ଭୁବନେଶ୍ବର : ନଭେମ୍ବର ମାସରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଉଛି। ରାଇସ୍ ମିଲ୍ କମ୍ ଥିବା ଜିଲ୍ଲାରେ ବାହାର ଜିଲ୍ଲାର ମିଲ୍ କଷ୍ଟମ ମିଲିଂ କରିପାରିବେ ବୋଲି ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ବିଶ୍ବଜିତ ଦାସ। ବାଲେଶ୍ବର, ବରଗଡ଼, ଢେଙ୍କାନାଳ, ବଲାଙ୍ଗୀର, ଗଞ୍ଜାମ, ଯାଜପୁର, କଳାହାଣ୍ଡି, ଖୋର୍ଧା, ପୁରୀ ଏବଂ ସମ୍ବଲପୁର ଜିଲ୍ଲାପାଳଙ୍କୁ ଏହି ଚିଠି ଦିଆଯାଇଛି। ଏଥିପାଇଁ ମିଲ୍ ମାଲିକଙ୍କୁ ୧୫ ଦିନ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ସୂଚନା ଦେବାକୁ ପଡ଼ିବ। ତେବେ ଗୋଟିଏ ମିଲ୍ ଦୁଇରୁ ଅଧିକ ଜିଲ୍ଲାର ଧାନ କ୍ରୟ କରିପାରିବେ ନାହିଁ।
ଖାଦ୍ୟ ନୀତି ଅନୁଯାୟୀ, ଉପଯୁକ୍ତ ମଣ୍ଡି ବ୍ୟବସ୍ଥାରେ ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟରେ ଚାଷୀଙ୍କ ଧାନ ସଂଗ୍ରହ କରାଯାଏ। ଏଥିରୁ ଚାଉଳ ମିଲିଂ ପାଇଁ ରାଇସ୍ ମିଲ୍ଗୁଡ଼ିକୁ ଟ୍ୟାଗ୍ କରାଯାଏ। ରାଇସ୍ ମିଲ୍ର ସରକାରଙ୍କ ଠାରୁ ଧାନ କ୍ରୟ କରି ସେଥିରୁ ଉତ୍ପାଦିତ ଚାଉଳ ସରକାରଙ୍କୁ ବିକ୍ରୟ କରନ୍ତି। ମାତ୍ର କୌଣସି ଜିଲ୍ଲାରେ ଧାନ ରଖିବା ପାଇଁ ଗୋଦାମ ନାହିଁ। ଏଥିପାଇଁ ପେକ୍ସ ଧାନ କିଣିବା ସହିତ ହିଁ ଏହା ମିଲ୍ ପାଖକୁ ଚାଲିଯାଏ। ଏଥିପାଇଁ ସରକାର ଏବଂ ଚାଷୀଙ୍କ ମଧ୍ୟରେ ଧାନ କ୍ରୟ-ବିକ୍ରୟ ହେଉଥିବା କୁହାଯାଉଥିଲେ ମଧ୍ୟ ମଣ୍ଡିରେ ମିଲରଙ୍କ କବ୍ଜା ରହିଥାଏ। ଯେଉଁ ଜିଲ୍ଲାରେ ଧାନ ଚାଷ ଅନୁସାରେ ମିଲ୍ ନାହିଁ, ସେଠାରେ ଧାନ ସଂଗ୍ରହ ବେଳେ ବ୍ୟାପକ ସମସ୍ୟା ସୃଷ୍ଟି ହୁଏ। ମଣ୍ଡିରେ ଧାନ ପଡ଼ି ରହିଥାଏ। ଏଥିଯୋଗୁଁ ସରକାରଙ୍କ ପକ୍ଷରୁ ସମ୍ବଲପୁର, ବରଗଡ଼ ଭଳି ଅଧିକ ମିଲ୍ ଥିବା ଜିଲ୍ଲାର ରାଇସ୍ ମିଲ୍କୁ ଅନ୍ୟ ଜିଲ୍ଲାରେ ମିଲିଂ ପାଇଁ ଅନୁମତି ଦେଇଛନ୍ତି। ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ନିଷ୍ପତ୍ତି ଗ୍ରହଣ ହେଉଥିଲେ ମଧ୍ୟ ରାଇସ୍ ମିଲ୍ଗୁଡ଼ିକ ବାହାର ଜିଲ୍ଲାରେ ପ୍ରକୃତ ଧାନ ନକିଣି ବ୍ୟାପକ ମିଛ ଧାନ କ୍ରୟ କରି ଦୁର୍ନୀତି କରିଥାଆନ୍ତି। ତେଣୁ ଏହାକୁ ରୋକିବା ଲାଗି ସରକାରଙ୍କୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।