ଧାନ ଉଠାଉନି ମିଲର, ଶୀତକାକରରେ ରାତି ଉଜାଗର ଚାଷୀ

୪ଟି ଗୋଦାମ ଘର ଭର୍ତ୍ତି ହେଲାଣି, କାଟୁ କରୁନି ବିଡିଓଙ୍କ ତାଗିଦ

ଘଟଗାଁ : ଭର୍ତ୍ତି ହେଲାଣି ୪ଟି ଗୋଦାମ ଘର। ବାହାରେ ଗଦା ହୋଇଛି ବସ୍ତାବସ୍ତା ଧାନ। ହାଡ଼ଭଙ୍ଗା ଶୀତରେ ଚାଷୀମାନେ ମଣ୍ଡିରେ ବସି ଧାନ ଜଗିଛନ୍ତି। ୮ ଦିନ ହେଲା ମିଲର୍‌ ଧାନ ଉଠାଉ ନଥିବାରୁ କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଲ୍ୟାମ୍ପସ ଅନ୍ତର୍ଗତ ଘଟଗାଁ ମଣ୍ଡିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମିଲର୍‌ ଧାନ ଉଠାଉ ନଥିବାରୁ ଲ୍ୟାମ୍ପସ୍‌ କର୍ତ୍ତୃପକ୍ଷ କମ୍‌ ଧାନ କିଣୁଛନ୍ତି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଘଟଗାଁ ମଣ୍ଡିରୁ ଏସ୍‌ଏସ୍‌ ରାଇସ୍‌ ମିଲ୍‌ ଧାନ ଉଠାଉଛି। ଗତ ସୋମବାର ଠାରୁ ମିଲର୍‌ ମଣ୍ଡିରୁ ଧାନ ଉଠାଇ ନାହିଁ। ଫଳରେ ଲ୍ୟାମ୍ପସ୍‌ କର୍ତ୍ତୃପକ୍ଷ ଚାଷୀଙ୍କ ଠାରୁ ଧାନ କିଣିବା କମାଇ ଦେଇଛନ୍ତି। ଯେତିକି ଧାନ କିଣା ହୋଇଛି ତାହା ୪ଟି ଗୋଦାମ ଘରେ ଭର୍ତ୍ତି ହୋଇ ରହିଛି। ଆଉ ଜାଗା ନଥିବାରୁ ବାହାରେ ବସ୍ତାବସ୍ତା ଧାନ ପଡ଼ିଛି। ଆଜି ୨୦ଜଣ ଚାଷୀଙ୍କୁ ବିକିବା ପାଇଁ ଡକାଯାଇଥିଲା। ସେମାନଙ୍କଠାରୁ ୭୫୦ କୁଇଣ୍ଟାଲ ଧାନ କିଣାଯିବାର ଥିଲା। ହେଲେ ମାତ୍ର ୧୨ଜଣ ଚାଷୀଙ୍କଠାରୁ ଧାନ କିଣାଯାଇଛି। ୮ଜଣ ଚାଷୀଙ୍କ ଧାନ ମଣ୍ଡିରେ ପଡ଼ିଛି। କିଛି ଚାଷୀ ମଣ୍ଡିରେ ଧାନ ପକାଇ କେଉଁଆଡ଼େ ଚାଲି ଯାଇଥିବା ବେଳେ ୪ଜଣ ଚାଷୀ ରାତିରେ ନିଜ ଧାନ ବସ୍ତାକୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି।

ନଳବିଲା ଗ୍ରାମର ରମେଶ ମହାନ୍ତଙ୍କ ୭୫ କୁଇଣ୍ଟାଲ, ବଡ଼ଜାମୁପଶି ଗ୍ରାମର ଦୟାନିଧି ମହାନ୍ତଙ୍କ ୫୭ କୁଇଣ୍ଟାଲ, ଖୁଣ୍ଟା ଗ୍ରାମର ଧ୍ରୁବଚରଣ ବେହେରାଙ୍କ ୩୫ କୁଇଣ୍ଟାଲ ଏବଂ ମୁକୁନ୍ଦପୁରପାଟଣା ଗ୍ରାମର ସନ୍ଧ୍ୟାରାଣୀ ସେଠୀଙ୍କ ୬୫ କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ିଛି। ସମ୍ପୃକ୍ତ ଚାଷୀମାନେ ଶୀତକାକରରେ ମଣ୍ଡିରେ ବସିଥିବା ଦେଖିବାକୁ ମିଳିଛି। ଗତ ଶନିବାର ଘଟଗାଁ ବିଡିଓ ନାରାୟଣ ସାହୁ ଏବଂ ଯୋଗାଣ ନିରୀକ୍ଷକ ବାଜିନାଥ ମାହାଲି ମଣ୍ଡି ପରିଦର୍ଶନରେ ଆସିଥିଲେ। ସେତେବେଳେ ଚାଷୀମାନେ ମଣ୍ଡିରୁ ଧାନ ଉଠୁ ନଥିବା ସମ୍ପର୍କରେ ଜଣାଇଥିଲେ। ବିଡିଓ ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଜଣାଇବା ସହ ସମ୍ପୃକ୍ତ ମିଲର୍‌ଙ୍କୁ ତୁରନ୍ତ ଧାନ ଉଠାଇବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ବିଡିଓଙ୍କ ନିର୍ଦେଶ କାମ ଦେଲାନାହିଁ। ଗୋଟିଏ ପଟେ ଜିଲ୍ଲାରେ ବିଳମ୍ବରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏଭଳି ଅବ୍ୟବସ୍ଥା ଯୋଗୁଁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଧାନକିଣା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ମଣ୍ଡିରୁ ଧାନ ଉଠାଇବା ପାଇଁ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର