକ୍ଷିପ୍ତ ଅବସ୍ଥାରେ ରହିଥିବାରୁ ଏଥିରେ ଚାଷ କାର୍ଯ୍ୟ କରାଯାଉ ନାହିଁ। ଏହାବାଦ୍‌ ଆହୁରି ଜମି ଜବରଦଖଲରେ ରହିଛି, ଯାହାକୁ ଆକଳନ କରାଯାଇ ପାରିନାହିଁ।

ଏ ସଂପର୍କରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି ଯେ, ମା’ଙ୍କ ଜମି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିକ୍ଷିପ୍ତ ଭାବରେ ରହିଥିଲା। ଏହାକୁ ତାଲିକାଭୁକ୍ତ କରାଯାଇ ସମସ୍ତ ପ୍ରକ୍ରିୟାକୁ ସ୍ବାଭାବିକ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପଡ଼ୋଶୀ ଜିଲ୍ଲା ପୁରୀ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମା’ଙ୍କ ଜମି ଥିବା ଅନୁମାନ କରାଯାଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ମନ୍ଦିରକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯିବା ସହିତ ଏଥିରେ ଏହି ପ୍ରସଙ୍ଗ ଆଲୋଚନା କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।