କେନ୍ଦୁଝର : ଧାନ କିଣା ପୂର୍ବରୁ ପ୍ରତିବର୍ଷ ଜିଲ୍ଲାରେ ଏକ ପ୍ରୋକ୍ୟୁରମେଣ୍ଟ ସ୍କ୍ବାଡ୍‌ ଗଠନ ହୋଇଥାଏ। କିନ୍ତୁ ଏଥର ଏହି ସ୍କ୍ବାଡ୍‌ ଗଠନ ହୋଇନାହିଁ। ଫଳରେ ଧାନକିଣା ବେଳେ ଚାଷୀ ଶୋଷଣର ଶିକାର ହେଲେ ତାହାକୁ ରୋକିବାକୁ କେହି ନାହାନ୍ତି। ମିଲର୍‌ମାନେ ନିଜସ୍ୱ ଡଙ୍ଗରେ ଧାନ କିଣା ପ୍ରକ୍ରିୟାକୁ ପରିଚାଳନା କରୁଛନ୍ତି।

Advertisment

କେନ୍ଦୁଝର ଜିଲ୍ଲାରେ ଏଥର ୮୯ଟି ସ୍ଥାନରେ ଧାନ ମଣ୍ଡି ଖୋଲାଯାଇଛି। ଗତବର୍ଷ ଜିଲ୍ଲାରେ ୧୬ ଲକ୍ଷ ୫୧ ହଜାର କୁଇଣ୍ଟାଲ ଧାନକିଣା ହୋଇଥିବା ବେଳେ ଏବର୍ଷ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୧୧ ହଜାର ୭୦୩ କୁଇଣ୍ଟାଲ ଧାନ କିଣା ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଜିଲ୍ଲାରେ ଏଯାଏ ପ୍ରୋ‌କ୍ୟୁରମେଣ୍ଟ ସ୍କ୍ବାଡ୍‌ ଗଠନ ହୋଇନାହିଁ। ସ୍କ୍ବାଡ୍‌ ଗଠନ ସଂପର୍କିତ ସୁପାରିସ ଫାଇଲ୍‌ ଭିତରେ ଅଟକିଛି। ପ୍ରୋକ୍ୟୁରମେଣ୍ଟ ସ୍କ୍ବାଡ୍‌ ଜଣେ ଏସିଏସ୍‌ଓ, ଯୋଗାଣ ନିରୀକ୍ଷକ, ଆର୍‌ଏମ୍‌ସି ସମ୍ପାଦକ ଏବଂ ଏଆର୍‌ସିଏସ୍‌ଙ୍କୁ ନେଇ ଗଠିତ ହୋଇଥାଏ। କେନ୍ଦୁଝର ଜିଲ୍ଲାରେ ତିନିଟି ଉପଖଣ୍ଡ ଥିବାରୁ ଆନନ୍ଦପୁର, ଚମ୍ପୁଆ ଏବଂ କେନ୍ଦୁଝର ସଦର ପାଇଁ ତିନିଟି ସ୍କ୍ବାଡ୍‌ ଗଠନ ହେବା କଥା। ଏହି ସ୍କ୍ବାଡ୍‌ ନିୟମିତ ଭାବେ ମିଲର୍‌, ମଣ୍ଡିରେ ଧାନ କିଣାବିକା ଏବଂ ଦଲାଲଙ୍କ ଉପରେ ନଜର ରଖିଥାଏ। ଚାଷୀ ଯଦି କେଉଁଠି ଅସୁବିଧାର ସମ୍ମୁଖୀନ ‌ହୁଅନ୍ତି, ତୁରନ୍ତ ତାହାର ସମାଧାନ କରିଥାଏ। ଧାନ ଉଠାଣରେ ଅନିୟମିତତା, ମିଲର୍‌ଙ୍କ ଦ୍ୱାରା ଚାଷୀ ଠକେଇର ଶିକାର ହେବା ଖବର ପାଇଲେ ଏହି ସ୍କ୍ବାଡ୍‌ ତତ୍‌କାଳ ଚଢ଼ଉ କରି ପଦକ୍ଷେପ ନେଇଥାନ୍ତି।

publive-image

ଏ ସଂପର୍କରେ ଯୋଗାଣ ବିଭାଗ ପକ୍ଷରୁ ଯେଉଁ ସୁପାରିସ ହୋଇଛି, ତାହା ଏଯାଏ ଅନୁମୋଦନ ହୋଇ ନ ଥିବାରୁ ସ୍କ୍ବାଡ୍‌ ଗଠନ ହୋଇପାରି ନାହିଁ। ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ହାଡ଼ିବନ୍ଧୁ ସେଠୀଙ୍କୁ ପଚାରିବାରୁ, ସେ ମଧ୍ୟ ସ୍କ୍ବାଡ୍‌ ଗଠନ ହୋଇ ନ ଥିବା କଥାକୁ ସ୍ୱୀକାର କରିଛନ୍ତି। ଏନେଇ  ଜିଲ୍ଲାପାଳଙ୍କ ପାଖକୁ ଫାଇଲ ଯାଇଛି। ମାତ୍ର ତାହା ଏଯାଏ ଫେରିନାହିଁ ବୋଲି ଶ୍ରୀ ସେଠୀ କହିଛନ୍ତି। ସ୍କ୍ବାଡ୍‌ ଗଠନ ହୋଇ ନଥିବାରୁ ଧାନ କିଣା ପ୍ରକ୍ରିୟାରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଅନେକ ମଣ୍ଡିରେ ଏଯାଏ ଟାର୍ଗେଟ ଅନୁସାରେ ଧାନ କିଣା ହୋଇପାରିନି। ସ୍କ୍ବାଡ୍‌ ଥିଲେ ଏହାର ତଦାରଖ କରି ଚାଷୀ କିପରି ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ସେ ଦିଗର ପଦକ୍ଷେପ ନେଇ ପାରିଥାନ୍ତା।

ଏଠାରେ ହାଟଡିହି ବ୍ଲକ୍‌ର ସଢ଼ା ମଣ୍ଡି କଥା ଉଦାହରଣ ନିଆଯାଉ। ସଢ଼ା ମଣ୍ଡିରେ ବର୍ତ୍ତମାନ ସୁଦ୍ଧା ୩୬ ହଜାର ୧୬୬ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ରହିଛି। ମାତ୍ର ଆଜି ସୁ୍ଦ୍ଧା ଏଠାରେ ମାତ୍ର ୭୯୧୬ କୁଇଣ୍ଟାଲ ଧାନ କିଣାଯାଇଛି। କାହିଁକି ଏଠାରେ ଧାନ କିଣାରେ ସମସ୍ୟା ହେଉଛି? ଚାଷୀମାନେ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଜାଣିବା ପାଇଁ କେହି ନାହିଁ। ସେହିପରି ଆନନ୍ଦପୁର ମଣ୍ଡିରେ ମାତ୍ର ୨୯୬ କୁଇଣ୍ଟାଲ ଧାନ କିଣା ହୋଇଥିବା ବେଳେ ଖଲଣାରେ ମାତ୍ର ୧୦୪ କୁଇଣ୍ଟାଲ, ତରମାକାନ୍ତ ମଣ୍ଡିରେ ୫୦୧ କୁଇଣ୍ଟାଲ, ଖାଳିଆମେଣ୍ଟାରେ ୫୩୬ କୁଇଣ୍ଟାଲ ଧାନ କିଣା ହୋଇଛି। ଏସବୁ ମଣ୍ଡିରେ କାହିଁକି ଧାନ କିଣା କମିଛି ସେନେଇ କାହା ପାଖ‌ରେ ଖବର ନାହିଁ। ତୁରନ୍ତ ପ୍ରୋକ୍ୟୁରମେଣ୍ଟ ସ୍କ୍ବାଡ୍‌ ଗଠନ କରି ଧାନକିଣା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଦାବି ହେଉଛି।